କେବେ ସୁଧୁରିବ ଗରିବଙ୍କ ଅବସ୍ଥା, କେବେ ସୁଧୁରିବ ପ୍ରଶାସନ ?

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ସରକାର ପରେ ସରକାର ବଦଳୁଛନ୍ତି। ବଦଳିଛି ଧନୀ, ଅଧିକାରୀ, ମନ୍ତ୍ରୀ, ନେତାଙ୍କ ଭାଗ୍ୟ। ହେଲେ ଗରିବର ସମସ୍ୟା ଯେଉଁଠି ଥିଲା ସେଇଠି ରହି ଯାଇଛି। ଦୀର୍ଘ ୨୦ ବର୍ଷ ସରକାରରେ ରହିବା ପରେ ଯଦି କିଛି ବଦଳିଛି ତେବେ ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକର ଅବୟବ । ଛୋଟ ଛୋଟ କାର୍ଯ୍ୟାଳୟର ଘର ବଦଳରେ ବଡ଼ ବଡ଼ ବିଲଡିଂ। ମାତ୍ର ଗରିବ ସାଧାରଣ ଲୋକଙ୍କ ପାଇଁ ସମସ୍ୟାରେ ପରିବର୍ତ୍ତନ ଏହି ସରକାର ମଧ୍ୟ ଆଣି ପାରିଲେ ନାହିଁ। ଲୋକମାନେ ସାଧାରଣ ଚିକିତ୍ସା ପାଇଁ ମଧ୍ୟ ଯେପରି ହଇରାଣ ହରକତ ହେଉଛନ୍ତି, ତାହା ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମୁଖରେ ଚିକିତ୍ସା ସହାୟତା ପାଇଁ ଆସିଥିବା ଗୋଟିଏ ଗରିବ ପରିବାରର ଅବସ୍ଥା ଦେଖିଲେ ବୁଝି ହେଉଛି। 

ଚିକିତ୍ସା ପାଇଁ ସହାୟତା ଆଶାରେ ଚାରି ଦିନରୁକିର୍ମିରା ବ୍ଲକ ବୁତୁଲାଇ ଗ୍ରାମର ଏକ ଦମ୍ପତ୍ତି ଡୋଲାମଣି ଜୟପୁରିଆ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀ ଜୟପୁରିଆ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତପସ୍ୱିନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ସ୍ୱାମୀଙ୍କର କିଡନୀ ଦୁର୍ବଳ ଥିବା ସହ ସେ ପଥୁରୀ ରୋଗରେ ପିଡ଼ିତ ଥିବାରୁ ତାଙ୍କର ଚିକିତ୍ସା ପାଇଁ ଡାକ୍ତର ବୁର୍ଲ୍ଲା ରେଫର କରିଥିବା ତପସ୍ୱିନୀ କହିଛନ୍ତି। ହେଲେ ସେମାନେ ଅତି ଗରିବ ହୋଇଥିବାରୁ ବୁର୍ଲା ଯାଇ ଚିକିତ୍ସା କରାଇବା ପାଇଁ ଅର୍ଥ ବାଧକ ସାଜିଛି। ମାସ ମାସ ଧରି ସହାୟତା ପାଇଁ ସେମାନେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଫଳରେ ସହାୟତା ଆଶାରେ ଚାରିଦିନ ହେଲା ସ୍ୱାମୀ ସ୍ତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ି ରହିଛନ୍ତି। ମାତ୍ର ଶେଷ ଖବର ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ପ୍ରତିକାର କରାଯାଇନାହିଁ ।

Leave A Reply

Your email address will not be published.