ନୂଆ ତମତରା ଗ୍ରାମରେ ବିଦ୍ୟୁତ ଜଳିବ ଆସନ୍ତା ମାସରେ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ପଞ୍ଚାୟତର ତାମତରା ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ଯୋଜନାରେ ସରକାର ପ୍ରଥମ ଥର ପାଇଁ ଗତ ୨୦୦୭-୦୮ ଆର୍ଥିକ ବର୍ଷରେ ବିଦ୍ୟୁତ ଯୋଗାଇଥିଲେ । କିନ୍ତୁ ୨୦୧୨-୧୩ ଆର୍ଥିକ ବର୍ଷରେ ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବିଦ୍ୟୁତ ଯୋଗାଣ ବିଛିନ୍ନ ହୋଇଯାଇଥିଲା । ଯାହାଦ୍ୱାରା କି ୨୦୧୨-୧୩ ଆର୍ଥିକ ବର୍ଷରୁ ଗ୍ରାମଟି  ଅନ୍ଧାର ରେ ରହିଥିଲା।

ପରବର୍ତ୍ତୀ ମୁହୁର୍ତ୍ତରେ  ଗ୍ରାମବାସୀଙ୍କର ଅଭିଯୋଗ ମୁତାବକ ପୁଣି ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ ଜାତୀୟ ଥର୍ମାଲ ପାୱାର୍ କର୍ପୋରେସନ ମାଧ୍ୟମରେ ଗ୍ରାମରେ ଟ୍ରାନ୍ସଫର୍ମର ସ୍ଥାପନ , ଏଲ.ଟି ଲାଇନ ସଂଯୋଗ ଏବଂ ୨.୫ କି.ମି. ୧୧ କେ.ଭି. କାମ ସାରିଥିବା ବେଳେ ଅନ୍ୟ ୩ କିଲୋମିଟର ୧୧ କେ.ଭି . କାମ ତିଆରି ଚାଲିଥିଲା । ଏହି ସମୟରେ ସୁପର୍ ସାଇକ୍ଲୋନ ତିତିଲି ଦ୍ୱାରା ପୁଣି ବିଦ୍ୟୁତ ଯୋଗାଣ ବାଧା ଉପୁଜିଥିଲା ।

ବର୍ତ୍ତମାନ ତମତରା ଗ୍ରାମଟି ଗତ ତିତିଲି ବାତ୍ୟାରେ ଅଧିକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ଏବଂ ଆସନ୍ତା ଦିନ ମାନଙ୍କରେ ଏହା ବିପଦ ସଙ୍କୁଳ ଅବସ୍ଥାରେ ଥିବାଯୋଗୁଁ ଗ୍ରାମଟି ଗୋଠେଇ କଲୋନୀ ପାଖକୁ ସ୍ଥାନାନ୍ତରିତ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ।

ବର୍ତ୍ତମାନ ଗ୍ରାମର ୯୭ ଟି ପରିବାର ମଧ୍ୟରୁ ୮୭ ଟି ପରିବାର ପାଇଁ ଘର ତିଆରି କାମ ଗୋଠେଇ କଲୋନୀ ପାଖରେ ଚାଲୁଅଛି ଏବଂ ଗୋଠେଇ କଲୋନୀ ପାଖରେ ସ୍ଥାପିତ ହେବାକୁ ଯାଉଥିବା ନୂଆ ତମତରା ଗ୍ରାମକୁ ବିଦ୍ୟୁତ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଅଛି ।

ସାଉଥକୋର ନିର୍ବାହୀଯନ୍ତ୍ରୀ ଆସନ୍ତା ମାସ ଭିତରେ ନୂଆ ତମତରା ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ତମତରା ଗ୍ରାମରେ ରହିଯାଇଥିବା ୧୦ ଟି ପରିବାର ପାଇଁ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲିଖିତ ପ୍ରେସ ବିବୃତିରେ ଦିଆଯାଇଛି ।

Leave A Reply

Your email address will not be published.