ଦୁବାଇରେ ଫସିଥିବା ୩ ଜଣ ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

0 1

ରଙ୍ଗବଲ୍ଲଭ ଓ ପଞ୍ଚାନନ ଖୁବଶୀଘ୍ର ଫେରିବା ନେଇ ଦୂତାବାସ ପକ୍ଷରୁ ସୂଚନା

ଭୁବନେଶ୍ବର, /ଶାସକ ପ୍ରଶାସକ- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ୩ ଜଣ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଦୁବାଇରେରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଖୁବଶୀଘ୍ର ଭାରତ ଫେରିବା ନେଇ ଦୂତାବାସ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମେଣ୍ଢପୁର ଅଞ୍ଚଳର ଧନେଶ୍ବର ପଣ୍ଡାଙ୍କ ପୁଅ ପଞ୍ଚାନନ ପଣ୍ଡା, କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପୁଅ  ରଙ୍ଗବଲ୍ଲଭ ମଲ୍ଲିକ ଓ ରାଜକନିକା ବ୍ଲକର ଓଳାଭର ଅଞ୍ଚଳର ନୃସିହ ମଲ୍ଲିକଙ୍କ ପୁଅ ଶ୍ରୀତମ ମଲ୍ଲିକ ଦୁବାଇର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କମ୍ପାନୀ କତ୍ତୃପକ୍ଷ ବିନା କାରଣରେ ଦରମା ନଦେଇ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିଲେ। ପଇସା ପତ୍ର ନଥିବାରୁ ସେଠାରେ ସେମାନେ ଖାଦ୍ୟ ପାନୀୟ ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଭାରତ ଫେରି ଆସିବାକୁ ଚାହୁଁଛନ୍ତି।

ଏନେଇ ଶେଷରେ ପରିବାର ଲୋକ ବରିଷ୍ଠ ବିଜେପି ନେତା ଭକ୍ତବନ୍ଧୁ ମିଶ୍ରଙ୍କ ଜରିଆରେ ଶ୍ରୀ ପଣ୍ଡାଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଭାରତ ଫେରାଇ ଆଣିବାକୁ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିଥିଲେ। ରଙ୍ଗବଲ୍ଲଭ ଓ ପଞ୍ଚାନନ ଖୁବଶୀଘ୍ର ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ଜଣାଇଛନ୍ତି। ଏହି ଖବର ପାଇବା ପରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.