ଶିକୁଳୀରେ ବନ୍ଧା ଜୀବନ, ଜଂଗଲରେ କଟୁଛି ଦିନ

0 1

ବରଗଡ :- ପଦ୍ମପୁର ଉପ ଖଣ୍ତ ଝାରବନ୍ଧ ବ୍ଲକ ବିଲାସପୁର ଗ୍ରା.ପ.ଭଣ୍ତାରଜୋରୀ ଗ୍ରାମରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳେ। ଜମି,ବାସଗୃହ ନ ଥିବାରୁ ଏକ ପରିବାର ଭଣ୍ତାରଯୋରୀ ମୌଜାର ସିଦ୍ଧବାବା ଡଂଗର ତଳ ଜଂଗଲରେ ବସ ବାସ କରନ୍ତି।ପରିବାର ସଦସ୍ୟ ମାତ୍ର ୩ଜଣ। ବିଧବା ମା ସେବିକା ମଲ୍ଲିକ, ପୁଅ କିଶୋର (୨୪) ଓ  ଦୁର୍ଗା ପ୍ରସାଦ (୨୩)। ଦୁର୍ଗା ପ୍ରସାଦ ମାନସିକ ବ୍ୟାଧିଗ୍ରସ୍ତ ହୋଇଥିବାରୁ ସବୁ ବେଳେ ହାତ,ଗୋଡ ଶିକୁଳିରେ ବନ୍ଧା ହୋଇଛି। ତାକୁ କିଶୋର  ଜଗି ରହିଛି। ବିଧବା ମା ଅନ୍ୟର ମୂଳ ଲାଗି ଯାହା ଆଣେ ତାହା ଜୀବନ ଜୀବିକାର ସ୍ରୋତ ହୋଇଥାଏ।ବିଭିନ୍ନ ଲୋକଂକ ଠାରୁ କରଜ ଆଣି ଆର୍ଥିକସ୍ଥିତି ଅନୁସାରେ ଦୁର୍ଗାର ଚିକିତ୍ସା କରାଯାଇଛି। କିନ୍ତୁ କିଛି ସଫଳ ହୋଇନାହିଁ। ଅର୍ଥ ଚିକିତ୍ସାରେ ବାଧକ ହୋଇଛି। ସେମାନେ ବସବାସ କରୁଥିବା ଜାଗା ଅତ୍ୟନ୍ତ ବିପଦପୂର୍ଣ୍ଣ ରହିଛି। ମାଟି ଉପରେ ମଶିଣା ପକାଇ ଶୋଉଛନ୍ତି। ବର୍ଷାଜଳ ତାଂକ ଶୋଇବା ଜାଗାକୁ ନ ଆସିବା ପାଇଁ ଚାରି ପାଶ୍ବରେ ମାଟି ହିଡ,ଝାଟି ବାଡ ସହ ମୁଣ୍ତ ଉପରେ ଖଣ୍ତେ ପ୍ଲାଷ୍ଟିକ। ମାଟି ଓଦା ରହି ପାଣି ପଚପଚ କରୁଛି।ସାପ ମୂଷା ଆକ୍ରମଣରୁ ବଂଚିବା ପାଇଁ ସାହୁକାର ଠାରୁ କିଛି ଥିମେଟ କୀଟନାଶକ ଆଣି ବାଡ ଚାରିପଟରେ ବିଞ୍ଚି ଦେଇଛନ୍ତି।

ସିଦ୍ଧବାବା ପାହାଡ ଶୀର୍ଷରେ ସିଦ୍ଧବାବାଂକ ପୂଜା ପ୍ରତି ସୋମବାର,ମଂଗଳବାର ହୁଏ।ଶତାଧିକ ଭକ୍ତଂକ ସମାଗମ ହୁଏ।ପୂର୍ଣ୍ଣମୀ ତିଥିରେ ପାହାଡ ଲୋକାରଣ୍ୟ ହୁଏ।କୌଣସି ବଦାନ୍ୟ ବ୍ୟକ୍ତିର ଏହି ନିରୀହ ପରିବାର ପ୍ରତି ନଜର କଲେ,କିଛି ସହଯୋଗ କରିଥାନ୍ତି।ମାଁ ର ମଜୁରୀ କାମ କିମ୍ବା ଭକ୍ତଂକ ସହଯୋଗ ସମୁଦ୍ରକୁ ଶଂଖେ ପାଣି। ଏହି ପରିବାରର ଦୁଃଖ, ନିଜ ଆଖିର ନ ଦେଖିବା ପର୍ଯ୍ୟନ୍ତ ବିଶ୍ବାସ କରିହେବ ନାହିଁ । ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ ମାନେ ଏହି ବିଷୟ ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳ ବାସୀ ନିବେଦନ କରିଛନ୍ତି।

Leave A Reply

Your email address will not be published.