ସେପ୍ଟେମ୍ବର ଶେଷ ଯାଏ ସ୍ୱର୍ଗ ଦ୍ୱାର ମନା

0

ବାହାର ଜିଲ୍ଲା ଲୋକଙ୍କ ପାଇଁ ବଢ଼ିଲା ସ୍ୱର୍ଗଦ୍ୱାର ଶବ ସତ୍କାର କଟକଣା

ପୁରୀ/ ସ୍ୱତନ୍ତ୍ର ପ୍ରତିନିଧି : ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ଲାଗି ବୃଦ୍ଧି କରାଯାଇଛି। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରୀ କରାଯାଇଛି। ଏଥିସହ ସେପଟେମ୍ବର ଶେଷ ପର୍ଯ୍ୟନ୍ତ ବାହାର ଜିଲ୍ଲାର ଲୋକେ ସ୍ୱର୍ଗଦ୍ବାରରେ ଶବଦାହ କରିବାନେଇ ପୂର୍ବ କଟକଣା ବଳବତର ରହିବ ବୋଲି ଜଣାପଡିଛି ।

ପୁରୀ ଜିଲ୍ଲାର ଲୋକେ ପୂର୍ବପରି ସ୍ବର୍ଗଦ୍ବାରେ ଶବଦାହ କରିପାରିବେ ବୋଲି  ନିର୍ଦ୍ଦେଶନାମା‌ରେ କୁହାଯାଇଛି। ଜିଲ୍ଲା ବାହାରୁ ଯେଉଁ ଆତ୍ମୀୟସ୍ବଜନ ମୃତକଙ୍କୁ ନେଇ ସ୍ବର୍ଗଦ୍ବାର ଆସୁଥିଲେ, ସେମାନଙ୍କୁ ପୂର୍ବ ଭଳି ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବନି। କରୋନା ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି କଠୋର ନିଷ୍ପତ୍ତିକୁ ପୁଣି ସେପ୍ଟେମ୍ବର ଲାଗି ବଳବତ୍ତର ରଖିଛି। ଜୁଲାଇ ୭ ତାରିଖରେ ଏହି କଟକଣା ଜାରି କରି ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ପୂର୍ବରୁ  କହିଥିଲେ।

ସ୍ବର୍ଗଦ୍ବାରରେ କରୋନା କଟକଣା ଭିତରେ ବି ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରିବାକୁ ଜିଲ୍ଲା ପ୍ରଶାସନ ସୁଯୋଗ ଦେଉଥିଲା। କିନ୍ତୁ ଏବେ କରୋନା ଭୂତାଣୁ ଭୟଙ୍କର ଭାବେ ମାଡ଼ି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ପୂର୍ବରୁ କରିଥିବା କଟକଣାକୁ ବଳବତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.