ଶ୍ରୀ ରଘୁନାଥଜିଉଙ୍କୁ ସୁନିଆଁରେ ସୁନା ଥାଳିରେ ଭୋଗ ଅର୍ପଣ 

0

ସ୍ୱର୍ଣ୍ଣ ବେଶ ପରମ୍ପରା ଭଙ୍ଗ ନେଇ ପୁଜକ ପରିଷଦର ଅସନ୍ତୋଷ ପକାଶ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ପାର୍ଶ୍ୱ \ ପରିବର୍ତନ ଏକାଦଶୀ ଯୁକ୍ତ ଦ୍ୱାଦଶୀ ତିଥିରେ ଏକାଦଶୀ, ବାମନ ଜନ୍ମ ତଥା ସୁନିଆଁ ପର୍ବ ଯଥା ରିତି ବିଧିବିଧାନ ପୂର୍ବକ ପାଳିତ ହୋଇଯାଇଛି । ଗଜପତି ମହାରାଜାଙ୍କ ରାଜତ୍ୱ ଅଙ୍କ ବର୍ଷ ଗଣନାର ଏହା ପ୍ରଥମ ଦିବସ ।

ଶ୍ରୀରଘୁନାଥ ଜିଉଙ୍କୁ ଆଜିର ଦିନରେ ସୁନା ଥାଳିରେ ଭୋଗ ଲାଗି କରାଯାଇଥାଏ । ସକାଳ  ନୀତି ସରିବା ପରେ ଶ୍ରୀଜିଉମାନଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ବ୍ୟବସ୍ଥା ରହିଥିଲେ ସୁଧା କୋଭିଡ-୧୯ କଟକଣା କାରଣରୁ ଶ୍ରଦ୍ଧାଳୁମାନେ ଦର୍ଶନରୁ  ବଂଚିତ ହୋଇଥିଲେ । ମଧ୍ୟାହ୍ନ ୧୨ ଟାରେ ସୁନିଆଁ ନୀତି ଆରମ୍ଭ ହୋଇଥିଲା । ଆଜ୍ଞାମାଳ ପାଇ ପାଟପତନୀ ବେଷ୍ଟିତ ବନାରସୀ ଖଟୁଲିରେ ଶ୍ରୀରଘୁନାଥ ଓ ମାତା ସୀତାଙ୍କ ସହିତ ଅନୁଜ ଲକ୍ଷ୍ମଣଙ୍କ ବିଜେ ପ୍ରତିମାଙ୍କୁ ସୁନିଆ ନୀତି ଲାଗି ଜୟ ବିଜୟ ଦ୍ୱାରରେ ପାଟବସ୍ତ୍ର ସଜିତ ଖଟୁଲିରେ ବିଜେ କରାଯାଇଥିଲା । ତିନୋଟି ସୁବର୍ଣ୍ଣ ଥାଳିରେ ତିନିବାଡ କାକରା ବଢାଯାଇ ନୀତିକାନ୍ତି ଅନୁସାରେ ଷୋଡଶ ଉପଚାରରେ ପୂଜାବିଧି  ସମ୍ପନ୍ନ  କରି ନୈବେଦ୍ୟ ଅର୍ପଣ କରାଯାଇଥିଲା । ଏହି ସମୟରେ ଘଂଟ ଘଂଟା, ବିଜେ କାହାଳୀ, ଛତି, ତ୍ରାସ ଓ ପତାକା ସେବା  ସହିତ ହରିବୋଲ ଧ୍ୱନି ଭିତରେ । ବନ୍ଦାପନା-ଆଳତୀ ସହ ପରଂପରା ଅନୁଯାୟୀ ଉପସ୍ଥିତ ମନ୍ଦିରର ସମସ୍ତ କର୍ମକର୍ତା ପୂଜାପଣ୍ଡା, ସୁଆର, ସେବାସୀ ଠାକୁରଙ୍କୁ ସୁନିଆ ଭେଟି ପ୍ରଦାନ କରିଥିଲେ । ପରେ ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ବିଜେ ହୋଇଥିଲେ ।

ଚଳିତ ବର୍ଷ ସୁନା ମକୁଟ ଓ ସ୍ୱର୍ଣ୍ଣ ଅଳଙ୍କାରରେ  ଶ୍ରୀଜିଉମାନଙ୍କ ବେଶ କରାଯାଇନଥିବାରୁ ପରମ୍ପରା ଭଙ୍ଗ ହୋଇଥିବା ନେଇ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଆଗାମୀ ଦଶହରା ଏବଂ ପଂଚୁକ ସମୟରେ ଏଥିପ୍ରତି ଧ୍ୟାନ ଦେବା ପାଇଁ  ଦେବୋତର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଆଜିର ପାଳିଆ ପଣ୍ଡା ପ୍ରଦୀପ କୁମାର ବାହିନୀପତି  ତଥା ପୂଜକ ପରିଷଦ ସମସ୍ତ କର୍ମକର୍ତ୍ତା  ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ ନୀତି ସୁଚାରୁରୁପେ ସମ୍ପାଦନ କରାଯାଇଥିଲା ।  

   

 

Leave A Reply

Your email address will not be published.