ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବଡଯୋର ବ୍ରିଜ ପାଖରେ ଥିବା ଏକ ଫାର୍ମ ହାଉସ ଭିତରେ ଜଳ ବନ୍ଦୀ ଅବସ୍ଥାରେ ଫସି ରହିଥିବା ଚାରି ଛୋଟ ପିଲା ସହ ଚଉଦ ଜଣକୁ ପଦ୍ମପୁର ଅଗ୍ନିଶମ ବିଭାଗ ବେଲୁନ ବୋଟ ସାହାର୍ଯ୍ୟରେ ଏବଂ ସୋହେଲା ତହସିଲଦାର ମାନସ ରଂଜନ ସ୍ୱାଇଁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଉଦ୍ଧାର କରାଯାଇଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାନୂସାରେ ବଡଯୋର ପାଖରେ ଥିବା ଏକ ଫାର୍ମରେ ଫାର୍ମ ମାଲିକଙ୍କ ସହ କିଛି ଶ୍ରମିକ ତାଙ୍କ ପରିବାର ରଖି କାମ କରନ୍ତି । ଆଜି ପ୍ରବଳ ବର୍ଷା ଯୋଗୁଁ ବଡ ଯୋରରେ ପ୍ରବଳ ମାତ୍ରାରେ ପାଣି ମାଡି ଆସି ଉଭୟ ପାର୍ଶରେ ଜମି ସବୁ ମାଡି ଯାଇଥିଲା । ଏପରିକି ଯୋରକୁ ଲାଗିଥିବା ଫାର୍ମ ଉପରେ ତିନି ଫୁଟର ପାଣି ଜମି ଯାଇଥିଲା । ଫାର୍ମରେ ଥିବା ସମସ୍ତ ଶ୍ରମିକ ସେଠାରୁ ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ବାଟ ପାଇ ନ ଥିଲେ । ଯଦ୍ୱାରା ନିଜର ଜୀବନ ରକ୍ଷା ପାଇଁ ସୋହେଲା ତହସିଲ ପ୍ରଶାସନକୁ ଯୋଗଯୋଗ କରିଥିଲେ । ତହସିଲଦାର ମାନସ ରଂଜନ ସ୍ୱାଇଁ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି ପଦ୍ମପୁର ଦମକଳ ବାହୀନିକୁ ଡକାଇଥିଲେ । ଦମକଳ ବାହିନୀ ବେଲୁନ ବୋଟ ସାହାର୍ଯ୍ୟରେ ପାଣିର ପ୍ରବଳ ସ୍ରୋତକୁ ପାରି କରି ଫାର୍ମ ହାଉସରେ ଥିବା ଜଳ ବନ୍ଦୀଙ୍କ ପାଖରେ ପହଂଚି ଭୟଭିତ ନ ହେବା ପାଇଁ ଆଶ୍ୱାସନା ଦେବାସହ ଚରୋଟି ଛୋଟ ପିଳା, ଛଅ ଜଣ ମହିଳା ଓ ଚାରି ଜଣ ପୁରୁଷ ଲୋକଙ୍କୁ ବୋଟ ସାହାର୍ଯ୍ୟରେ ଆର ପାରିକୁ ଆଣି ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଂଚାଇଥିଲେ । ଘଟଣା ସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ସୋହେଲା ବିଡିଓ ବିଶ୍ୱ ରଂଜନ କର, ଥାନାଧିକାରୀ ନିର୍ମଳ ଚନ୍ଦ୍ର ମହାପାତ୍ର, ଦମକଳ ବାହିନୀ ଇନଚାର୍ଯ୍ୟ ବେଦବ୍ୟାସ ପିଂଜ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.