ରେଳ ବିଭାଗର ନଛୋଡ଼ବନ୍ଧା ରୂପ, ହନ୍ତସନ୍ତ ବ୍ରଜରାଜନଗର ନିବାସୀ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗର ସହର ମଧ୍ୟ ଦେଇ ଯାଇଥିବା ଏକମାତ୍ର ରାଜପଥ ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହୋଇ ପଡ଼ୁଛି। ଲୋକଙ୍କ ଜୀବନରେଖା ସଦୃଶ ଏହି ରାସ୍ତାଟି ପ୍ରତ୍ୟେକ ବର୍ଷ ଦୁଇଥର ଆବଶ୍ୟକ କରେ ମରାମତି। ରାସ୍ତାର ବାମପାର୍ଶ୍ବରେ ରେଳବାଇ ଅଧୀନରେ ଥିବା ଜମି ଅବ୍ୟବହୃତ ହୋଇ କାହିଁ କେଉଁ କାଳରୁ ପଡ଼ି ରହିଛି। ଡାହାଣ ପାର୍ଶ୍ବରେ ଥିବା ଜମି ନାଳର ରୂପ ନେଇ ସମସ୍ତ ପାଣିକୁ ରାସ୍ତା ଉପରେ ଛାଡ଼ିବାରୁ ରାସ୍ତାଟି ଯିବା ଆସିବା ପାଇଁ ଅନୁପଯୁକ୍ତ ହୋଇପଡ଼େ। ଫଳରେ ମ୍ୟୁନିସିପାଲିଟିକୁ ପ୍ରତ୍ୟେକ ବର୍ଷ ଦୁଇଥର ଏହି ରାସ୍ତାକୁ ମରାମତି କରିବାକୁ ପଡ଼େ। ଏହା ମ୍ୟୁନିସିପାଲିଟିକୁ ଅଯଥା ଖର୍ଚ୍ଚାନ୍ତ କରାଏ। 

ସୂଚନାନୁସାରେ, ଗତ ଅନେକ ବର୍ଷ ହେଲାଣି, ରେଳବାଇ ଅଧିକୃତ ଜମିରେ ଏକ ଡ୍ରେନ କରାଇବାକୁ ବାରମ୍ବାର ରେଳବାଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛନ୍ତି ଜନତା ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ। କିନ୍ତୁ ରେଳବାଇ      ଡିଆରଏମ ଏଥିପାଇଁ ରାଜି ହେଉ ନାହାଁନ୍ତି। ଲୋକଙ୍କ କହିବା କଥା ହେଲା ଲୋକଙ୍କ ସୁବିଧା ପାଇଁ ରେଳବାଇ ନିଜେ ସେଠାରେ ଡ୍ରେନ କାର୍ଯ୍ୟ କରୁ ଅଥବା ମ୍ୟୁନିସିପାଲିଟିକୁ ଅନୁମତି ଦେଲେ ମ୍ୟୁନିସିପାଲିଟି ନିଜ ଖର୍ଚ୍ଚରେ ଏହାକୁ ତିଆରି କରିପାରନ୍ତା। ଯଦିବା ମ୍ୟୁନିସିପାଲିଟି ଏଥିପାଇଁ ରାଜି,ମାତ୍ର ରେଳବାଇ ନଛୋଡ଼ବନ୍ଧା। ଏଥିପାଇଁ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ଏହି ରାସ୍ତାଟିର ଅବସ୍ଥା ଶୋଚନୀୟ ବୋଲି ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟେଲ କହନ୍ତି। ଲୋକଙ୍କ ସୁବିଧା ପାଇଁ ରେଳବାଇର ସହଯୋଗ ନିତାନ୍ତ ଜରୁରୀ ବୋଲି ସେ କହନ୍ତି। 

ଡିଆରଏମଙ୍କୁ ଏ ନେଇ ସଂପର୍କ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଆସନ୍ତା ସମୟରେ ଏହି ଦାବୀକୁ ଲୋକପ୍ରତିନିଧିମାନ ଜରିଆରେ ରାଜ୍ୟ ସରକାର ଓ ରେଳବାଇ ନିକଟରେ ରଖାଯିବ ବୋଲି ବ୍ରଜରାଜନଗରବାସୀ କହିଛନ୍ତି।

ଏହି ସମସ୍ୟା ନେଇ ସାଂସଦ ସୁରେଶ ପୂଜାରୀଙ୍କୁ ଲୋକେ ଜଣାଇଥିବାରୁ ସେ ଡିଆରଏମ ଓ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ ଚେଷ୍ଟା କରିବେ ବୋଲି ଜଣାଇଛନ୍ତି।

Leave A Reply

Your email address will not be published.