କୋରୋନା ଯୋଦ୍ଧାକୁ  ସମ୍ବର୍ଦ୍ଧନା : କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି କରାଗଲା ସମ୍ମାନିତ

0

ଝାରସୁଗୁଡ଼ା :(ସୁଭାଷ ସହାରେ) /କୋରୋନା ମହାମାରୀ ସମୟରେ ଯେତେବେଳେ ସାରା ଦେଶର ଅଧିକାଂଶ ଲୋକ ନିଜକୁ ଗୃହ ମଧ୍ୟରେ ଆବଦ୍ଧ କରି ରଖିଥିଲେ, ସେହି ସମୟରେ କିଛି ଏପରି ଲୋକଙ୍କୁ ଦେଖିବାକୁ ମିଳିଛି, ଯେଉଁମାନେ ବିନା କୌଣସି ସ୍ବାର୍ଥରେ ଓ ନିର୍ଭିକ ଭାବରେ ଲୋକଙ୍କ ସମସ୍ୟା ସମୟରେ ଜୀବନକୁ ପାଣି ଛଡ଼ାଇ ଲୋକଙ୍କ ସହ ଛିଡ଼ା ହୋଇଥିଲେ। ନିଜ କ୍ଷମତାନୁସାରେ ବା ସମୟ ସମୟରେ କ୍ଷମତା ବାହାରେ ମଧ୍ୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ଏହିପରି ଅନେକଙ୍କ କାହାଣୀ  କୌଣସି ଟେଲିଭିଜନ ଚ୍ୟାନେଲ ବା ଖବର କାଗଜ ସଂପ୍ରସାରଣ କରିନାହାଁନ୍ତି। ମାତ୍ର ଅନେକ ସ୍ଥାନରେ ଆଜି ଏହିପରି ଅନାମଧ୍ୟେୟ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା। ଝାରସୁଗୁଡ଼ା ବ୍ଲକର ହ. କଟାପାଲି ଗ୍ରାମପଞ୍ଚାୟତର ଏହିପରି ତିନିଜଣ ସମାଜସେବୀଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ କୋଭିଡ ଯୋଦ୍ଧା ଭାବରେ ଅବିହିତ କରି ସମ୍ମାନିତ କରାଯାଇଛି। 

ହ. କଟାପାଲିର ବାସିନ୍ଦା ରାହାସ ବିହାରୀ ନାୟକ, ଝାରସୁଗୁଡ଼ା  ଫଟୋଗ୍ରାଫର ଏସୋସିଏସନର ସମ୍ପାଦକ। ଏହି ମହାମାରୀ ସମୟରେ ସେ ପଞ୍ଚାୟତର କ୍ବାରେନ୍ଟାଇନ୍ କେନ୍ଦ୍ରରେ ଶହ ଶହ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ପ୍ରବାସୀମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧା ପାଇଁ ସେ ସ୍ବେଚ୍ଛାକୃତ ଭାବରେ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରିଥିଲେ। ନିଜ ହାତରୁ ଖର୍ଚ୍ଚ କରି ମଧ୍ୟ ସେ ଅନେକଙ୍କ ପେଟ ପୂରାଇଛନ୍ତି। ଏବେ ମଧ୍ୟ ତାଙ୍କ ସେବା କାର୍ଯ୍ୟ ବ୍ୟାହତ ହୋଇନାହିଁ । ସେହିପରି  ଏହି ପଞ୍ଚାୟତର ଲହଣ୍ଡାବୁଡ଼ ଗ୍ରାମର ପିଣ୍ଟୁ ପଟେଲ ମଧ୍ୟ ନିଜକୁ ଗୃହ ଭିତରେ ଆବଦ୍ଧ ନ କରି ଲୋକଙ୍କ ସେବାରେ ଲାଗି ରହିଛନ୍ତି। ସେହିପରି କାର୍ତ୍ତିକେଳା ଗ୍ରାମର ବୋଧରାମ ମହାପାତ୍ର ମହାମାରୀ ସମୟରେ କୋଭିଡ ସେବା ଉଦ୍ଦେଶ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଥିବା ନିଜର ୧୩ ଡିସିମିଲ ଜମି ସରକାରଙ୍କୁ ଦାନ କରିବା ସହ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ଦିନରାତି ଲାଗିଛନ୍ତି। ଏମାନଙ୍କୁ କୋରୋନା ଯୋଦ୍ଧା ଭାବରେ ସମ୍ମାନ ଜଣାବା ପାଇଁ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ବିଡିଓ ପ୍ରସନ୍ନ କୁମାର ପାଣ୍ଡେ, ଏବିଡିଓ ଭଜମନ କିଶାନ, ଏଇ ପ୍ରଶାନ୍ତ କାନୁନଗୋ, ବି ଏସ ଓ ମିଥାଲି ରଣା,ଏକାଉଣ୍ଟ ଅଫିସର ସତ୍ୟବ୍ରତ ପାତ୍ର ତଥା ଝାରସୁଗୁଡ଼ା ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.