କଟକଣା ବନାମ ପେଟପାଟଣା: ଷ୍ଟେସନ ବଜାର ହାଟରେ ଦୋକାନ ଖୋଲା

0

ପ୍ରଶାସନର ଚଢ଼ଉ ପରେ ଉତ୍ତେଜନା, କେମିତି ଚଳିବୁ ଜବାବ୍ ମାଗିଲେ ବ୍ୟବସାୟୀ

ବାରିପଦା(ଦିଲ୍ଲୀପ ମହାନ୍ତି): ଦିନେ କୋଳାହୋଳପୂର୍ଣ୍ଣ ହେଉଥିବା ମୟୂରଭଞ୍ଜ ଜିଲ୍ଲାର ହାଟ ଏବେ ଶୂନଶାନ। କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜିଲ୍ଲାପ୍ରଶାସନ ଚଳିତ ମାସ  ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସ୍ଥାନୀୟ ଷ୍ଟେସନ ବଜାର ପଡ଼ିଆରେ ହେଉଥିବା ହାଟରେ ଆଜି କିଛି ଦୋକାନ ଖୋଲାଥିଲା। ଏଠାରେ ବ୍ୟବସାୟ କରୁଥିବା ଦୋକାନଗୁଡ଼ିକୁ ବନ୍ଦ କରିବାକୁ ସ୍ଥାନୀୟ ପ୍ରଶାସନ ଚଢ଼ଉ କରିଥିଲା। ତେବେ ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୋକାନ ବନ୍ଦ କଲେ ସେମାନଙ୍କର ପରିବାର କିପରି ଚଳିବ, ଏହିପରି ଅନେକ ପ୍ରଶ୍ନ ପଚାରି ବ୍ୟବସାୟୀଙ୍କୁ ବନ୍ଦ କରିବାକୁ କହିବାକୁ ଆସିଥିବା ପୌରକର୍ମଚାରୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ୍ ଥାନା ପୁଲିସ୍ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଏହାପରେ ପ୍ରଶାସନ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ ଜୀବିକା ଅପେକ୍ଷା ଜୀବନ ଉପରେ ଗୁରୁତ୍ବଦେବାକୁ ପ୍ରଶାସନ ବ୍ୟବସାୟୀଙ୍କୁ ବୁଝାଇଥିଲା। ମାତ୍ର ପେଟପାଟଣା ଏବଂ କଟକଣା ମଧ୍ୟରେ ହେଉଥିବା ଲଢ଼େଇ ମଧ୍ୟରେ ମଧ୍ୟବିତ୍ତ ଶ୍ରେଣୀର ଲୋକେଯେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ତାହା ଆଜି ପୁଣିଥରେ ସ୍ପଷ୍ଟ ହୋଇଛି। ବ୍ୟବସାୟୀମାନେ ସେମାନଙ୍କର ଜୀବିକାଅର୍ଜନ ପାଇଁ ବିକଳ୍ପ ସ୍ଥାନ ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ। ସୀମିତ ସଂଖ୍ୟକ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି ହୋଇଛି। 

Leave A Reply

Your email address will not be published.