ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର – ମୁଖ୍ୟମନ୍ତ୍ରୀ

0

ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର( ଶାସକ ପ୍ରଶାସକ) : ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି । ୨୦୧୯ ଅକ୍ଟୋବରରେ ଗଞ୍ଜାମ ଭଂଜନଗରର ଜଣେ ଯୁବକ ‘ସୁରଜ’ ଗୁଜୁରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତ (ବ୍ରେନ ଡେଡ଼)  ଅବସ୍ଥାରେ ଥିଲେ । ତାଙ୍କ ପିତାମାତାଙ୍କ ସାହସିକ ନିଷ୍ପତ୍ତି ଫଳରେ ‘ସୁରଜ’ଙ୍କର ବୃକକ୍ , ଲିଭର, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢାଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇ ପାରିଥିଲା । ସୁରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜ ସମ୍ମାନ ପୁରସ୍କାର ଘୋଷଣା କରିଥିଲେ ।

‘ସୁରଜ’ଙ୍କ ପରେ ଦିଗପହଣ୍ଡିର ପି. ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଓ ପୁରୀ ଡେ଼ଲାଙ୍ଗର ରାଜଲକ୍ଷ୍ମୀ ଦାସଙ୍କ ପରିବାର ମଧ୍ୟ ଉପରୋକ୍ତ ବ୍ୟକ୍ତିମାନଙ୍କ ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ । ଯାହାଫଳରେ ଅନ୍ୟମାନଙ୍କ ଜୀବନ ବଞ୍ଚାଯାଇ ପାରିଥିଲା ।

ସେମାନଙ୍କ ଏହି ତ୍ୟାଗକୁ ସମ୍ମାନ ଜଣାଇ ଆଜି ଭର୍ଚ୍ୟୁଆଲ ଜରିଆରେ ସେମାନଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା ଏବଂ ସେମାନଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁରଜଙ୍କ ପରିବାରର ସାହସିକ ନିଷ୍ପତ୍ତି ଓ ମଣିଷ ପଣିଆର ଉଚ୍ଚପ୍ରଶଂସା କରିବା ସହିତ ସେମାନଙ୍କ ତ୍ୟାଗ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ

ପ୍ରେରଣା ସୃଷ୍ଟି କରିଛି ବୋଲି କହିଥିଲେ । ସୂର୍ଯ୍ୟ ପରି ସେ ଆଜି ମଧ୍ୟ ଅନ୍ୟମାନଙ୍କ ଜୀବନକୁ ଓ ଜଗତକୁ ଆଲୋକିତ କରି ଚାଲି ଛନ୍ତି । ସୂରଜଙ୍କ ପରିବାର ପରେ ଅନେକ ମସ୍ତିଷ୍କ ମୃତ୍ୟୁ ଘଟିଥିବା ବ୍ୟକ୍ତିମାନଙ୍କ ପରିବାର ମଧ୍ୟ ଏଥିପାଇଁ ଆଗେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହି ସାଧୁ ପଦକ୍ଷେପ ରୋଗୀମାନଙ୍କ ପାଇଁ ବଂଚିବାର  ନୁଆ ଆଶାର କିରଣ ସୃଷ୍ଟିକରିଛି ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆଜି ମଧ୍ୟ ମଣିଷପଣିଆ ବଂଚିଛି  । ଅନ୍ୟର ଜୀବନ ବଞ୍ଚାଇବାଠାରୁ ଅଧିକ ପୁଣ୍ୟ କିଛି ନାହିଁ । ଅଙ୍ଗଦାନ କରିଥିବା ବ୍ୟକ୍ତିମାନେ ମରି ମଧ୍ୟ ଅମର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ଭିଡ଼ିଓ କନ୍ଫରେନସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ପୁର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ  ପଦାଧିକାରୀମାନେ ଉପସ୍ଥିତ ଥିଲେ ।

  

Leave A Reply

Your email address will not be published.