ଓଡିଶାର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁଲଭ୍ୟ ହେବ – ମୁଖ୍ୟମନ୍ତ୍ରୀ

0
  • ବୁର୍ଲା ଓ ବ୍ରହ୍ମପୁରରେ ଉଦ୍ଘାଟିତ ହେଲା ଦୁଇଟି ପ୍ଲାଜମା ବ୍ୟାଙ୍କ

  •  ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ : ୧୫ ଦିନରେ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ବର(ଶାସକ ପ୍ରଶାସକ) : ପୂର୍ବରୁ ରାଜ୍ୟରେ କଟକ, ଭୁବନେଶ୍ୱର ଓ ରାଉରକେଲା ଠାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ଲାଜମା ଥେରାପି ଏବେ ଗୁରୁତର ରୋଗୀମାନଙ୍କ ଜୀବନ ରକ୍ଷା ପାଇଁ ସହାୟକ ପ୍ରମାଣିତ ହୋଇଛି | ଏଯାବତ  ୬୦ଜଣ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି  ଚିକିତ୍ସା କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବାପେକ୍ଷା ଉନ୍ନତ ଅଛି  ।ଏହାଦ୍ବାରା ରାଜ୍ୟର ସମସ୍ତ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧାରେ ହୋଇପାରିବ । କୋଭିଡ ଯୁଦ୍ଧର ମୁଖ୍ୟ ମିଶନ ହେଉଛି ଲୋକଙ୍କ ଜୀବନର ସୁରକ୍ଷା। ଏ କ୍ଷେତ୍ରରେ ପ୍ଲାଜମା ଥେରାପି ବହୁତ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍‌ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ।  ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ  ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ   ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ।

      ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର SCB, ଭୁବନେଶ୍ବରର କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲାର IGH ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି । ଆଜିର ଦୁଇଟି ପ୍ଲାଜମା ବ୍ୟାଙ୍କ ସହିତ ରାଜ୍ୟର ସମୁଦାୟ ୫ଟି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠିତ ହେଲା ।   

ବ୍ରହ୍ମପୁରର MKCG Medical Collegeରେ ଉପସ୍ଥିତ ଜଂଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଏହି ପ୍ଲାଜମା ବ୍ୟାଙ୍କ ଦ୍ବାରା ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ଏଣିକି ଆହୁରି ସୁବିଧାଜନକ ହେବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟରେ କୋଭିଡ ଯୁଦ୍ଧକୁ ପ୍ରଭାବଶାଳୀ କରାଯାଇଛି। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ସବୁପ୍ରକାର ଉପଲବ୍‌ଧ ପ୍ରଦ୍ଧତିକୁ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୦୦ ଜଣ ପ୍ଲାଜମା ଦାନ ପାଇଁ ଆଗେଇ ଆସିଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ବୁର୍ଲାର ଭିମସାର ଠାରେ ଉପସ୍ଥିତ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ କହିଥିଲେ ଯେ ପ୍ଲାଜମା ବ୍ୟାଙ୍କ ପାଇଁ ଆଜି ପଶ୍ଚିମ ଓଡିଶାର ଲୋକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିଛି।   କୋଭିଡ ରୋଗରେ ଲୋକଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସେବା ଯୋଗାଉଥିବା ଲୋକମାନଙ୍କୁ ଭଗବାନ ଆଶୀର୍ବାଦ କରିବେ ଏବଂ କରୋନା ଯୁଦ୍ଧରେ ଚାଲିଥିବା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଉଦ୍ୟମ ନିଶ୍ଚୟ ସଫଳ ହେବ ବୋଲି ସେ କହିଥିଲେ। 

ଏହି ଅବସରରେ ବ୍ରହ୍ମପୁରର MKCGର ପ୍ରଥମ ପ୍ଲାଜମାଦାତା ଡଃ ଶୁଭ୍ରାଂଶୁ ମୋହନ ସାହୁ ଏବଂ ବୁର୍ଲା ଭିମସାରର ପ୍ରଥମ ପ୍ଲାଜମାଦାତା ଶ୍ରୀ ରବୀନ୍ଦ୍ର ସାହୁ ସେମାନଙ୍କର ଅନୁଭୂତି ବର୍ଣ୍ଣନା କରିବା ସହିତ ଅନ୍ୟ କୋଭିଡମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଭିମସାର୍‌ର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

      ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି), ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ସଚିବ   ଯୋଗ ଦେଇଥିଲେ।

Leave A Reply

Your email address will not be published.