ବନ ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦଳିତ ଆଦିବାସୀ ମହାସଂଘ ସଭାପତି

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ କେତେକ ଅସାଧୁ ପଦାଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଆଜି ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିନ୍ଦିତ ହେବାକୁ ପଡ଼ିଛି । ବିଭିନ୍ନ ସମୟରେ ଦୁର୍ନୀତି ନିବାରଣ ବିଭାଗ ବସାଇଥିବା ଜାଲରେ ଦୁର୍ନୀତିଖୋର ଅଧିକାରୀ ଓ ପଦାଧିକାରୀ ଛନ୍ଦି ହୋଇ ଜେଲ ଯାଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଦର୍ନୀତିଖୋରମାନଙ୍କ ଉପରେ ପକାଇପାରି ନାହିଁ । ବର୍ତ୍ତମାନ ଜିଲ୍ଲାରେ ବାରିପଦା ପିଏ ଆଇଟିଡ଼ିଏ କାର୍ଯ୍ୟାଳୟର ଜେଇ ଓ ବେତନଟୀ ତହସିଲଦାରଙ୍କୁ ନେଇ ଝଡ଼ ଉଠିଥିବା ସମୟରେ ମୟୂରଭଞ୍ଜ ଦଳିତ ଆଦିବାସୀ ମହାସଂଘ ସଭାପତି ତଥା ସମାଜସେବୀ ରାକେଶ ସିଂ ବନ ବିଭାଗର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହାକୁ ନେଇ ବିଭାଗୀୟ ସଚିବଙ୍କୁ ପତ୍ର ଲେଖିଛନ୍ତି । 

           ମୟୂରଭଞ୍ଜ  ଦଳିତ ଆଦିବାସୀ ସଂଘର ସଭାପତି ତଥା ସମାଜସେବୀ ରାକେଶ ସିଂଙ୍କ କହିବା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ୨୦୧୯ ଅକ୍ଟୋବରରେ ୨୨ ଜଣଙ୍କୁ ପ୍ରୋଜେକ୍ଟ ଏସିଷ୍ଟାଣ୍ଟ(ପିଏ) ପଦବୀରେ ନୂଆ ନିଯୁକ୍ତି ଦିଆ ଯିବା ପରେ ଜୁନ ୨୦୨୦ରେ ସେହି  ପ୍ରୋଜେକ୍ଟ ଏସିଷ୍ଟାଣ୍ଟ(ପିଏ) ପଦବୀରେ ଦୀର୍ଘ ୭ରୁ ୧୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିବା ୨୭ ଜଣ କର୍ମଚାରୀଙ୍କୁ ବିନା ନୋଟିସରେ ମୌଖୀକରେ ଚାକିରୀରୁ ବରଖାସ୍ତ କରାଗଲା । ଯଦି କର୍ମଚାରୀ ଛଟେଇ କରାବାର ଥିଲା, ତେବେ ନୂତନ ପୋଷ୍ଟିଂ କାହିଁକି କରାଗଲା ଏବଂ ନୂଆଙ୍କୁ ଛଟେଇ କରାନଯାଇ ପୁରୁଣାମାନଙ୍କୁ ଛଟେଇ କରାଗଲା କେଉଁ ଆଇନ ବଳରେ । ପୁଣି, ଶିମିଳିପାଳର ବିଭିନ୍ନ ଅଞ୍ଚଳ ଓ ଭୌଗୋଳିକ ଅବସ୍ଥିତି ଆଦି ସହ ପରିଚିତ ଥିବା ବ୍ୟକ୍ତି ବିଶେଷଙ୍କୁ ଅଗ୍ରାଧିକାର ଭିତ୍ତିରେ ଏହି ପଦବୀ ନିମନ୍ତେ ଚୟନ କରାଯିବାର ନିୟମ ଥିବା ବେଳେ ଡ଼ୁକୁରା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଏଦିଗ ପ୍ରତି ଅଣଦେଖା ପ୍ରଦର୍ଶନ କରାଯାଇଛି । ରେଞ୍ଜ  ତେଣୁ  ଏହି ପ୍ରକାରର ନୂତନ ନିଯୁ୍କ୍ତି ଏବଂ ଛଟେଇର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୁଣି ସମଗ୍ର ପୃଥିବୀ ବିଶ୍ୱ ମହାମାରୀ କରୋନା ସହିତ ସଂଗ୍ରାମ ଚଳାଇ ଆସୁଥିବା ସମୟରେକେନ୍ଦ୍ର ଓ ଓଡ଼ିଶା ସରକାର ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଛଟେଇ କରାଯିବା ଉପରେ କଟକଣା ଲାଗାଇବା ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିୟମିତ ଭାବେ ଦରମା ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଉଥିବା ସମୟରେ ଖୁଦ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବନ ବିଭାଗ କାର୍ଯ୍ୟାଳୟରେ କର୍ମଚାରୀ ଛଟେଇ ଭଳି ଅମାନୁଷିକ କାର୍ଯ୍ୟକଳାପର ପ୍ରଚ୍ଛଦପଟ୍ଟରେ କେଉଁ ରହସ୍ୟ ବା ଉଦେ୍ଧଶ୍ୟ ଜଡ଼ିତ ରହିଛି । ସେହିପରି ବନ ବିଭାଗରେ କାର୍ଯ୍ୟରତ ଅଧିକାରୀମାନେ ପ୍ରିୟାପ୍ରତି ତୋଷଣ ନୀତିରେ ଅନ୍ଧ ହୋଇ ଉପରିସ୍ଥ ପଦାଧିକାରୀଙ୍କୁ ଅଣଦେଖା ପ୍ରଦର୍ଶନ ପୂର୍ବକ ବିନା ଅଭିଜ୍ଞତାରେ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯାଉଥିବା ସମୟରେ କୌଣସି କାରଣ ନ ଥାଇ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା କାର୍ଯ୍ୟରତ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କାରର ଆଇନଗତ ବୈଧତାକୁ ଅବମାନନା ଦିଗକୁ ଅଙ୍ଗୁଳି ନିଦେ୍ର୍ଧଶ କରାଉଛି । 

                ଡ଼ୁକୁରା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ମୌଖୀକ ଭାବେ ୨୭ ଜଣ ପିଏ ଛଟେଇ ହେବା ପରେ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରିବା ସହ ନ୍ୟାୟ ପ୍ରଦାନ ଦାବିରେ କିଛି ଦିନ ପୂର୍ବେ ବାରିପଦା ଭଞ୍ଜପୁରସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିଦେ୍ର୍ଧଶକ ଯଜ୍ଞଦତ୍ତ ପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ସମୟରେ ମୟୂରଭଞ୍ଜ ଦଳିତ ଆଦିବାସୀ ମହାସଂଘ ପ୍ରୋଜେକ୍ଟ ଏସିଷ୍ଟାଣ୍ଟ(ପିଏ)ମାନଙ୍କ ଆନେ୍ଦାଳନକୁ ସମର୍ଥନ ଜଣାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନୂତନ ଭାବେ ନିଯୁକ୍ତି ପାଇଥିବା ୨୨ ଜଣ ପିଏଙ୍କୁ ନେଇ । ନିଯୁକ୍ତିରେ ଅନିୟମିତତା ହୋଇଥିବାର ଅଭିଯୋଗ ଆଣିଛନ୍ତି ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ । ଶ୍ରୀସିଂଙ୍କ କହିବା ଅନୁସାରେ ନୂଆ ନିଯୁକ୍ତି ପାଇଥିବା ପିଏମାନଙ୍କ ମଧ୍ୟରୁ ୨ ଜଣ ଡ଼ୁକୁରା ବନ୍ୟ ପ୍ରାଣୀ ରେଞ୍ଜ ଅଧୀନ ଡେଙ୍ଗାମ ସେକ୍ସନରେ ଗୋଟାଏ ମିନିଟ କାର୍ଯ୍ୟରେ ଯୋଗ ଦେଇ ନ ଥିବା ସମୟରେ ସେହି ଦୁଇ ଜଣଙ୍କ ନାମରେ ଗତ ଏପ୍ରିଲ ଓ ମେ ମାସର ଦରମା ଉଠାଯାଇଛି । ତେଣୁ ବିନା କାର୍ଯ୍ୟରେ ଦରମା ଉଠାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଡ଼ୁକୁରା ବନ୍ୟ ପ୍ରାଣୀ ରେଞ୍ଜ କାର୍ଯ୍ୟାଳୟରେ ଏହି ପ୍ରକାରର ଅନିୟମିତତା ଓ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବନ ବିଭାଗ ସଚିବ ମୋନା ଶର୍ମାଙ୍କୁ ପତ୍ର ଲେଖିବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ଅଭିଯୋଗ କରିଥିବା ସମୟରେ ପୁରା ଘଟଣା କ୍ରମକୁ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି ।

 

 

Leave A Reply

Your email address will not be published.