ବେଦାନ୍ତ ପାଉଁଶ : ଉଜାଡୁଛି ଝାରସୁଗୁଡ଼ାର ପରିବେଶ

0

ବେଦାନ୍ତର ଆଇନକୁ ଖୋଲାଖୋଲି ଉଲଂଘନ : ପରିବେଶବିତ୍ ସତ୍ୟନାରାୟଣ ରାଓଙ୍କ ଅଭିଯୋଗ କ୍ରମେ ତଦନ୍ତ ନିର୍ଦ୍ଦେଶ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଦୀର୍ଘ ଦଶବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାର ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ଶ୍ରୀ ସତ୍ୟନାରାୟଣ ରାଓ ପରିବେଶ ସୁରକ୍ଷା ନିମନ୍ତେ ଲଢ଼ି ଆସୁଛନ୍ତି। ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଦ୍ଵାରା ନିର୍ଗତ ହେଉଥିବା ପାଉଁଶର ବ୍ୟବସ୍ଥାରେ ଚରମ ଅବହେଳାର ଅଭିଯୋଗ ଆଣିଛନ୍ତି ଶ୍ରୀ ରାଓ। ଦୈନିକ ପ୍ରାୟ ୨୩ ହଜାର ଟନ ପାଉଁଶ ନିଷ୍କାସିତ କରୁଥିବା ଏହି କମ୍ପାନୀକୁ ଡମ୍ପିଂ ପାଇଁ ଜିଲ୍ଲାପାଳ ଅଫିସର ପଛପଟେ ଥିବା ୱାର୍ଡ଼ ନମ୍ବର ୯ ପଞ୍ଚପଡ଼ାର ଖାତା ନମ୍ବର ୮୭୬ର ପ୍ଲଟ ନମ୍ବର ୨୪୦୮ ର ୫୧଼.୮୭ ଏକର ଜମିରେ ୧୪ ଲକ୍ଷ ଟନ୍ ପାଉଁଶ ପକାଇବାର ଅନୁମତି ଥିଲେ ମଧ୍ୟ ଏଯାବତ ପ୍ରାୟ ୫୦ ଲକ୍ଷ ଟନ ପାଉଁଶ ଗଦା ହୋଇ ସାରିଛି। କମ୍ପାନୀର ନିଜର ପାଉଁଶ ନିଷ୍କାସନ ନିମନ୍ତେ ପୋଖରୀ ନ ଥିବାରୁ ଏହା ସରକାରୀ ଜମିକୁ ବ୍ୟବହାର କରୁଛି। କିନ୍ତୁ ଏହି ପାଉଁଶ ନିଷ୍କାସନର ସୁଚିନ୍ତିତ ଯୋଜନା ନ ଥିବାରୁ ଏହି ଅଞ୍ଚଳରେ ଜମି,ଜଳ ଓ ବାୟୁ ପ୍ରଦୂଷଣ ହେବା ସହିତ ଏହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି। 

ଏହି ସମସ୍ୟାକୁ ନେଇ ପ୍ରଥମେ ଶ୍ରୀ ରାଓ ସ୍ଥାନୀୟ ସାଂସଦଙ୍କୁ ଭେଟି ଏହା ବିରୁଦ୍ଧରେ ସଂସଦରେ ସ୍ବର ଉତ୍ତୋଳନ କରିଥିଲେ। ମାତ୍ର କିଛି ସୁଫଳ ମିଳିବା ସମ୍ଭାବନା ନଥିବା ଯୋଗୁ  ଶ୍ରୀ ରାଓ ନୂଆଦିଲ୍ଲୀର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟରେ ଗତ 18/12/2019 ରେ ପତ୍ର ସଂଖ୍ୟା ୩୧୬/JSG ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଅଫ ଫରେଷ୍ଟ ଶ୍ରୀ ସନ୍ଦିପ ଶର୍ମା ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏହି ଅଭିଯୋଗର ସତ୍ୟତା ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଅଭିଯୋଗରେ ଉକ୍ତ ଅଭିଯୋଗରେ ହୀରାକୁଦ ଜଳଭଣ୍ଡାର ଓ ଏହାକୁ ପାଣି ଯୋଗାଉଥିବା ଭେଦେର,ଇବ୍, ମହାନଦୀ, ବଂଜାରୀ ନାଲା, ହଟାଇ ନାଲା, ଖଟିଖିଆ ନାଲା ଇତ୍ୟାଦିର ଜଳ ଏହି ପାଉଁଶ ଯୋଗୁଁ ସଂପୂର୍ଣ୍ଣ ଭାବରେ ବିଷାକ୍ତ ହୋଇଯାଉଥିବା ଉଲ୍ଲେଖ କରାଯାଇଛି। 

ସୂଚନାଯୋଗ୍ୟ ଯେ ବେଦାନ୍ତ ପାଇଁ ପାଉଁଶ ନିଷ୍କାସନ ଜମି ହାତେଇବାର ଏକ ଯୋଜନା ବୋଲି ଚର୍ଚ୍ଚା ହେଉଛି। ଏହାଛଡ଼ା ପରିବେଶବିତ ଶ୍ରୀ ରାଓ ଅଭିଯୋଗ କରିଛନ୍ତି ” ଏକ ଯୋଜନାବଦ୍ଧ ଊପାୟରେ ଲୋକଙ୍କ ଜମିକୁ ପାଉଁଶ ପକାଇବା ଆଳରେ ଏକ ଦରରେ ନେଇ ଯାଉଛି ଏବଂ ଜମି ଯେତେବେଳେ ଅକାମୀ ହୋଇଯାଉଛି, ତାକୁ କମ ଦାମରେ କିଣି ନେବାକୁ ଲକ୍ଷ୍ୟ ରଖିଛି। ଅର୍ଥାତ୍ ବେଦାନ୍ତ ଏକ ଜମି ମାଫିଆ ଭଳି କାମ କରୁଛି।”  

ଏହିସବୁ ଅନୈତିକ କାର୍ଯ୍ୟ ବିରୁଦ୍ଧରେ ଶ୍ରୀ ରାଓ ଗତ ଦଶବର୍ଷ ହେଲାଣି ସ୍ବର ଉତ୍ତୋଳନ କରି ଆସୁଛନ୍ତି। ବିଭିନ୍ନ ବିଭାଗକୁ ,ଜିଲ୍ଲା ପ୍ରଶାସନକୁ,ଗଣମାଧ୍ୟମକୁ ଏ ବିଷୟରେ ଜଣାଇଲେ ମଧ୍ୟ, ସମସ୍ତେ ବେଦାନ୍ତର ଭୟରେ କିମ୍ବା ଟଙ୍କା ବଳରେ ନୀରବ ରହୁଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଶେଷରେ ଅନ୍ୟ ଉପାୟ ନ ପାଇ ସେ କେନ୍ଦ୍ର ମନ୍ତ୍ରଣାଳୟରେ ଏ ବିଷୟରେ ଅଭିଯୋଗ କରିଥିଲେ ।ମାତ୍ର ଏ ପର୍ଯ୍ୟନ୍ତ ତଦନ୍ତ ନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି,ସେ ବିଷୟ ଅନ୍ଧାରରେ ରହିଛି। ଏପରି ଚାଲିଲେ ଆଗାମୀ ସମୟରେ ଝାରସୁଗୁଡ଼ା ଅଞ୍ଚଳର କେବଳ ଏକ ପ୍ରଦୂଷିତ ବାତାବରଣରେ ରହିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ତାଙ୍କର ଏହିପରି କାର୍ଯ୍ୟ ଯୋଗୁଁ ତାଙ୍କ ଉପରେ ବାରମ୍ବାର ମରଣାନ୍ତକ ଆକ୍ରମଣ ହେବାର ମଧ୍ୟ ସେ କହିଛନ୍ତି। 

ଓଡ଼ିଶା ସରକାର ଏହା ଉପରେ ଗୁରୁତର ସହ ବିଚାର ନ କଲେ, ଝାରସୁଗୁଡ଼ା ଅଞ୍ଚଳରେ ଯେ କୌଣସି ସମୟରେ ଏକ ଜନ ଆନ୍ଦୋଳନ ଛିଡ଼ା ହେବ, ଏଥିରେ ସନ୍ଦେହ ନାହିଁ।

Leave A Reply

Your email address will not be published.