ମୋଦୀ ସରକାରରେ ଆଠମଲ୍ଲିକର ଚାଷୀ ଲାଭାନ୍ୱିତ ହେବେ: ଧର୍ମେନ୍ଦ୍ର

0 1

ଆଠମଲ୍ଲିକ /ସନ୍ତୋଷ ମେହେର : କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷର ହିସାବକୁ ସମଗ୍ର ଦେଶରେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନ ସମ୍ବାଦ ଭର୍ଚୁଆଲ ରାଲି ଅନୁଷ୍ଠିତ ହେଉଥିବା ବେଳେ ଆଜି ଅନଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ରେ ଅୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ଯୋଜନାରେ 8 ମାସ ପାଇଁ ବ୍ୟକ୍ତି ପିଛା ମାସିକ 5 କେଜି ଚାଉଳ ଓ 1 କେଜି ଡାଲି ପ୍ରଦାନ କରାଯାଇଥିବା କହିଛନ୍ତି। ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅଧିକ ଅର୍ଥ ଆସିଛି , ଜାତୀୟ ରାଜପଥ ଓ ରେଳ ପାଇଁ ଅର୍ଥର ଅଭାବ ରଖି ନାହାଁନ୍ତି ମୋଦୀ ସରକାର ।

ସେ କହିଛନ୍ତି କୃଷି ଆଧାରିତ ଅଞ୍ଚଳ ଆଠମଲ୍ଲିକ ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନରେ କୃଷି କ୍ଷେତ୍ରରେ 1 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଲୋକାଲ ପାଇଁ ଭୋକାଲ୍ ହେବାକୁ ଆହ୍ଵାନ କରି ଆଠମଲ୍ଲିକର ଚାଷୀମାନେ ନିଜର କୃଷିଜାତ ଦ୍ରବ୍ୟକୁ ବିଶ୍ଵ ବଜାରରେ ବିକ୍ରି କରି ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।

ସ୍ଵଚ୍ଛ ଭାରତ ଅଭିଯାନ ରେ ଶୌଚାଳୟ, ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ, ସୌଭାଗ୍ୟ ଯୋଜନାରେ ବିଜୁଳି, ଜନଧନ ଆକାଉଣ୍ଟ୍ ଧାରି ଙ୍କୁ ଟଙ୍କା, କୃଷକ ଙ୍କୁ କୃଷକ ସମ୍ମାନ ନିଧିରେ ଟଙ୍କା, ବିଧବା ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ଦେଇ ମୋଦୀ ସରକାର ଆର୍ଥିକ ସ୍ୱାବଲମ୍ବୀ କରିଥିବା କହିଛନ୍ତି। କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କରୋନା ସମୟରେ ଅଧିକ ସତର୍କ ହୋଇ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିଛନ୍ତି। ଆଠମଲ୍ଲିକର ବିଧାୟକ ପ୍ରାର୍ଥୀ ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କ ଆହ୍ଵାନକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେଘରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। 

ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଲିରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଓ ଜଳସେଚନ ଦିଗରେ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ଲୋକସଭା ସାଂସଦ ରବି ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀ ପ୍ରଧାନ, ଅର୍ଜୁନ ପାଣ୍ଡେ, ବଂଶୀଧର ସେଠୀ, ସମସ୍ତ ମଣ୍ଡଳ ସଭାପତି, ସରପଞ୍ଚ, ସମିତିସଭ୍ଯ, ଆଇଟି ସେଲ ସଂଯୋଜକ ବିଶ୍ୱଜିତ ଗାଇଗରିଆ ପ୍ରମୁଖ ଯୋଗ ଦେଇଥିଲେ। ଛେଣ୍ଡିପଦା ର ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.