ଭିଏସଏସ  ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ କିଶୋର କୁମାର ସେନାପତି

0 1

ଝାରସୁଗୁଡ଼ା (ସୁବାଷ ସାହାରେ): ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରର ନୂତନ ନିର୍ଦ୍ଦେଶକ ଭାବରେ କିଶୋର କୁମାର ସେନାପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଜିଏମ (ଅର୍ଥ) ଦାୟୀତ୍ୱ ନିର୍ବାହ କରୁଥିଲେ। ଗତ ଜାନୁୟାରୀ ମାସରେ ସୁଧେଶ କୁମାର ଚୌହାନଙ୍କ ଅବସର ଗ୍ରହଣ ପରେ କମ୍ୟୁନିକେସନ, ନେଭିଗେସନ ଓ ସର୍ଭିଲିଏନ୍ସର ଡିଜିଏମ ଏମ. କରୁଣାକର ଏହି ଦାୟିତ୍ବରେ ଥିଲେ। 

ଏହା ପୂର୍ବରୁ, ଜଣେ ଚାର୍ଟାଡ ଏକାଉଣ୍ଟାଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ସେନାପତି କୋଲକାତା ବିମାନବନ୍ଦରରେ ୨୦୦୧ ମସିହାରେ କନିଷ୍ଠ କାର୍ଯନିର୍ବାହୀ ସଂଚାଳକ ଭାବରେ ଯୋଗଦାନ କରିଥିଲେ। ଏହାପରେ, ସେ ଗୌହାଟୀ, ଅଗରତାଲା, ବାରଣାସୀ ଓ ଭୁବନେଶ୍ୱରର ବିମାନବନ୍ଦରରେ ମଧ୍ୟ ବିଭିନ୍ନ ଦାୟୀତ୍ବ ନିର୍ବାହ କରି ସାରିଛନ୍ତି। 

ବର୍ତ୍ତମାନ ଝାରସୁଗୁଡ଼ାରେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ ଯୋଗଦାନ କରିବା ପରେ ଏହି ବିମାନବନ୍ଦରର ବିଭିନ୍ନ ଦିଗରେ କାର୍ଯ୍ୟରେ ଉନ୍ନତି ହେବ ବୋଲି ଲୋକଙ୍କ ବିଶ୍ବାସ। ଯାନ୍ତ୍ରିକ ଅବତରଣ ପ୍ରକ୍ରିୟା ତ୍ବରାନ୍ବିତ ହେବାର ଆଶା ରହିଛି। ଏହାବ୍ୟତୀତ ରନୱେର ମରାମତି, ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଣ ଓ ଆହୁରି ଅଧିକ ସହରକୁ ବିମାନ ଉଡ଼ାଣ ଭଳି ଯୋଜନା ଗୁଡ଼ିକ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.