
ବରଗଡ଼/NILA DEEP -ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପୂଝାରୀପାଲିଠାରେ ପ୍ରସ୍ତାବିତ ଅଙ୍ଗ ନଦୀବନ୍ଧ ଯୋଜନା ତଥା ବୃହତ୍ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଅସନ୍ତୋଷ ତେଜି ଉଠିଛି। ଏହି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଉଥିବା ଲୋକେ ବିସ୍ଥାପନ ପରିବର୍ତ୍ତେ ଇଚ୍ଛାମୃତ୍ୟୁ ପାଇଁ ଆଦେଶ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ଶତାଧିକ ଚାଷୀ ଶନିବାର ବରଗଡ଼ ମୁଖ୍ୟ ଡାକଘରକୁ ଆସି ଡାକ ଦ୍ୱାରା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ଅଞ୍ଚଳର ସମୁଦାୟ ୩୦ହଜାର ଲୋକେ ରାଷ୍ଟ୍ରପତିଙ୍କ ନିକଟକୁ ଏଭଳି ଇଚ୍ଛାମୃତ୍ୟୁ ଆଦେଶ ପ୍ରଦାନ ଲାଗି ଚିଠି ଲେଖିବାର କାର୍ଯ୍ୟକ୍ରମ ରହିଛି ବୋଲି ଅଙ୍ଗ ନଦୀବନ୍ଧ ଯୋଜନା ପ୍ରତିରୋଧ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଦୀର୍ଘ ତିନି ଦଶନ୍ଧି ହେଲା, ଅଙ୍ଗ ନଦୀବନ୍ଧ ଯୋଜନା ପ୍ରକଳପ ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରାଯାଉଛି। ଇତିମଧ୍ୟରେ ଏହି ପ୍ରକଳ୍ପ ପୂଝାରୀପାଲିଠାରେ ନିର୍ମାଣ କରିବାକୁ ସରକାରଙ୍କ ପ୍ରସ୍ତାବ ରହିଛି। ଏଠାରେ ସେହି ପ୍ରକଳ୍ପ ନିର୍ମାଣ ହେଲେ ୩୨ଖଣ୍ଡ ମୌଜାର ୬୨୨୮ ପରିବାରର ୩୦ହଜାର ଲୋକ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେବେ। ୧୧ଟି ମୌଜା ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏବଂ ୨୧ଟି ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହେବ। ଏହାଦ୍ୱାରା ସମସ୍ତଙ୍କୁ ଭିଟାମାଟି ଓ ଚାଷଜମି ହରାଇବାକୁ ପଡ଼ିବ। ସମୁଦାୟ ୩୯୧୨.୬୭ ହେକ୍ଟର ଘରୋଇ ଜମି, ୨୧୨.୩୫ ହେକ୍ଟର ଜଙ୍ଗଲ ଜମି, ୯୭୪.୯୮ ହେକ୍ଟର ଅନ୍ୟାନ୍ୟ କିସମର ଜମି ଜଳମଗ୍ନ ହେବା ସହିତ ଜନଶୂନ୍ୟ ହୋଇ ପଡ଼ିବ। ଏହା ସହିତ ଅଞ୍ଚଳର ଭୂତଳେ ରହିଥିବା ମୂଲ୍ୟବାନ ଖଣିଜ ସମ୍ପଦ ମଧ୍ୟ ଧୋଇ ଯାଇ ଧୂଳିସାତ୍ ହୋଇଯିବ। ଫଳରେ ପୂଝାରୀପାଲିଠାରେ ଅଙ୍ଗ ନଦୀବନ୍ଧ ଯୋଜନା ପ୍ରକଳ୍ପ ନିର୍ମାଣ ଓ ଏଥିପାଇଁ ବିସ୍ଥାପନକୁ ନେଇ ଦୀର୍ଘ ଦିନରୁ ବିରୋଧ ହୋଇ ଆସୁଛି। ସଭା, ସମିତି, ସତ୍ୟାଗ୍ରହ, ଆନ୍ଦୋଳନ, ସମାବେଶ, ସ୍ମାରକପତ୍ର ପ୍ରଦାନ ଦ୍ୱାରା ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମାତ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବା ଅଙ୍ଗ ନଦୀବନ୍ଧ ଯୋଜନା ପ୍ରତିରୋଧ କମିଟି ଅଭିଯୋଗ ହୋଇଛି। ଫଳରେ ଅଙ୍ଗ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେବାକୁ ଥିବା ସମୁଦାୟ ୩୦ହଜାର ଲୋକେ ବିସ୍ଥାପନ ପରିବର୍ତ୍ତେ ଇଚ୍ଛାମୃତ୍ୟୁକୁ ଶ୍ରେୟ ମଣିଥିବା ଅଙ୍ଗ ନଦୀବନ୍ଧ ଯୋଜନା ପ୍ରତିରୋଧ କମିଟି ପକ୍ଷରୁ କୁହାଯାଇଛି। ସର୍ବସମ୍ମତିକ୍ରମେ ଇଚ୍ଛାମୃତ୍ୟୁ ଆଦେଶ ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି ବୋଲି ସୂଚନା ଦିଆଯାଇଛି। କମିଟିର ବାଳକୃଷ୍ଣ ନାଏକ, ପଦ୍ମଲୋଚନ ବେରିଆ, ଚମାରୁ ଧରୁଆ, କ୍ଷୀରସିନ୍ଧୁ ସାହୁ, ଶ୍ୟାମଲାଲ ନାଏକ, ରକ୍ଷପାଳ ସାହୁ, ରମେଶ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ଲୋକେ ବରଗଡ଼ ମୁଖ୍ୟ ଡାକଘରକୁ ଆସି ଡାକଯୋଗେ ପୋଷ୍ଟକାର୍ଡ଼ରେ ଲେଖାଥିବା ଚିଠିକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇଥିଲେ । ଚିଠି ପଠାଇବାବେଳେ ଜୟ କିଷାନ ଆନ୍ଦୋଳନ ବରଗଡ଼ର ଆବାହକ ରମେଶ ମହାପାତ୍ର, ବିଶ୍ୱ ସା ପ୍ରମୁଖ ଉପସ୍ଥିତ ଥିଲେ ।