ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ – ରଥଯାତ୍ରା ପାଇଁ ଦେଖା ଦେଇଥିବା ପ୍ରତିବନ୍ଧକ ଦୂର ହେବା ତଥା ଆଗତ ହୋଇଥିବା ସମୀକ୍ଷା ଆବେଦନ ଉପରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ସପକ୍ଷରେ ରାୟ ପ୍ରଦାନ କରିବା ଉଦେଶ୍ୟରେ ଆଜି ସୁନ୍ଦରଗଡ଼ ମହେଶଡ଼ିହି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ପ୍ରେମୀ ମାନଙ୍କ ଦ୍ଵାରା ଏକ ହୋମଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ କଳସ ପୂଜନ ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ରଥଯାତ୍ରା ଆୟୋଜନ ପାଇଁ ସୃଷ୍ଟି ହୋଇଥିବା ସବୁ ପ୍ରତିବନ୍ଧକ ଦୂର ହେବା ଉଦେଶ୍ୟରେ ୧୦୮ ଥର ଆହୁତି ପ୍ରଦାନ କରାଯାଇଥିବା ବେଳେ ୧୧ଥର ହନୁମାନ ଚାଳିଶା ପାଠ କରାଯାଇଥିଲା | ଯଜ୍ଞର ପୂର୍ଣ୍ଣାହୁତି ପରେ ବିଶ୍ୱହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ ବର୍ଷକେ ଥରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନର ମାହାତ୍ମ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ | ରଥଯାତ୍ରା କେବଳ ଏକ ଜୁଲୁସ କି ଶୋଭାଯାତ୍ରା ନୁହେଁ, ଏହା ମହାପ୍ରଭୁଙ୍କ ଏକ ନୀତି ଓ ସଂସ୍କୃତି ବୋଲି ସେ କହିଥିବା ବେଳେ ନୀତିକୁ ବନ୍ଦ କରିଦେଲେ ଜଗନ୍ନାଥଙ୍କ ସେବାପୂଜାର ବିରୁଦ୍ଧାଚରଣ ହେବ ବୋଲି ଶ୍ରୀ କୁସୁମ କହିଥିଲେ | ତାଛଡା ମହାପ୍ରଭୁଙ୍କ ନୀତିକୁ ପାଳନ କରିବା ପାଇଁ ବିନା ଭକ୍ତରେ କେବଳ ସେବାୟତ ମାନଙ୍କୁ ନେଇ ମଧ୍ୟ ରଥଯାତ୍ରା ଆୟୋଜନ କରାଯାଇପାରିବ | ତେଣୁ ଜଗତର ନାଥ ଜଗନ୍ନାଥଙ୍କ ନୀତି ଓ ସଂସ୍କୃତିକୁ ସର୍ବୋଚ୍ଚ ନ୍ୟାୟାଳୟ ହୃଦୟଙ୍ଗମ କରିବା ସଙ୍ଗେ ସଙ୍ଗେ ଆଗତ ହୋଇଥିବା ସମୀକ୍ଷା ଆବେଦନର ତ୍ୱରିତ ପୁନଃବିଚାର କରି ଭକ୍ତଶୂନ୍ୟ ରଥଯାତ୍ରା ଆୟୋଜନର ମାର୍ଗକୁ ପ୍ରଶସ୍ତ କରିବା ଉଚିତ ବୋଲି ଶ୍ରୀ କୁସୁମ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ନେହୁରା ହୋଇଥିଲେ | ଏହି ଅବସରରେ ଶ୍ରୀ କୁସୁମ ଆହୁରି କହିଥିଲେ ଯେ ଏକ ଜଗନ୍ନାଥ ସଂସ୍କୃତି ବିରୋଧୀ ଅନୁଷ୍ଠାନ ଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ରଥଯାତ୍ରା ବନ୍ଦ ନିମନ୍ତେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ଅଣହିନ୍ଦୁ ଦାମୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନର ଅଭାବ ଯୋଗୁଁ ରଥଯାତ୍ରା ବନ୍ଦ ପାଇଁ ମାନ୍ୟବର କୋର୍ଟ ରାୟ ପ୍ରଦାନ କରିଛନ୍ତି | ତେଣୁ ରାଜ୍ୟ ସରକାର ପ୍ରକୃତ ବସ୍ତୁସ୍ଥିତି ବିଷୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଇ ରଥଯାତ୍ରା ଆୟୋଜନ ପାଇଁ ଆଗଭର ହେବା ଉଚିତ ବୋଲି ଶ୍ରୀ କୁସୁମ ପ୍ରକାଶ କରିଥିଲେ | ପଣ୍ଡିତ ତ୍ରିୟାମ୍ବର ମିଶ୍ରଙ୍କ ଦ୍ଵାରା ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଅନିଲ ଚୌଧୁରୀ, ପ୍ରଶାନ୍ତ ବିଶୋଇ, ଗଜେନ୍ଦ୍ର ସିଂ, ଛବିଳ ବରିହା, ଅମିତ ବରିହା, ଅନ୍ତର୍ଯ୍ୟାମୀ ମଲ୍ଲୀକ, ସାରଙ୍ଗଧର ବରିହା, ଲାଳନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Next Post