କଟା ମୁଣ୍ଡ ଧରି ଥାନାରେ ବୁଧୁରାମ 

0
  • ଅନ୍ଧ ବିଶ୍ୱାସ ଓ କୁସଂସ୍କାରର କରୁଣ ପରିଣତି 

  • ଡ଼ାହାଣୀ ଓ ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା 

  • କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ବାରିପଦା (ଦିଲ୍ଲୀପ ମହାନ୍ତି )- ଗୋଦରା କୋଡେ଼ ଯେତେ ମାଡେ଼ ସେତେ । ଆଧୁନିକ ଜ୍ଞାନ କୌଶଳ ବିଜ୍ଞାନର ଅଗ୍ରଗତି ପାଇଁ ଆମ ସମାଜ ଯେତିକି ଆଗେଉଛି, ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ କୁସଂସ୍କାରର ବଶବର୍ତ୍ତି ହୋଇ ସେତିକି  ମାତ୍ରରେ ପଛକୁ ଠେଲି ହୋଇ ଯାଉଛି । ଆଜି ମଧ୍ୟ ସମାଜରେ କେଉଁଠି ନା କେଉଁଠି ବାଲ୍ୟ ବିବାହ ଓ ବଳି ପ୍ରଥା ଚଳିଆସୁଛି । ସେହିପରି ପ୍ରତ୍ୟେକ ଦିନ ଡ଼ାହାଣୀ, ଗୁଣିଗାରେଡ଼ି ସନେ୍ଦହରେ କେତେ ଯେ ନିରୀହ ଲୋକଙ୍କ ଜୀବନ ଅଦିନରେ ଝଡ଼ି ପଡ଼ୁଛି  ତାର ହିସାବ କାହାରି ନିକଟରେ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ଡ଼ାହାଣୀ ଓ ଗୁଣିଗାରେଡ଼ିକୁ ନେଇ ଜନସଚେତନତା ସୃଷ୍ଟି କରାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ବିଶେଷ କରି ସରଳ ବିଶ୍ୱାସୀ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ଡ଼ାହାଣୀ ଓ ଗୁଣିଗାରେଡ଼ି ଭୂତ ବସାବାନ୍ଧି ରହିଯାଇଛି । କୌଣସି ଲୋକ ରୋଗରେ ପଡ଼ିଲେ ଅଥବା ମୃତ୍ୟୁ  ହେଲେ ଡ଼ାହାଣୀ ଖାଇଗଲା ବୋଲି ବିଶ୍ୱାସ କରିଥାନ୍ତି । ଏହି ବିଶ୍ୱାସ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଭର୍ତ୍ତି କରାଯାଇଥାଏ ଅଥବା ସ୍ୱତଃପ୍ରବୃତ୍ତ ଭାବେ ଜନ୍ମ ନେଇଥାଏ ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ  ଆଜି ମୟୂୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କରକଚିଆ ପଞ୍ଚାୟତ ନୂଆସାହିରେ ଗୁଣିଗାରେଡ଼ି ଓ ଡ଼ାହାଣୀ ସନ୍ଦେହରେ  ସଙ୍ଗଠିତ ହୋଇଯାଇଛି ଏକ ଜଘଣ୍ୟ ହତ୍ୟାକାଣ୍ଡ ।  ଅଭିଯୁକ୍ତ ଯୁବକ ଏକ ବିବାହିତା ମହିଳାକୁ ହତ୍ୟା କରିବା ପରେ ତାର ମୁଣ୍ଡକୁ କାଟି ଖୁଣ୍ଟା ଥାନାରେ ପହଁଞ୍ଚି କଟାମୁଣ୍ଡ ସହିତ ଆତ୍ମସମର୍ପଣ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କରକଟିଆ ଗ୍ରାମ ନିକଟ ନୂଆସାହି ବସ୍ତିର କନ୍ଦା ସିଂଙ୍କ ପୁଅ ବୁଧୁରାମ ସିଂ(୨୩) ବସବାସ କରୁଥିବା ସମୟରେ  ପାଖ ପଡେ଼ାଶୀ ଭାବେ ବୁଧୁରାମ ସିଂ ଓ ତାଙ୍କ  ସ୍ତ୍ରୀ ଚମ୍ପା ସିଂ(୫୫)  ମଧ୍ୟ ବସବାସ କରିଆସୁଥିଲେ । ଚମ୍ପାକୁ ଗାଉଁଲୀ ଚିକିତ୍ସା ଜଣାଥିଲା । କନ୍ଦା ସିଂଙ୍କ ପୁଅ ବୁଧୁରାମଙ୍କର ଏକ ଝିଅ ମଧ୍ୟ ରହିଥିଲା । ଝିଅର  ଦେହ ଖରାପ ହେଲେ ଚମ୍ପାକୁ ଦେଖାଉ ଥିଲା । ଏହି ସମୟରେ ବୁଧୁରାମଙ୍କ ଝିଅ  ରୋଗରେ ପଡ଼ି ମରିଯାଇଥିଲା । କିନ୍ତୁ, ଚମ୍ପା ଡ଼ାହାଣୀ ହୋଇ ପିଲାକୁ ଖାଇ ଦେଲା ବୋଲି ବୁଧୁରାମ ମୁଣ୍ଡରେ କେହି ଧାରଣା ଜନ୍ମାଇ ଦେଇଥିଲା । ଫଳରେ ଚମ୍ପା ଏକ ଡ଼ାହାଣୀ ହୋଇ ପିଲାକୁ ଖାଇ ଦେଇଥିବାର ଭୂତ ବୁଧୁରାମଙ୍କ ମୁଣ୍ଡରେ ସବାର ହେବା ପରେ ଚମ୍ପା ନିକଟରୁ ପ୍ରତିଶୋଧ ନେବା ନିମନ୍ତେ ସୁଯୋଗ ଖୋଜିବୁଲୁଥିଲା । ଏହି ସମୟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପ୍ରବଳ  ବର୍ଷା ହେଉଥିବା ବେଳେ ଚମ୍ପା ନିଜ ଘରୁ ବାହାରକୁ କୌଣସି କାର୍ଯ୍ୟରେ ବାହାରି ଆସିବା ବେଳେ ତାକୁ ଏକୁଟିଆ ପାଇ ଏକ ଧାରୁଆ ଟାଙ୍ଗିଆରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବା ପରେ କଟା ମୁଣ୍ଡକୁ ଏକ ଲୁଗାରେ ଗୋଡ଼ାଇ ଟାଙ୍ଗିଆ ସହିତ ଖୁଣ୍ଟା ଥାନାରେ ପହଁଞ୍ଚି ଆତ୍ମସମର୍ପଣ କରିଥିଲା ବୁଧୁରାମ । ଖବର ପାଇ ଖୁଣ୍ଟା ଥାନା ଅଧିକାରିଣୀ ସ୍ୱର୍ଣ୍ଣଲତା ମିଞ୍ଜ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହିତ କଟା ମୁଣ୍ଟ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ପରେ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ପଠାଇଥିଲେ ।  ଏକ୍ତ ଘଟଣାକୁ ନେଇ ପୁଲିସ ପକ୍ଷରୁ ଥାନାରେ ୯୬/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ପ୍ରକାଶ କରିଛନ୍ତି । ତେବେ ପୁଲିସର ତଦନ୍ତର ଦିଗ କେଉଁ ଆଡେ଼ ଗତି କରୁଛି ତାହା ପରବର୍ତ୍ତି ସମୟରୁ ଜଣାପଡ଼ିବ ।   

 

 

 

Leave A Reply

Your email address will not be published.