ଅନ୍ତର୍ଜାତୀୟ ସ୍ତରୀୟ ‘ ଓଡିଶୀ ରାଗ କଣ୍ଠ ସଙ୍ଗୀତ–୨୦୨୦’ ପ୍ରତିଯୋଗିତା : ପାରଳାଖେମୁଣ୍ଡିର ଆଶୁତୋଷ ମିଶ୍ର ତୃତୀୟ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ମେ ମାସ ୨୯ ତାରିଖ ଠାରୁ ଜୁନ ମାସ ୫ତାରିଖ ପର୍ଯ୍ୟନ୍ତ “ଆଳାପ” ସଙ୍ଗୀତ ଅନୁଷ୍ଠାନ ଭୂବନେଶ୍ୱର ଦ୍ବାରା ଅନ୍ ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସ୍ତରୀୟ ‘ ଓଡିଶୀ ରାଗ କଣ୍ଠ ସଙ୍ଗୀତ–୨୦୨୦’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅନ୍ ଲାଇନ୍ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଗୁରୁ ରଘୁନାଥ ପାତ୍ରଙ୍କ ଛାତ୍ର ଯୁବ କଣ୍ଠ ଶିଳ୍ପୀ ଆଶୁତୋଷ ମିଶ୍ର ଭାଗ ନେଇ କବି କଳହଂସ ଗୋପାଳକୃଷ୍ଣଙ୍କ ରଚନାରୁ ପନ୍ତୁ ବରାଡି ରାଗରେ ଓଡିଶୀ ସଂଗୀତ ପରିବେଷଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।  ଏହି ପ୍ରତିଯୋଗିତାରେ ଦେଶ ବିଦେଶ ଓ ରାଜ୍ୟର ୧୨୬ ଜଣ କଣ୍ଠଶିଳ୍ପୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରୀତିନନ୍ଦା ପରିଡ଼ା ପ୍ରଥମ,  ପ୍ରବାସୀ ଓଡ଼ିଆ (ଜର୍ମାନୀ) ଜିଜ୍ଞାଷା ମିଶ୍ର ଦ୍ୱିତୀୟ ହୋଇଥିବା ବେଳେ ପାରଳାଖେମୁଣ୍ଡିର ଆଶୁତୋଷ ମିଶ୍ର ତୃତୀୟ ହୋଇଥିଲେ।ଏଥିରେ ବିଚାରକ ଭାବେ ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ଗୁରୁ ଘନଶ୍ୟାମ ପଣ୍ଡା ଓ ଗୁରୁ ରାମହରି ଦାଶ ରହିଥିଲେ। ଏହାର ମୁଖ୍ୟ ଆୟୋଜକ ଥିଲେ ଗୁରୁ ନିଶିକାନ୍ତ ରାଉତରାୟ।

 ଏହି ସଫଳତା ପାଇଁ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ , ରାଜେନ୍ଦ୍ର ରଥ , ଗୁରୁ ବିଜୟ ପ୍ରଧାନ , ଗୁରୁ ରଘୁନାଥ ପାତ୍ର ,  କ୍ରିଏଟିଭ୍ ଆର୍ଟସ୍ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ , ଆଦର୍ଶ ଦାଶ , ମୋନଜ ପାଢ଼ୀ , ସମଲେଇ ନୃତ୍ୟକଳା ପରିଷଦର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଏହି କୃତିତ୍ୱ ପାଇଁ ଆଶୁତୋଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.