ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ଉପକଣ୍ଠରେ ୭୩୦ ଏକର ଜମି ଉପରେ ନୂତନ ଭାବେ ବିକଶିତ ହେଉଥିବା ଇନଫୋ ଭ୍ୟାଲି ପ୍ରକଳ୍ପର ଅଗ୍ରଗତି ଉପରେ ଲୋକ ସେବା ଭବନରେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତାବିତ ଭ୍ୟାଲିରେ ଆଇଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍, ଇଲେକ୍ଟ୍ରୋନିକ ସାମଗ୍ରୀ ଉତ୍ପାଦନ ପାର୍କ, ମିକ୍ସଡ୍ ଜୋନ, ଗ୍ରୀନ ଜୋନ ଏବଂ ସେଣ୍ଟ୍ରାଲ ପାର୍କ ରହିଛି । ଏବେ ଆଇଟି ପାର୍କରେ ଇନଫୋସିସ ଦ୍ୱିତୀୟ କ୍ୟାମ୍ପସ୍ କାମ କରିବା ଆରମ୍ଭ କରି ସାରିଛି । ସେହିପରି ଇଲେକ୍ଟ୍ରୋନିକ ପାର୍କରେ ଶାନ୍ତି ସୋଲାର ଉଦ୍ୟୋଗ ତା’ର ଔଦ୍ୟୋଗିକ କାର୍ଯ୍ୟ ଆରମ୍ଭ କରିଛି ଏବଂ ଅନ୍ୟଗୁଡ଼ିକ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଥିବା ସମୀକ୍ଷାରୁ ଜଣାପଡ଼ିଛି । ଏହି ଇଲେକ୍ଟ୍ରୋନିକ ପାର୍କକୁ ୨୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା କରାଯାଉଛି ଏବଂ ଏହା ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ଅଟେ । ସମଗ୍ର ଇନ୍ଫୋ ଭ୍ୟାଲିରେ ପ୍ରଶସ୍ତ ସଡ଼କ, , ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ମୌଳିକ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯିବ । ଏଠାରେ ଇଡ୍କୋ ତରଫରୁ ଏକ ପୋଲିସ ଥାନା ଏବଂ ଅଗ୍ନିଶମ କେନ୍ଦ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏତଦ୍ବ୍ୟତୀତ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ଅନେକ ବିକାଶ କାର୍ଯ୍ୟ ଓ ମୌଳିକ ସେବା ଯୋଗାଇ ଦିଆଯାଇଛି । ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ମିଶ୍ର ନିର୍ମାଣଜନିତ କାର୍ଯ୍ୟଗୁଡ଼ିକୁ ଯଥାଶୀଘ୍ର ସାରିବା ପାଇଁ ପରାମର୍ଶ ଦେଇଥିଲେ । ସେ ଏହା ପୂର୍ଣ୍ଣାଙ୍ଗ ହେଲେ ଏକ ବିଶ୍ୱସ୍ତରୀୟ ଆଇଟି କ୍ଷେତ୍ର ଭାବେ ପରିଗଣିତ ହୋଇ ପାରିବ ବୋଲି ମତ ରଖିଥିଲେ । ଏହି ସମୀକ୍ଷା ବେଳେ ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ସିଂ, ମୁଖ୍ୟ ସାଧାରଣ ପରିଚାଳକ ଇଂ ଭକ୍ତକବି ଦାସ, ମୁଖ୍ୟ ସାଧାରଣ ପରିଚାଳକ ଏମ୍ଏସ୍ଏମ୍ଇ ଶ୍ରୀ କୁଶଧର ମହନ୍ତ, ପ୍ରକଳ୍ପ ମୁଖ୍ୟ ଶ୍ରୀ ଶାଶ୍ୱତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post