ସମ୍ବଲପୁରୀ ଦିନ୍-୨୦୨୦ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ପ୍ରସ୍ତୁତି ବୈଠକ

0

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆଗକୁ ଆସୁଛି ସମ୍ବଲପୁର ଭାଷା ସାହିତ୍ୟ ସଂସ୍କୃତି ର ଜନକ ବୋଲାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ପବିତ୍ର ଜନ୍ମଦିନ । ତାଙ୍କର ଜନ୍ମ ଶତବାର୍ଷିକୀ ୨୦୧୨ ଠୁ ତାଙ୍କ ଜନ୍ମଦିନ କୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରି ଆସୁଛି ପଶ୍ଚିମାଞ୍ଚଳ ର ଅଗ୍ରଣୀ ସାଂସ୍କୃତିକ, ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ । ୨୦୧୨ ରେ ସମ୍ବଲପୁର ରୁ ଆରମ୍ଭ ହୋଇଥିବା ଏହି ସମ୍ବଲପୁରୀ ଦିନ୍ ଆଉ କେବଳ ସମ୍ବଲପୁର ରେ ସୀମିତ ହୋଇ ରହି ନାହିଁ । ବିଗତ ଆଠ ବର୍ଷ ମଧ୍ୟରେ ଅଶ୍ୱସ୍ତ ଫଳ ର ଛୋଟିଆ ମଞ୍ଜି ରୂପେ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ୍ ଆଜି ବିରାଟ ଅଶ୍ୱସ୍ତ ବୃକ୍ଷ ର ରୂପ ଧାରଣ କରି ସାରିଛି । କେବକ ଯେ ସମ୍ବଲପୁର କି ପଶ୍ଚିମାଞ୍ଚଳ କିମ୍ବା ରାଜ୍ୟ ରେ ନୁହେଁ ବର୍ତ୍ତମାନ ସାରା ବିଶ୍ୱରେ ଏଇ ସମ୍ବଲପୁରୀ ଦିନ୍ ର ଆଦୃତା ବଢିଛି । ଅଗଷ୍ଟ ୧ ତାରିଖ କୁ ସମସ୍ତ ସମ୍ବଲପୁରୀ ପ୍ରେମୀ ଯେଉଁଠି ଥାଆନ୍ତୁ ନା କାହିଁକି ସମ୍ବଲପୁରୀ ଦିନ୍ ହିସାବରେ ପାଳନ କରି ଆସୁଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ବିଭିନ୍ନ ଶାଖା ସଙ୍ଗେ ସଙ୍ଗେ ଆହୁରି ଶତାଧିକ ଅନୁଷ୍ଠାନ ଏହି ସମ୍ବଲପୁରୀ ଦିନ୍ କୁ ନିଆରା ଢଙ୍ଗରେ ଭିନ୍ନ ଭିନ୍ନ ପ୍ରକାର ରେ ପାଳନ କରୁଛନ୍ତି । ଗତ ବର୍ଷ ବରଗଡ଼ ସାଂସଦ  ସୁରେଶ ପୂଜାରୀ ଙ୍କ ପ୍ରଚେଷ୍ଟାରେ ପଶ୍ଚିମାଞ୍ଚଳ ର ପାଞ୍ଚ ଜଣ ଯାକ ସାଂସଦ ସମ୍ବଲପୁରୀ ଲୁଗା ପିନ୍ଧି ଭାରତୀୟ ଗଣତନ୍ତ୍ର ର ସର୍ବୋଚ୍ଚ ମନ୍ଦିର ଦେଶର ସଂସଦ ଭବନ ରୁ  ସମ୍ବଲପୁରୀ ଦିନ୍ ର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଦେଶ ବିଦେଶ ର ବହୁ ସମ୍ବଲପୁରୀ ପ୍ରେମୀ ସମ୍ବଲପୁରିଆ ମନେ ବ୍ୟକ୍ତିଗତ ଭାବରେ, ପାରିବାରିକ ସ୍ତରରେ, ସାମାଜିକ ଉତ୍ସବ ଭାବରେ ଏହି ଦିନକୁ ଖୁବ ଧୁମଧାମ ରେ ପାଳନ କରିଛନ୍ତି ।

 ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର କେନ୍ଦ୍ରୀୟ କମିଟି ପକ୍ଷରୁ ସମ୍ବଲପୁର ଜେଲ ଛକ ନିକଟସ୍ଥ କଚେରୀ ରୋଡ଼ ଠାରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳନ ହୁଏ । ସମ୍ବଲପୁରୀ ଦିନ୍ ର ମୂଳମନ୍ତ୍ର କହେମା ସୁନମା ସମ୍ବଲପୁରୀ, ପିନ୍ଧମା ଉଢ଼ମା ସମ୍ବଲପୁରୀ, ଖାଏମା ପିମା ସମ୍ବଲପୁରୀ, ନାଚମା ଗାଏମା ସମ୍ବଲପୁରୀ କୁ ପାଳନ କରି ସେଦିନ ସମ୍ବଲପୁରୀ ପିନ୍ଧି ଏକାଠି ହୁଅନ୍ତି ହଜାର ହଜାର ସଂଖାରେ ସମ୍ବଲପୁରୀ ପ୍ରେମୀ । ଅତିଥି ଆଗମନ, ସମ୍ମାନିତ ପର୍ବ, ନାଚ, ଗୀତ, ଖାଦ୍ୟ ପେୟ, ପ୍ରତିଯୋଗିତା ରେ ଦୁଲକି ଉଠେ ସେଦିନ ଉତ୍ସବ ସ୍ଥଳ । ଏହି ବର୍ଷ ମଧ୍ୟ ଅଗଷ୍ଟ  ୧ ତାରିଖ ରେ ସମ୍ବଲପୁରୀ ଦିନ୍ ପାଳନ ହେବାକୁ ଯାଉଛି । କିନ୍ତୁ କୋଭିଡ-୧୯ ଯୋଗୁଁ ଉପୁଜିଥିବା ସାମ୍ପ୍ରଦୟିକ ପରିସ୍ଥିତିରେ  ସାମାଜିକ ଦୂରତ୍ୱ କୁ ବଜାୟ ରଖିବା ଉଦ୍ଦେଶ୍ୟ ରେ ଉତ୍ସବର ଆକାର ଓ ପ୍ରକାର ରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ଏଥିପାଇଁ ଜେଲ ଛକ ନିକଟରେ ଥିବା ଗୁରୁ ସତ୍ୟନାରାୟଣ ସ୍ମୃତି ଉଦ୍ୟାନ ଠାରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ଆବାହକ ଭବାନୀ ଶଙ୍କର ଭୋଇ ଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ମଞ୍ଚର ସମସ୍ତ ବିଭାଗର  ସଂଯୋଜକ ଙ୍କ ସହିତ ସମସ୍ତ ବରିଷ୍ଠ ଓ ସକ୍ରିୟ କାର୍ଯ୍ୟକାର୍ତ୍ତା ଯୋଗ ଦେଇଥିଲେ । ଏବର୍ଷ କିଭଳି ଭାବରେ ସମ୍ବଲପୁରୀ ଦିନ୍ ପାଳନ କରାଯିବ ସେ ବିଷୟରେ ସମସ୍ତ ସଦସ୍ୟ ସଦସ୍ୟା ମାନେ ନିଜ ନିଜର ସୁଚିନ୍ତିତ ଓ ରଚନାତ୍ମକ ମତାମତ ଦେଇଥିଲେ । ଏ ବର୍ଷ କୋଭିଡ-୧୯ ଯୋଗୁଁ ଉତ୍ସବର ରୂପ ପରିବର୍ତ୍ତନ ହୋଇ ପାରେ କିନ୍ତୁ ଉତ୍ସାହ ଉଦ୍ଦୀପନା ରେ କୌଣସି କମି ରହିବନାହିଁ ବୋଲି ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ମତପୋଷଣ କରିଛନ୍ତି ।

           ଏହି ପ୍ରସ୍ତୁତି ବୈଠକରେ ଗୀତା ରାଣୀ ପଣ୍ଡା, ପଙ୍କଜିନି ମେହେର, କାନ୍ତି ମେହେର, ସ୍ନେହଲତା କୁମାରୀ ଦେବୀ, ଅନ୍ନପୂର୍ଣ୍ଣା ବାରିକ, ଟିଙ୍କି ସାହୁ, ସନ୍ତୋଷ କୁମାର ବଢ଼େଇ, ମୋହିତ ସ୍ୱାଇଁ, ଦେବାଶିଷ ବେହେରା, ଆଭାସ ପଣ୍ଡା, ରାହୁଲ ଗୁପ୍ତା, ରାଜେଶ ସ୍ୱାଇଁ, ନିଶିକାନ୍ତ ବିଶ୍ୱାଳ, ସୁବୋଧ ଦୋରା, ଶଙ୍କର ମେହେର, ଲମ୍ବୋଦର  ବଢାଇ, ବିପ୍ଲବ ଡନସନା, ଅଭିଷେକ ମହାରଣା, ଖିରେଶ୍ୱର ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.