ବିମାନରେ  ଫେରୁଛନ୍ତି ଅଗମ୍ୟ ଅଂଚଳରେ ଫସିଥିବା ୩୫୦ ଓଡ଼ିଆ ଶ୍ରମିକ

0

ଭୁବନେଶ୍ୱର/ଶାସକ ପ୍ରଶାସକ : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର  ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ଏକ ଅଭିଯାନ ହାତକୁ ନେଇଛନ୍ତି | ରେଳ ଯାତାୟାତ ଅବା ସଡକ ପଥରେ ଯାତାୟାତ ସମ୍ଭବ ନଥିବା ଆଭ୍ୟନ୍ତରୀଣ ଅଂଚଳରେ ଫସି ରହିଥିବା ଲୋକଙ୍କୁ ଏୟାର ଲିଫଟିଙ୍ଗ ଦ୍ୱାରା ବି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି |  ଅଗମ୍ୟ ଅଞ୍ଚଳରେ ଫସିଥିବା  ଓଡି଼ଆ ମାନଙ୍କୁ ବିମାନ ଯୋଗେ ଉଦ୍ଧାର କରି ଆଣିବାର ପ୍ରକ୍ରିୟା ଜାରି ରହିଛି | ଉତ୍ତରପୂର୍ବାଞ୍ଚଳ ରାଜ୍ୟର ବିଭିନ୍ନ ଅଂଚଳରୁ ଶହଶହ ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏୟାର ଏସିଆ ବିମାନ ଯୋଗେ ଉଦ୍ଧାର କରିଥିବା ବେଳେ ଏବେ ଜାମ୍ମୁ କାଶ୍ମୀର ଆଉ ହିମାଚଳ ପ୍ରଦେଶରୁ ୩୫୦ରୁ ଉର୍ଧ୍ଵ ଓଡ଼ିଆଙ୍କୁ ଏୟାର ଏସିଆର ୩ଟି ବିମାନ ଯୋଗେ ଭୁବନେଶ୍ୱର ଅଣାଯାଉଛି | ଜାମ୍ମୁ କାଶ୍ମୀରର ଅନନ୍ତନାଗ, ରାଯୋୖରି,ପୁଞ୍ଚ, ଜାମ୍ମୁ ଓ ଶାମ୍ବା ଆଉ ହିମାଚଳ ପ୍ରଦେଶର କାଙ୍ଗରା ଓ ଉନାଜିଲ୍ଲାରୁ ଆଜି ଆସି ପହଂଚୁଛନ୍ତି | ଆସନ୍ତାକାଲି ଆଣ୍ଡାମାନ ନିକୋବର ଆଇଲାଣ୍ଡରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ କାଲି ଆଉ ଏକ ବିମାନ ପହଂଚିବ | 

ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱନ୍ୟସ୍ତ କରିଛନ୍ତି | ସେହି ଅଧିକାରୀମାନେ ସମ୍ପୃକ୍ତ ରାଜ୍ୟର ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ସମ୍ପୃକ୍ତ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ | କୋଭିଡି-୧୯  ପ୍ରଟୋକଲ ଅନ୍ତର୍ଗତ ଆବଶ୍ୟକ ଫର୍ମାଲିଟି ପୁରଣ କରି ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇଆଣିବା ପାଇଁ ସବୁପ୍ରକାର ବନ୍ଦୋବସ୍ତ କରୁଛନ୍ତି  |

ଜାମ୍ମୁ , କାଶ୍ମୀର ଓ ହିମାଚଳପ୍ରଦେଶର  ଆଭ୍ୟନ୍ତରୀଣ ଅଂଚଳରୁ ନିକଟସ୍ଥ ବିମାନବନ୍ଦରକୁ ଆଣିବା ବ୍ୟବସ୍ଥା କରାଇ ସେଠାରୁ ଭୁବନେଶ୍ୱର ପଠାଇବା ବ୍ୟବସ୍ଥା ତାଦରଖ କରୁଛନ୍ତି  | ସୂଚନାଯୋଗ୍ୟ ଯେ ପୂର୍ବରୁ ୩ ତାରିଖ ଦିନ  ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ଆସାମର ବିଭିନ୍ନ ଅଂଚଳରୁ ୨୮୦ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଆଣାଯାଇଥିଲା ବିମାନ ଯୋଗେ | ଏହି କାର୍ଯ୍ୟକ୍ରମ ଫସି ରହିଥିବା ସମସ୍ତ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ | 

Leave A Reply

Your email address will not be published.