ସମ୍ପୂର୍ଣ ସୁସ୍ଥ ହୋଇ ବାହାରିଲା କୁନିଝିଅ ସାଇ ସମ୍ପୂର୍ଣ୍ଣା

0 1

ସମ୍ ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ : ମାତ୍ର ୫୦୫ ଗ୍ରାମର ଶିଶୁ କନ୍ୟା ଏବେ ସଂପୂର୍ଣ୍ଣ ସୁସ୍ଥ

ଚାଲେଞ୍ଜ ଥିଲା ..ଦୁଇବର୍ଷର ଆନ୍ତରିକତା ପୁର୍ଣ ପ୍ରଚେଷ୍ଟା ଆଣିଦେଲା ବିରଳ ସଫଳତା 

ଭୁବନେଶ୍ୱର(ଶାସକ ପ୍ରଶାସକ) : ସେମାନଙ୍କ ପାଇଁ ଚାଲେଞ୍ଜ ଥିଲା | ରିସ୍କ ଫ୍ୟାକ୍ଟର ବି ଥିଲା | ଆଉ କାହାପାଇଁ ବହୁ ପ୍ରତିକ୍ଷିତ ସ୍ବପ୍ନ | ହେଲେ ଏ ଚାଲେଞ୍ଜ ଗ୍ରହଣ କରିଥିଲେ ସେମାନେ | ସେମାନଙ୍କ ଜିଦ ଆଉ ଲଗାତାର ଦୁଇବର୍ଷର ଆନ୍ତରିକତା ପୁର୍ଣ ପ୍ରଚେଷ୍ଟା ସେମାନଙ୍କୁ ଆଣିଦେଲା ବିରଳ ସଫଳତା | ଆଉ ଜଣେ ମା ପାଇଁ ଆଣିଦେଲା ମାତୃତ୍ୱର ନୈସର୍ଗିକ ଆନନ୍ଦ |  ମାତ୍ର ୫୦୫ ଗ୍ରାମ୍ ଓଜନ ସହ ଜନ୍ମ ହୋଇଥିବା ଶିଶୁ  ଏହି ଡାକ୍ତରୀ ଟିମଙ୍କ  ଦୁଇ ବର୍ଷର ନିରବଛିନ୍ନ ପ୍ରଚେଷ୍ଟା  ପରେ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି

ୟୁନିଭର୍ସିଟି) ପରିଚାଳିତ  ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ  ଜନ୍ମ ଗ୍ରହଣ କରିଥିବା ଏହି ଶିଶୁଟି ନବଜାତ ଶିଶୁରୋଗ ବିଶେଷଜ୍ଞଙ୍କ ଚିକିତ୍ସା ଏବଂ ଆପ୍ରାଣ ଚେଷ୍ଟା ଫଳରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଓଡ଼ିଶାରେ ଏତେ କମ୍ ଓଜନ ନେଇ ଜନ୍ମ ଗ୍ରହଣ କରିଥିବା ଶିଶୁ ସୁସ୍ଥ ହେବା ପ୍ରଥମ ଏବଂ ଏକ ଅସାଧାରଣ ଘଟଣା ।

ଶିଶୁଟିର ପିତାମାତାଙ୍କ ବିବାହର ୧୬ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲା । ବିଭିନ୍ନ ଶାରୀରିକ ସମସ୍ୟା ନେଇ ଅସୁସ୍ଥ ଥିବା ଅନୁସୂୟାଙ୍କର ପୂର୍ବରୁ ୫ଟି ଗର୍ଭ ନଷ୍ଟ ହୋଇଥିଲା । ଗର୍ଭଧାରଣର ମାତ୍ର ୨୫ ସପ୍ତାହରେ ଜନ୍ମ ଗ୍ରହଣ କରିଥିଲା ଝିଅ ସାଇ ସମ୍ପୂର୍ଣ୍ଣା ଦାସ । ତେବେ କୁନି ଝିଅଟିର ଓଜନ ମାତ୍ର ୫୦୫ ଗ୍ରାମ ଥିବାରୁ ଏହା ଡାକ୍ତରମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା ।

ଜନ୍ମ ପରେ ସମ୍ ହସ୍ପିଟାଲର ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ଶିଶୁ କନ୍ୟାଟିର ଚିକିତ୍ସା ଓ ଯତ୍ନ ନେବା ଆରମ୍ଭ କରିଥିଲେ । ଦୀର୍ଘ ୬ ମାସ ଏନ୍ଆଇସିୟୁରେ ଭେଂଟିଲେଟରରେ ରହିଥିଲା ଶିଶୁ କନ୍ୟାଟି । ଶିଶୁଟିର ଚିକିତ୍ସା ଦାୟିତ୍ୱ ନେଇଥିଲେ ନବଜାତ ଶିଶୁରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡଃ ଜଗଦୀଶ ପ୍ରସାଦ ସାହୁଙ୍କ ସମେତ ଡଃ ଦେବାଶିଷ ନନ୍ଦ, ଡଃ ରତନ ଦାସ, ଡଃ ଭଗୀରଥି ମଲ୍ଲିକ, ଡଃ ରୋଜାଲିନ୍ ରାଉତ, ଡଃ ପାୟଲ ପ୍ରଧାନ, ଡଃ ବିନୀତ ପାଣିଗ୍ରାହୀ ଏବଂ ନର୍ସିଂ ଷ୍ଟାଫ ଦୀପ୍ତି, ବିଷ୍ଣୁ, କବିତା ଓ ମଧୁ । ସେମାନଙ୍କର ଉଦ୍ୟମ ଓ ଉତ୍ତମ ଚିକିତ୍ସା ଫଳରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିପାରିଥିଲା ।

“ଏକ ଛୋଟ ଶିଶୁ ଜନ୍ମ ହେବା ମୁଁ କେବେ ଦେଖି ନଥିଲି ଏବଂ ଓଡ଼ିଶାରେ ଜନ୍ମ ଲାଭ କରିଥିବା ଶିଶୁ ମାନଙ୍କ ମଧ୍ୟରେ ଏହି ଶିଶୁଟି ସର୍ବ ନିମ୍ନ ଓଜନର”, ଡଃ ସାହୁ କହିଛନ୍ତି । ସାଧାରଣତଃ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ କମ୍ ଓଜନ ନେଇ ଜନ୍ମ ନେଇଥିବା ଶିଶୁମାନଙ୍କର ଶାରୀରିକ ସମେତ ମାନସିକ ବିକାଶ ଠିକ୍ ଭାବେ ହୋଇନଥାଏ । ତେବେ ଶିଶୁଟିକୁ ବର୍ତମାନ ଦୁଇ ବର୍ଷ ପୂରିଥିବା ବେଳେ ସେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଡଃ ସାହୁ କହିଛନ୍ତି । ଏପରିକି ଗତ ଦୁଇ ବର୍ଷ ଧରି ସମ୍ ହସ୍ପିଟାଲରେ  ନବଜାତ ଶିଶୁରୋଗ ଚିକିତ୍ସା ବିଭାଗ ପକ୍ଷରୁ ତା’ର ଜନ୍ମଦିନ ମଧ୍ୟ ପାଳନ କରାଯାଉଛି ।

ଶିଶୁର ଚିକିତ୍ସା ଏବଂ ଉତମ ଯତ୍ନ ନିମନ୍ତେ ତା’ର ପିତାମାତା ସମ୍ ହସ୍ପିଟାଲର  ଡାକ୍ତରୀ ଟିମକୁ  ଅଶେଷ ଧନ୍ୟବାଦ ଦେଇଛନ୍ତି । 

Leave A Reply

Your email address will not be published.