ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହରା- ବୁଗୁଡା ବ୍ଲକର ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଡାକ୍ତର ଦିହୁଡ଼ି ସୁରାଟରେ କାମ କରୁଥିଲେ। ଲକ ଡାଉନ ଯୋଗୁଁ କାମ ବନ୍ଦ ହେବାରୁ ଗ୍ରାମକୁ ଫେରିବାକୁ ଅପେକ୍ଷାରେ ଥିବା ସମୟରେ ହଠାତ୍ ମସ୍ତିଷ୍କର ଶୀରା ଫାଟି ଯିବା ଯୋଗୁଁ ପକ୍ଷଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆମ୍ବୁଲାନ୍ସ ଦ୍ୱାରା ଭୁବନେଶ୍ୱର ଏମ୍ସ ହସପିଟାଲକୁ ଫେରୁଥିବା ବେଳେ ମହାରାଷ୍ଟ୍ର ସୀମାରେ ମୃତ୍ୟୁ ବରଣ କରିଥିଲେ। ଘରେ ବର୍ତ୍ତମାନ ବିଧବା ପତ୍ନୀ ନିଜର ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି। ଝିଅ ଓ ପୁଅ ଉଭୟେ ରକ୍ତ ହୀନତା ରୋଗରେ ପୀଡ଼ିତ। ସେ ଦୁହିଁଙ୍କୁ ପ୍ରତି ତିନି ମାସରେ ଥରେ ରକ୍ତଦେବା ସହ ଚିକିତ୍ସାର ଆବଶ୍ୟକ ପଡୁଛି। ସୋସିଆଲ ମିଡ଼ିଆରୁ ଏହି ଖବର ଜାଣିବା ପରେ କବିସୂର୍ଯ୍ୟନଗର ବ୍ଲକର ଦେଓଗାଁ ସ୍କୁଲରେ ସଙ୍ଗରୋଧରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ନିଜ ମଧ୍ୟରେ ଅର୍ଥ ସଂଗ୍ରହ କରି ସହଯୋଗର ହାତ ବଢାଇଥିଲେ। ସେମାନେ ୫ ହଜାର ଟଙ୍କା ଆଦାୟ କରି ବୁଗୁଡା ମୌଳିକ ଅଧିକାର ସୁରକ୍ଷା ମଞ୍ଚ ସଭାପତି ତଥା କୃଷକ ନେତା ସନ୍ତୋଷ କୁମାର ସାହୁଙ୍କ ଜରୀଆରେ ସ୍ବର୍ଗତ ଡାକ୍ତରଙ୍କ ବିଧବା ପତ୍ନୀଙ୍କୁ ସେହି ଅର୍ଥ ପ୍ରଦାନ କରିଥିଲେ। ଏଥିସହ ସନ୍ତୋଷ କୁମାର ଭୂୟାଁ ଓ ମୌଳିକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଚାଉଳ, ବିସ୍କୁଟ ଓ କିଛି ଅର୍ଥ ସହାୟତା ପ୍ରଦାନ କରାଯାଇଛି। ସେହିପରି ମୋଟାବାଡ଼ି ଗ୍ରାମର ରାଜେଶ ରାଉତ, ଭଞ୍ଜନଗରର ସୁଶାନ୍ତ ପ୍ରଧାନ ଓ ବୁଗୁଡା ଜଗତପାଟଣା ଗ୍ରାମର ସୁଦର୍ଶନ ଦାଶ ପ୍ରତ୍ୟେକ ଏକ ହଜାର ଟଙ୍କା ଲେଖାଏଁ ଡାକ୍ତରଙ୍କ ବିଧବା ପତ୍ନୀ ଝିଲି ଦିହୁଡ଼ିଙ୍କ ଏକାଉଣ୍ଟକୁ ପଠାଇ ଥିବା ଜଣାପଡିଛି। ପରିବାରର ଆର୍ଥିକ ସ୍ଥିତିକୁ ଦେଖିଲେ ସେମାନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ନିତାନ୍ତ ଜରୁରୀ ଅଟେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post