ଚମ୍ପୁଆ, (ଶାସକ ପ୍ରଶାସକ ): ଯୋଡ଼ା, ବଡ଼ବିଲ ଖଣି ଅଂଚଳରେ ବିକାଶ ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳ ତଥା ବଡ଼ବିଲ ପୌରପାଳିକା ପ୍ରଶାସକ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ପୌରପାଳିକା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଣି ଅଂଚଳରେ ଯାନବାହନ ଚଳାଚଳ, ସୁରକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମହାମାରୀ କରୋନା ପୂର୍ବରୁ ଯୋଡ଼ା, ବଡ଼ବିଲ ଅଂଚଳରେ ଖଣିଜ ପରିବହନକୁ ସୁରୁଖୁରୁରେ ଚଳାଇବା ନିମନ୍ତେ ପ୍ରଶାସନ ଓ ଖଣି କମ୍ପାନୀ ସହାୟତାରେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ବିଭିନ୍ନ କମ୍ପାନୀ ପକ୍ଷରୁ ରାସ୍ତା କଡ଼ରେ ସୁରକ୍ଷା କର୍ମୀ ନିୟୋଜିତ, ପୋଲିସ୍ ତରଫରୁ ୪ଟି କଂଟ୍ରୋଲ ରୁମ୍, କ୍ରେନ୍ ଓ ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ନିଆଯାଇଥିଲା । କିନ୍ତୁ କରୋନା ନିମନ୍ତେ ଲକ ଡାଉନ ହେବା ଫଳରେ ଉପରୋକ୍ତ ପଦକ୍ଷେପ ପରିଚାଳନାରେ ସାମାନ୍ୟ ବ୍ୟାହତ ପରିଲକ୍ଷିତ ହୋଇଥିଲା । ପୁଣି ଥରେ ଖଣିଜ ପରିବହନ ପ୍ରକି୍ରୟା ସ୍ୱାଭାବିକ ହୋଇଥିବାବେଳେ ଉପରୋକ୍ତ ବ୍ୟବସ୍ଥାଗୁଡ଼ିକୁ ପୁନଃ ପ୍ରଚଳନ କରିବା ଜରୁରୀ ହୋଇଥିବା ଲକ୍ଷ୍ୟ କରି ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକରେ ଆଲୋଚନା କରିଥିଲେ । ପୁଣି ଥରେ ରାସ୍ତା କଡ଼ରେ ସୁରକ୍ଷା କର୍ମୀ ନିୟୋଜିତ, ପାଟ୍ରୋଲିଂ ଓ କ୍ରେନ୍ ବ୍ୟବସ୍ଥା, କଂଟ୍ରୋଲ ରୁମ୍ର ପୁନଃ ପ୍ରଚଳନ, ୨୧୫ ନମ୍ବର ଜାତୀୟ ରାଜପଥ ରିମୁଳିଠାରୁ କୋଇଡ଼ା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଶୀଘ୍ର ସମାପ୍ତ କରିବାକୁ ଉପଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଯେଉଁ କମ୍ପାନୀଗୁଡ଼ିକ ସୁରକ୍ଷା ବ୍ୟବସ୍ଥାକୁ ଢିଲା କରନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରୀତିମୟ ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡ଼ା ମଣ୍ଡଳାଧିକାରୀ ପ୍ରଶାନ୍ତ କୁମାର ପଣ୍ଡା,ବଡ଼ବିଲ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଥାନା ଅଧିକାରୀ ସୁଶାନ୍ତ ମିଶ୍ର, ଅତିରିକ୍ତ ଆରଟିଓ ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ତ୍ରିବେଣୀ ଆର୍ଥସ୍ ମୁଭର୍ସ, ମଟେଂ କାର୍ଲୋ , ରୁଙ୍ଗଟା ମାଇନ୍ସ, ଜେ.ଏସ୍ ଆଲୁୱାଲିଆ, ଆର୍.ପି ସାଓ କମ୍ପାନୀ, ସାରଦା ମାଇନ୍ସ, ଜେଏସ୍ପିଏଲ୍ ଭଳି କମ୍ପାନୀର କର୍ମକର୍ତା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.