ସାଂସଦ ନିଖୋଜ ପୋଷ୍ଟର ମାମଲା ଗିରଫଦାରୀକୁ  କଂଗ୍ରେସର ନିନ୍ଦା

0 1

ବାଲେଶ୍ୱର(ଶାସକ ପ୍ରଶାସକ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ନିଖୋଜ ପୋଷ୍ଟର ମାମଲାରେ ଦୁଇଜଣଙ୍କ ଗିରଫକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏନେଇ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ନିରବ ପ୍ରଦିବାଦ ପ୍ରଦର୍ଶିତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଗିରଫଦାରୀକୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତୁଷାରକାନ୍ତି ତପସୀ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଅସହିଷ୍ଣୁତାପୂର୍ଣ୍ଣ କାର୍ଯ୍ୟଧାରାକୁ ଦୃଢ଼ ସମାଲୋଚନା କରିଥିଲେ । ବାଲେଶ୍ୱରର ବିକାଶରେ ଆଦୌ ଭୂମିକା ଗ୍ରହଣ କରିନଥିବା କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦୀର୍ଘ ଅଢେ଼ଇମାସର ଲକ୍ ଡାଉନ୍ ସମୟରେ ଜିଲ୍ଲାରୁ ଅନୁପସ୍ଥିତ ରହିବା ଜିଲ୍ଲାବାସୀଙ୍କ ପାଇଁ ଉଦ୍ବେଗର  ବିଷୟ ପାଲଟିଥିଲା ।  କରୋନା ଓ ଅମ୍ଫାନ୍ ବାତ୍ୟା ଭଳି ସଂକଟ ସମୟରେ କର୍ତ୍ତବ୍ୟ ଭୁଲି ଯାଇଥିବା କେନ୍ଦ୍ରମନ୍ତ୍ରୀ କେବଳ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଅପଚେଷ୍ଟା କରୁଛନ୍ତି । ଏହି ପୋଷ୍ଟର ଘଟଣାରେ ଭୟ ପାଇ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆଜି ବାଲେଶ୍ୱରରେ ହଠାତ ଆବିର୍ଭାବ ହେବା ସହ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ଉପସ୍ଥିତି ଜାହିର କରିଛନ୍ତି ବୋଲି ସେ କହିଛନ୍ତି । କେବଳ କ୍ଷମତା ଅପବ୍ୟବହାର କରି ବିନା ପ୍ରମାଣରେ କଂଗ୍ରେସ ଦଳର ଛାତ୍ର ଓ ଯୁବନେତା ଦୁଇଜଣଙ୍କୁ ଗିରଫ କରାଇବା ଘଟଣା ବିରୋଧରେ କଂଗ୍ରେସ ଦଳ ଉଚିତ ଜବାବ ଦେବବୋଲି ଶ୍ରୀ ତପସୀ କହିଥିଲେ ।  ହୀନ ରାଜନୀତି ପାଇଁ ମନ୍ତ୍ରୀ ଓ ତାଙ୍କର ସହଯୋଗୀମାନେ ପୋଷ୍ଟର ମାମଲାରେ ପୁଲିସ ଉପରେ ଚାପ ପ୍ରୟୋଗ ସହ ଦୁଇ କଂଗ୍ରେସ ସଂଗଠକଙ୍କୁ ଗିରଫ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇଂ ରଞ୍ଜନ କୁମାର ଦାସ କହିଥିଲେ । ମନ୍ତ୍ରୀଙ୍କ ବିଫଳତା ସମ୍ପର୍କରେ ଜିଲ୍ଲାବାସୀ ବେଶ୍ ଅବଗତ ଥିବା ବେଳେ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ସମେତ କୃଷ୍ଣ ଗୋପାଳ ପଣ୍ଡା, ଦେବଦତ୍ତ ଦାସ, ସରୋଜ ମହାନ୍ତି, ରହମତ ଅଲ୍ଲି, ପ୍ରଜ୍ଞାପାରମିତା ମହାନ୍ତି ପ୍ରମୁଖ କଂଗ୍ରେସ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.