ଅମାନିଆଙ୍କୁ ସାବାଡ଼୍ କଲା ପୁଲିସ୍ 

0

ବାରିପଦା(ଦିଲ୍ଲୀପ ମହାନ୍ତି ): ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ । ଏନେଇ ଅଣଆବଶ୍ୟକ ଦୋକାନଗୁଡ଼ିକ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବାରିପଦା ସହରରେ କିଛି ଦୋକାନ ସନ୍ଧ୍ୟା ୬ ପରେ ମଧ୍ୟ ଖୋଲା ରହୁଥିବା ଦୃଷ୍ଟିଗୋଚର ହୋଇଥିଲା। ଏହାକୁ ଲକ୍ଷ୍ୟ କରି ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ପୁଲିସ୍ ନିୟମକୁ ଉଂଲଘନ କରୁଥିବା ଦୋକାନଗୁଡ଼ିକ ଉପରେ ଚଢ଼ଉ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଦୋକାନଗୁଡ଼ିକୁ ବନ୍ଦ କରାଯିବା ସହିତ ଆଗକୁ ଏପରି ନକରିବାକୁ କୁହାଯାଇଥିଲା। ସେହିପରି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ବିନା କାରଣରେ ବାହାରେ ବୁଲିବାକୁ କଡ଼ାକଡ଼ି ବାରଣ କରାଯାଇଛି। ମାତ୍ର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଅନେକ ଅମାନିଆ। ବାରମ୍ବାର ଲୋକଙ୍କୁ ଏନେଇ ସଚେତନ କରାଗଲେ ମଧ୍ୟ କିଛି ନିୟମ ଭାଙ୍ଗିବାକୁ ଯେପରି ନିଷ୍ପତି ନେଇଛନ୍ତି। ତେଣୁ ଆଜି ଟାଉନ୍ ଥାନା ପୁଲିସ୍ ପକ୍ଷରୁ ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ଅମାନିଆଙ୍କୁ ସାବାଡ଼୍ କରିବାର ପ୍ରକ୍ରିୟା। ସହରର ବାଲେଶ୍ବର ଗୋଲେଇଠାରୁ ଆରମ୍ଭ କରି ବିଭିନ୍ନ ପ୍ରମୁଖ ଛକ ଏବଂ ସ୍ଥାନଗୁଡ଼ିକରେ ବିନା ହେଲ୍ମେଟ କିମ୍ବା ଅଯଥାରେ ବାହାରେ ବୁଲୁଥିବା ଅମାନିଆଙ୍କୁ ପୁଲିସ୍ ପକ୍ଷରୁ କଡ଼ା ତାଗିଦ୍ କରାଯିବା ସହିତ ଘଉଡ଼ାଯାଇଥିଲା। ଜିଲ୍ଲାରେ ଆଜି ସୁଦ୍ଧା ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କେବଳ ବାରିପଦାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସଚେତନତା ସହିତ ସାମାଜିକ ଦୂରତା ପାଳନ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପୁଲିସର  ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।  

Leave A Reply

Your email address will not be published.