ଅଫିସ ଆସିବେନି ଗର୍ଭବତୀ ଓ ଭିନ୍ନକ୍ଷମ ଅଧିକାରୀ-କର୍ମଚାରୀ

0

କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁମତି

• ପୁରୁଣା ରୋଗ ଥିବା କର୍ମଚାରୀ ମଧ୍ୟ ଅଫିସ ଆସିବାରୁ ଛାଡ଼ ପାଇବେ

• ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ ଓ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପାଇଁ ନିୟମ ଲାଗୁ

ନୂଆଦିଲ୍ଲୀ (ଏସପିବି) : କାର୍ଯ୍ୟାଳୟକୁ ନଆସିବା ଲାଗି ଗର୍ଭବତୀ ମହିଳା ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନୁମତି ଦେଇଛି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) । ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଡ. ଜିତେନ୍ଦ୍ର ସିଂ । ସେ କହିଛନ୍ତି ଯେ ଏହି ଆଦେଶନାମା ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରାଯିବ । ଏହି ନିୟମକୁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ମଧ୍ୟ ପାଳନ କରିବେ ।

ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ, ଯେଉଁ ଗର୍ଭବତୀ ମହିଳା କର୍ମଚାରୀମାନେ ମାତୃତ୍ବ ଅବକାଶ ବର୍ତ୍ତମାନସୁଦ୍ଧା ନେଇନାହାନ୍ତି ସେମାନଙ୍କୁ ମଧ୍ୟ ଅଫିସ ନଆସିବା ଲାଗି ଅନୁମତି ମିଳିବ। ସେହିପରି ଦିବ୍ୟାଙ୍ଗ କର୍ମଚାରୀମାନେ ମଧ୍ୟ ଅଫିସ ଆସିବାରୁ ଛାଡ଼ ପାଇବେ।

ଡିଓପିଟି ପକ୍ଷରୁ ଜାରି ଏହି ସଦ୍ୟତମ ସର୍କୁଲାରରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ଯେଉଁ ସରକାରୀ କର୍ମଚାରୀମାନଙ୍କ କୌଣସି ପୁରୁଣା ରୋଗ ରହିଛି ଏବଂ ସେମାନେ ଲକଡାଉନ ପୂର୍ବରୁ ଏହି ରୋଗ ପାଇଁ ଚିକିତ୍ସାଧୀନ ଅଛନ୍ତି ସେମାନଙ୍କୁ ମଧ୍ୟ ଯଥାସମ୍ଭବ ଅଫିସ ନଆସିବା ଲାଗି ଅନୁମତି ମିଳିବ। ଏଭଳି କର୍ମଚାରୀମାନେ ସିଜିଏଚଏସ/ସିଏସ (ଏମଏ) ନିୟମ ଅନୁଯାୟୀ ନିଜେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କ ଠାରୁ ମେଡ଼ିକାଲ ପ୍ରେସକ୍ରିପ୍ସନ ଦାଖଲ କରି ଏହି ସୁବିଧା ପାଇପାରିବେ।

ଗୁରୁତ୍ବପୂର୍ଣ୍ଣ ହେଉଛି, ଅଧିକାରୀ ଏବଂ କର୍ମଚାରୀମାନେ ଅଫିସ ଆସିବା ଏବଂ ଛାଡ଼ିବା ସମୟରେ ବ୍ୟବଧାନ ରକ୍ଷା କରିବା। ଅଯଥା ଭିଡ଼ ଏଡ଼ାଇବା ଉଦ୍ଦେଶ୍ୟରେ ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ତିନୋଟି ପର୍ଯ୍ୟାୟର ଅଫିସ ଆସିବାର ସମୟସାରଣୀ ନିର୍ଦ୍ଧାରଣ କରିବା ଲାଗି ପରାମର୍ଶ ଦିଆଯାଇଛି । ଏହି ସମୟଗୁଡ଼ିକ ହେଉଛି ପୂର୍ବାହ୍ନ ୯ଟା ଠାରୁ ଅପରାହ୍ଣ 5ଟା, ପୂର୍ବାହ୍ନ ସାଢ଼େ 9ଟା ଠାରୁ ଅପରାହ୍ଣ 6ଟା ଏବଂ 10ଟା ଠାରୁ ସାଢ଼େ 6ଟା।

ଉପ ସଚିବ ପାହ୍ୟାର ଅଧିକାରୀମାନେ ସମସ୍ତ କାର୍ଯ୍ୟଦିବସରେ କାର୍ଯ୍ୟାଳୟକୁ ଆସିବେ। ଉପସଚିବ ତଳ ପାହ୍ୟାର ଅଧିକାରୀମାନେ 50 ପ୍ରତିଶତ ଉପସ୍ଥିତି ସହିତ ପ୍ରତ୍ୟେକ ବିକଳ୍ପ ଦିବସରେ ଅଫିସକୁ ଆସିବେ । ଯେଉଁମାନେ ଅଫିସ ଆସିବେ ନାହିଁ ସେମାନେ ଘରୁ ଥାଇ କାମ କରିବେ ଏବଂ ସବୁବେଳେ ଟେଲିଫୋନ ଏବଂ ଇଲେକ୍ଟ୍ରୋନିକ ମାଧ୍ୟମରେ ଯୋଗାଯୋଗରେ ରହିବେ।

ସମ୍ପୂର୍ଣ୍ଣ ଲକଡାଉନ ସମୟରେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ କାର୍ଯ୍ୟ ଜାରି ରଖିବା ନିମନ୍ତେ କାର୍ମିକ ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ଡ. ଜିତେନ୍ଦ୍ର ସିଂ ପ୍ରଶଂସା କରିଥିଲେ। ଏପରିକି ସେ କହିଥିଲେ, କିଛି କର୍ମଚାରୀ ସପ୍ତାହାନ୍ତରେ ମଧ୍ୟ ଘରୁ ଥାଇ କାମ କରୁଛନ୍ତି ଯାହାକି ଅଫିସ ବନ୍ଦ ଥିବା ସମୟରେ ସାଧାରଣତଃ ଦେଖିବାକୁ ମିଳିନଥାଏ।

ଅଫିସ ଚାଲୁ ରହିବା ସହିତ କର୍ମଚାରୀମାନଙ୍କ କଲ୍ୟାଣ ଓ ନିରାପତ୍ତା ସହିତ ସାଲିସ ନକରିବା ପ୍ରତି ଧ୍ୟାନ ଦିଆଯାଉଛି ବୋଲି ଡ. ଜିତେନ୍ଦ୍ର ସିଂ କହିଥିଲେ।

Leave A Reply

Your email address will not be published.