ଅମ୍ଫନ ମୁକାବିଲା : ବିଜୁ ଯୁବ ବାହିନୀ ସ୍ବେଛାସେବୀଙ୍କୁ ଅପିଲ୍‌ କଲେ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

0

“ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟି ଆହ୍ୱାନକୁ  ସାକାର କରିବାକୁ ବଢ଼ାନ୍ତୁ ସହାୟତାର ହାତ “

ଭୁବନେଶ୍ୱର : ସମ୍ଭାବ୍ୟ ମହାବାତ୍ୟା ‘ଅମ୍ଫନ’ର କ୍ଷୟକ୍ଷତି ପୂର୍ବରୁ ଓ ପରେ ପ୍ରଭାବିତ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ବିଜୁ ଯୁବ ବାହିନୀର ସଦସ୍ୟମାନଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ଆହ୍ୱାନ ଜଣାଇଛନ୍ତି।

ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଆଜି ଶ୍ରୀ ନାୟକ କହିଛନ୍ତି ଯେ, ମହାବାତ୍ୟା ‘ଅମ୍ଫନ’ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥିବାବେଳେ ଏସବୁ ଜିଲ୍ଲାରେ ସକ୍ରିୟ ଥିବା ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ନିଜର ସୁରକ୍ଷାକୁ ପ୍ରାଥମିକତା ଦେଇ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାତ୍ୟାରେ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଉଥିବାରୁ ତାଙ୍କର ପରାମର୍ଶକୁ ପାଳନ କରି ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକମାନଙ୍କ ପାଖରେ ଠିଆ ହେବାକୁ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନଙ୍କୁ କହିଛନ୍ତି । ରାଜ୍ୟର ୧୨ଟି ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ ବୋଲି ରିଲିଫ କମିଶନର ସୂଚନା ଦେଇଥିବାରୁ ପ୍ରଶାସନର ସହଯୋଗରେ ଏସବୁ ଜିଲ୍ଲାରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ  ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି । ବିଶେଷକରି ସମୁଦ୍ର ଉପକୂଳ ସମେତ ତଳିଆ ଅଞ୍ଚଳରେ କୋଠା ଘରେ ରହୁନଥିବା ଲୋକମାନଙ୍କୁ ପ୍ରଶାସନ ସହାୟତାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଦିଗରେ ସହଯୋଗର ହାତ ବଢ଼ାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । 

ସେହିପରି ରାଜ୍ୟବାସୀ ଏବେ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଥିବାବେଳେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ପ୍ରଥମରୁ ସାମାଜିକ ଦୂରତ୍ୱ, ହାତଧୂଆ ସଚେତନତା, କ୍ୱାରେଣ୍ଟାଇନ ସେଣ୍ଟର ପରିଚାଳନା, ଘରଘର ବୁଲି ସର୍ଭେ ଅସହାୟଙ୍କୁ ରନ୍ଧା ଖାଦ୍ୟ, ପ୍ରବାସୀ ଶ୍ରମିକଙ୍କୁ ସହାୟତା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରୁଥିବାରୁ ଶ୍ରୀ ନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ବାତ୍ୟା ମୁକାବିଲା ଦିଗରେ ଅନୁରୂପ ସକ୍ରିୟତା ଦେଖାଇବେ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.