ଡାହାଣୀ ସନ୍ଦେହରେ ହତ୍ୟା : ସମ୍ପର୍କୀୟା ବୋହୁ ଗିରଫ, ହତ୍ୟାରେ ବ୍ୟବହୃତ କଟୁରୀ ଜବତ 

0

ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଗତ ୧୦ ତାରିଖ ଦିନ  ଜଣେ ବୃଦ୍ଧା ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାରେ ଆଜି ପୋଲିସ ସମ୍ପର୍କୀୟା ବୋହୁ ସବିତା ମୁଣ୍ଡାଙ୍କୁ ଗିରଫ କରି କୋର୍ଟକୁ ଫରୱାର୍ଡ କରିଛି। ଏହି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଥିବା ଜଣାପଡିଛି |

 ପ୍ରକାଶ ଥାଉ କି ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ବୁଦୁନି ମୁଣ୍ଡାଙ୍କ ସହ ତାଙ୍କର ସମ୍ପର୍କୀୟା ବୋହୁ ସବିତା ମୁଣ୍ଡା ଏବଂ ତିନିଜଣ ଛୋଟ ଛୋଟ ନାତିନାତୁଣୀ ଏକାଠି ମିଶି ପାଖରେ ଥିବା ବଳିତା ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ତେବେ କିଛି ସମୟ ପରେ ସବିତା  ତିନିଜଣ ଛୁଆଙ୍କୁ ପାଣି ଆଣିବାକୁ ପଠାଇ ଦେଇଥିଲେ। ଛୁଆମାନେ ପାଣି ନେଇ ଫେରିବା ପରେ ଉଭୟଙ୍କୁ ଆଉ ଜଙ୍ଗଲରେ ଖୋଜି ନ ପାଇ ଘରକୁ ଫେରିଆସିଥିଲେ ଏବଂ ସମସ୍ତ କଥା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ବଳିତା ଜଂଗଲରୁ ଅର୍ଦ୍ଧଦଗ୍ଧ ମୃତଦେହକୁ ଠାବ କରିଥିଲେ। ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର  କରିଥିଲା। ତେବେ ସବିତା ନିଖୋଜ ରହିଥିବାରୁ ହତ୍ୟା ପଛରେ ତାଙ୍କର ହାତ ଥିବା ମୃତକଙ୍କ ପୁଅ ସାହେବ ମୁଣ୍ଡା ସନ୍ଦେହ ପ୍ରକଟ  କରିଥିଲେ। ଏନେଇ ପୋଲିସ ସୂଚନା ପାଇବା ପରେ ସାଇଂଟିଫିକ୍ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ପୁତୁରା ବୋହୁକୁ ଅନେକ ଖୋଜାଖୋଜି ପରେ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଧରାପଡ଼ିବା ପରେ ପୋଲିସ ନିକଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତା ସବିତା । ତାଙ୍କର କହିବା କଥା ଯେ, ଅନେକ ଦିନ ଧରି ତାଙ୍କ ଦେହ ଭଲ ରହୁ ନଥିଲା । ସଂପର୍କୀୟା ଶାଶୁ ବୁଦୁନି ମୁଣ୍ଡା ତାଙ୍କ ଉପରେ ଗୁଣିଗାରେଡ଼ି କରିବା ଯୋଗୁ ସେ ସର୍ବଦା ଅସୁସ୍ଥ ରହିଆସୁଥିଲେ । ଏଣୁ ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ବୋଲି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.