
ଚାଷୀକୁଳକୁ ଧୋକା ଦେଇ ଚାଲିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର : ପ୍ରସାଦ
ପ୍ରଦେଶ କଂଗ୍ରେସ କୃଷକ ସେଲ୍ ପକ୍ଷରୁ କୁଶମାଟି ଠାରେ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଓ କୃଷକ ସମ୍ବର୍ଦ୍ଧନା ସମାରୋହ
ଭୁବନେଶ୍ୱର . – ଓଡିଆ ସଂସ୍କୃତିର ମହାନ କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟତୃତୀୟା ଉପଲକ୍ଷେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର କୁଶମାଟି ଗ୍ରାମରେ ରାଜ୍ୟସ୍ତରୀୟ ଅଖିମୁଠି ଅନୁକୂଳ ଓ କୃଷକ ସମ୍ବର୍ଦ୍ଧନା ସମାରୋହ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମିପୂଜା କରିବା ସହିତ କ୍ଷେତରେ ଅଖିମୁଠି ଅନୁକୂଳ କରିଥିଲେ । ଏହି ଅବସରରେ ଆୟୋଜିତ କୃଷକ ସମ୍ବର୍ଦ୍ଧନା ସମାରୋହରେ ଶ୍ରୀ ହରିଚନ୍ଦନ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କୁ ଅକ୍ଷୟତୃତୀୟା ଦିବସର ମହତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇ ଚାଷୀକୂଳର ସୁଖ, ସମୃଦ୍ଧି ଓ ପ୍ରଗତି କାମନା କରି କହିଲେ ଯେ ସରକାର ଭାଗଚାଷୀ ସମସ୍ୟାର ସମାଧାନ କରିବା, କୃଷି ଋଣ ଛାଡ, ଚାଷୀ ପେନସନ ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବାରେ ଅସଫଳ ହୋଇଛନ୍ତି । ଏହି ଉଭୟ ସରକାର କେବଳ ବାରମ୍ବାର ଚାଷୀଙ୍କୁ ଧୋକା ଦେଇ ଚାଲିଛନ୍ତି । ଆଜିର ଏଭଳି ପାବନ ଅବସରରେ ସରକାର ଚାଷୀ ସମାଜର ବିକାଶ ପାଇଁ ଅନୁଚିନ୍ତା କରିବା ଏକାନ୍ତ ଜରୁରୀ । କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ ଯେ ଚାଷୀକୂଳକୁ ସମ୍ମାନ ଦେବାପାଇଁ ୧୯୯୬ ଏପି୍ରଲ୍ ୧୬ ତାରିଖ ଦିନ ପ୍ରଥମ କରି ତତ୍କାଳୀନ କଂଗ୍ରେସ ସରକାର ସମୟରେ ଅକ୍ଷୟତୃତୀୟା ଦିବସକୁ କୃଷକ ଦିବସ ରୂପେ ସରକାରୀ ସ୍ତରରେ ମାନ୍ୟତା ଦେଇ ରାଜ୍ୟରେ ସ୍ୱତନ୍ତ୍ର କୃଷିନୀତି ପ୍ରଣୟନ କରାଯାଇଥିଲା । ଯାହା ଫଳରେ ଆପିକଲ ଭଳି ଅନେକ କୃଷିଭିତ୍ତିକ ଶିଳ୍ପ ରାଜ୍ୟରେ ସେହି ସମୟରେ ଗଢି ଉଠିଥିଲା । ଖାଲି ସେତିକି ନୁହେଁ ବିହନ ଗ୍ରାମ ଯୋଜନାରେ ବିହନ ପ୍ରତିବଦଳ ହାର ବୃଦ୍ଧି କରିବା ସହିତ ରାଜ୍ୟକୁ କୃଷି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ବିଜେପି, ବିଜେଡି ସରକାରର ତ୍ରୁଟିପୂର୍ଣ୍ଣ କୃଷିନୀତି ଓ ଚାଷୀଙ୍କୁ ଅଣଦେଖା ଯୋଗୁଁ କୃଷି ସବୁଠାରୁ ବିପର୍ଯ୍ୟନ୍ତ ଏବଂ କୃଷକ ସବୁଠାରୁ କ୍ଷତିଗ୍ରସ୍ତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡ. ଯୁଧିଷ୍ଠିର ଜେନା, କଂଗ୍ରେସ ନେତା ଡ. ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ସ୍ଥାନୀୟ ସରପଞ୍ଚ ସୁନୀଲ କୁମାର ରାଉତରାୟ, ଜଟଣୀ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ସୌଗତ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, କଂଗ୍ରେସ କୃଷକ ସେଲ ଉପାଧ୍ୟକ୍ଷ ପ୍ରମୋଦ ପଟ୍ଟନାୟକ, ଆବାହକ ସୁବାଷ ରାଉତ ପ୍ରମୁଖ ବହୁ ନେତୃବୃନ୍ଦ, କର୍ମୀ ଓ ବିଭିନ୍ନ ଅଞ୍ଚଳର ସହସ୍ରାଧିକ ଚାଷୀ ଉପସ୍ଥିତ ଥିଲେ । ବିଭିନ୍ନ ଅଞ୍ଚଳର ୨୫ ଜଣ ସଫଳ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଶ୍ରୀ ହରିଚନ୍ଦନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।