ଓଡ଼ିଶାର ଗୌରବକୁ ଉଚ୍ଚା କରିବା ପାଇଁ ସଂକଳ୍ପ ନେବା ବିଜୁବାବୁଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ
ଭୂମିପୁତ୍ରଙ୍କୁ ଭୂମିଷ୍ଠ ପ୍ରଣାମ : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୧ତମ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର,: ଭୂମିପୁତ୍ର, କଳିଙ୍ଗବୀର, ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ଆଜି ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ସଭା ଆରମ୍ଭର ଅବ୍ୟବହିତ ପୂର୍ବରୁ ଅପରାହ୍ଣ ୫ଟାରେ ଏହି ମହାନ ନେତାଙ୍କ ଜୀବନୀକାଳର ଅନେକ ଅଭୁଲା ସ୍ମୃତି ସଂପର୍କିତ ଫଟୋଚିତ୍ର ଓ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସ୍ମୃତି ସଭାରେ ଅଧ୍ୟକ୍ଷତା କରି ପ୍ରବାଦ ପୁରୁଷ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ କହିଥିଲେ ଯେ ଆଜି ଆମ ସମସ୍ତଙ୍କର ପ୍ରିୟ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ବିଜୁବାବୁ ଥିଲେ ଓଡ଼ିଶାବାସୀଙ୍କର ଅତି ନିଜର । ତାଙ୍କର ସବୁ ସ୍ୱପ୍ନ, ସବୁ ସଂଗ୍ରାମ ଥିଲା ଓଡ଼ିଆ ସ୍ୱାଭିମାନ ପାଇଁ । ଓଡ଼ିଆ ଜାତିର ଗୌରବ ପାଇଁ । ଓଡ଼ିଶା ମା’ର ସ୍ୱତନ୍ତ୍ର ପରିଚୟ ପାଇଁ । ଓଡ଼ିଶା ମା’ପାଇଁ ତାଙ୍କର ଜୀବନ ଥିଲା ସମର୍ପିତ । ବିଜୁବାବୁ ଅନେକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛନ୍ତି । ସାରା ବିଶ୍ୱରେ ଓଡ଼ିଆ ଜାତିର ଗୌରବ ଉଚ୍ଚା କରିଛନ୍ତି । ନେତା ଓ ଜନତାଙ୍କ ମଧ୍ୟରେ ସଂପର୍କକୁ ନୂଆ ଦିଗ ଦେଇଛନ୍ତି । ତାହା ହିଁ ତାଙ୍କୁ କରିଛି ଇତିହାସ ପୁରୁଷ । ବିକାଶ ପୁରୁଷ । ସ୍ୱାଭିମାନୀ ପୁରୁଷ ।
୧୯୯୭ର ଆଜିର ଦିନରେ ତାଙ୍କର ପରଲୋକ ହୋଇଥିଲା ।ମୃତ୍ୟୁ ର ଏତେ ଦିନ ପରେ ମଧ୍ୟ ଓଡ଼ିଶାବାସୀଙ୍କ ସହ ତାଙ୍କ ସଂପର୍କ ପୂର୍ବପରି ମଜଭୁତ ରହିଛି । ଚାରି କୋଟି ଓଡ଼ିଆଙ୍କ ହୃଦୟରେ ବିଜୁବାବୁ ଆଜି ମଧ୍ୟ ରହିଛନ୍ତି । ବିକାଶର ରାସ୍ତାରେ ଆଗେଇ ଯିବା ପାଇଁ ତଥା ଓଡ଼ିଶାବାସୀଙ୍କ ସେବା ପାଇଁ ଆମକୁ ପ୍ରେରଣା ଦେଇ ଚାଲିଛନ୍ତି । ଆସନ୍ତୁ, ତାଙ୍କର ଏହି ପବିତ୍ର ଶ୍ରାଦ୍ଧ ଦିବସ ଅବସରରେ ଆମର ପ୍ରିୟ ଓଡ଼ିଶାର ଗୌରବକୁ ଉଚ୍ଚା କରିବା ପାଇଁ ସଂକଳ୍ପ ନେବା । ତାହା ହିଁ ସେହି ମହାନାୟକଙ୍କ ପ୍ରତି ହେବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ବିଜୁବାବୁ ରାଜ୍ୟ ଓ ରାଜ୍ୟବାସୀଙ୍କ ବିକାଶ ଲାଗି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅହରହ ଉଦ୍ୟମ ଜାରି ରଖିଥିଲେ । ନିର୍ଭୀକ ଓ କର୍ମମୟ ଜୀବନର ଦୀକ୍ଷା ନେଇଥିବା ରାଜ୍ୟ ତଥା ଦେଶର ଏହି ମହାନ ବରପୁତ୍ର ଦୃଢ଼ ସଂକଳ୍ପ, କଠୋର ସାଧନା ଓ ବ୍ୟାପକ ଦୂରଦୃଷ୍ଟି ଯୋଗୁ ସଫଳତାର ଶୀର୍ଷରେ ପହଂଚିପାରିଥିଲେ । ଦୁଃସାହସୀ ପାଇଲଟ୍ ତଥା ବିଚକ୍ଷଣ ରାଷ୍ଟ୍ର ନିର୍ମାତା ବିଜୁବାବୁ ସ୍ୱପ୍ନର ଓଡ଼ିଶାକୁ ସାକାର କରିବା ଲାଗି ଥିଲେ ସଂକଳ୍ପବଦ୍ଧ ।
ପୁରୁଣା ରାଜଧାନୀ କଟକ ସହରରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ଦେବୀଙ୍କ ଠାରୁ ତୁଳସୀପୁରସ୍ଥିତ ବାସଭବନରେ ଜନ୍ମଗ୍ରହଣ କରିଥିବା ବିଜୁବାବୁ ଥିଲେ ମୂଳରୁ ଦୁଃସାହସୀ । ତାଙ୍କ ଦୁଃସାହସିକ ଅବଦାନର ଅନ୍ୟତମ ଛାପ, ପିଲାଦିନେ ଉକ୍ରଳମଣି ଗୋପବନ୍ଧୁଙ୍କ ସହ ଡଙ୍ଗାରେ ଯାଉଥିଲା ବେଳେ ପବନରେ ଉଡ଼ି ନଦୀରେ ପଡ଼ିଯିବା ଛତାକୁ ନିଜେ ପହଁରି ଆଣି ଫେରାଇବା । ଏହାବ୍ୟତୀତ ଦ୍ୱିତୀୟ ବିଶ୍ୱଯୁଦ୍ଧ, ଭାରତ ଛାଡ଼ ଆନେ୍ଦାଳନ, ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ, କାଶ୍ମୀର ମିଶ୍ରଣ, ଭାରତ-ଚୀନ୍ ଯୁଦ୍ଧ ଓ ଭାରତ-ପାକିସ୍ତାନ ଯୁଦ୍ଧ ଆଦିରେ ତାଙ୍କର ଭୂମିକା ସଦାସ୍ୱୀକାର୍ଯ୍ୟ ।
ପରେ ସନ୍ଧ୍ୟା ୬ଟା ବେଳେ ରାଜ୍ୟ କାର୍ଯ୍ୟାଳୟ ନିକଟରେ ସମୂହ ଦୀପଦାନ କରାଯାଇଥିଲା । ସକାଳ ୬ଟାରେ ବିନ୍ଦୁସାଗର ନିକଟସ୍ଥ ଉତ୍ତରେଶ୍ୱର ଘାଟରେ ତିଳତର୍ପଣ କରାଯାଇଥିବା ବେଳେ ୯.୪୫ରେ ବିଜୁପଟ୍ଟନାୟକ ପାର୍କ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଷ୍ପମାଲ୍ୟାର୍ପଣ କରିଥିଲେ । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଦଳର ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟିକା ପ୍ରମିଳା ମଲ୍ଲିକ, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ୍ ସେନାପତି, ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝାଙ୍କ ସମେତ ଭୁବନେଶ୍ୱରର କର୍ପୋରେଟର୍, ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
