ସୁନ୍ଦରଗଡ – ବଣାଇ ବ୍ଲକ ଅନ୍ତର୍ଗତ ଭାଲୁପାଣି ପଞ୍ଚାୟତରେ ଭୋକରେ ଜର୍ଜରିତ ହେଉଥିବା ଗରିବ, ଅସହାୟ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା କଥା ପ୍ରଘଟ ହେଲାପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସମାଜସେବୀ ଶାନ୍ତନୁ କୁସୁମ | ତାସହିତ ଗରିବ, ଅସହାୟ, ନିରାଶ୍ରୟ ଲୋକଙ୍କ ଅଧିକାର ସହିତ ଏଭଳି ଛଳନା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଥିବା ବେଳେ ଏ ପ୍ରସଙ୍ଗରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ତ୍ୱରିତ ହସ୍ତଖେପ ଦାବୀକରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି | ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ସମାଜରେ ଏମିତି ଅନେକ ଗରିବ, ଅସହାୟ, ନିରାଶ୍ରୟ ଲୋକ ଅଛନ୍ତି ଯାହାଙ୍କ ଭାଗ୍ୟରେ ଗଣ୍ଡେ ଭଲକି ଖାଇବା ଆଜିବି ସ୍ବପ୍ନ | ସେମାନେ ଅନେକ ଦୋକାନ ବଜାର, ହୋଟେଲ, ଅନୁଷ୍ଠାନର ବଳକା ଖାଦ୍ୟକୁ ଖାଇ ଆଜିବି ଜୀବନ ଅତିବାହିତ କରିଥାନ୍ତି | ହେଲେ ବର୍ତ୍ତମାନ କରୋନା କଟକଣା ଯୋଗୁଁ ସବୁ ଦୋକାନ ବଜାର, ହୋଟେଲ, ଅନୁଷ୍ଠାନ ଗୁଡିକ ବନ୍ଦ ଥିବାରୁ ଅନେକ ଲୋକ ଖାଦ୍ୟରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା | ହେଲେ ସରକାର ଏହାକୁ ଗୁରୁତ୍ୱ ଦେଇ ଭୋକିଲାଙ୍କ ପାଖରେ ଗଣ୍ଡେ ସୁଷମ ଖାଦ୍ୟ ପହଞ୍ଚାଇବାର ଏକ ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଏହା ପଞ୍ଚାୟତ ସ୍ତରରେ ଲୁଟ କରିବାର ଏକ ଯୋଜନାରେ ପରିଣତ ହୋଇସାରିଛି | ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଯେଉଁଠି ଅସହାୟ, ନିରାଶ୍ରୟ ଲୋକଙ୍କ ପ୍ରତି ସମ୍ବେଦନଶିଳ ହେବାର ଆବଶ୍ୟକତା ରହିଛି, ସେହି ସମୟରେ ପଞ୍ଚାୟତ ସ୍ତରର ଅଧିକାରୀ ମାନେ ସ୍ୱୟଂ ଏଭଳି ଦୁର୍ନୀତିରେ ଲିପ୍ତ ରହିବା ଘୋର ଚିନ୍ତା ଜନକ | ଏଭଳି ପରିସ୍ଥିତିରେ କରୋନା ଭଳି ମହାମାରୀରୁ ସମାଜକୁ କେମିତି ରକ୍ଷା କରିବା ତାହା ଏକ ବଡ଼ ପ୍ରଶ୍ନବାଚୀ ବୋଲି ଶ୍ରୀ କୁସୁମ କ୍ଷୋଭ ପ୍ରକଟ କରିଥିବା ବେଳେ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କ ଏଭଳି ହୀନମନ୍ୟତାକୁ ଯେତେ କଡା ଭାଷାରେ ନିନ୍ଦା କଲେ ମଧ୍ୟ କମ ହେବ ବୋଲି କହିଛନ୍ତି | ତେଣୁ ଏ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାପାଳ ତ୍ୱରିତ ହସ୍ତଖେପ କରିବା ସହିତ କରୋନା କଟକଣା ଯୋଗୁଁ ଭୋକରେ ଛଟପଟ ହେଉଥିବା ଗରିବ, ଅସହାୟ, ନିରାଶ୍ରୟ ଲୋକଙ୍କୁ ଗଣ୍ଡେ ଉତ୍ତମ ମାନର ଖାଦ୍ୟ ଯୋଗାଇବାକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.