ସୁନ୍ଦରଗଡ଼:- ଦିଲ୍ଲୀର ନିଜାମୁଦ୍ଦିନ ଠାରେ ମରକଜ ତବଲିଗି ଜମାତର ଧାର୍ମିକ ସମ୍ମିଳନୀ ଯୋଗୁଁ କରୋନା ବ୍ୟାପିବା ଘଟଣା ସାରାଦେଶରେ ଚହଳ ପକାଇଥିବା ବେଳେ ଏହାକୁ ତୁଷ୍ଟିକରଣ ରାଜନୀତିର ପ୍ରତିଫଳନ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ତାସହିତ ହିନ୍ଦୁଙ୍କ ଧାର୍ମିକ ଉତ୍ସବରେ ଏତେ କଟକଣା ଥିବା ବେଳେ ମୁସଲମାନ ମାନଙ୍କୁ କାହିଁକି ଏତେ ଅନୁକମ୍ପା ବୋଲି ସେ ପ୍ରଶ୍ନ କରିଥିବା ବେଳେ ତୁଷ୍ଟିକରଣ ରାଜନୀତି ଓ ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଭାରତ ଆଜି ଏକ ବଡ଼ ବିପଦ ମୁଁହରେ ପଡିଗଲା ବୋଲି ସେ କ୍ଷୋଭପ୍ରକାଶ କରିଛନ୍ତି | ଏହି ଅବସରରେ ଭିଏଚପି କାର୍ଯ୍ୟକର୍ତ୍ତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ମହାମାରୀ କରୋନାର ମୁକାବିଲା ନିମନ୍ତେ ଦେଶରେ 21 ଦିନ ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଥିବା ବେଳେ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଉତ୍ସବ ଓ ଜନସମାଗମକୁ ବାରଣ କରିଛନ୍ତି | ତାଛଡା ହିନ୍ଦୁ ମଠ ମନ୍ଦିର ଗୁଡିକରେ କଟକଣା ଠିକରେ ପାଳନ ହେଉଛି କି ନାହିଁ ତାପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଘନ ଘନ ଯାଞ୍ଚ ହେଉଛି | ତେଣୁ ପୁର ପଲ୍ଲୀରେ ଥିବା ସାଧାରଣ ଗୁଡିରେ ମଧ୍ୟ ତାଲା ପଡିଛି | ହେଲେ ହିନ୍ଦୁ ମାନଙ୍କ ଧାର୍ମିକ ଅନୁଷ୍ଠାନ ଓ ଉତ୍ସବ ପ୍ରତି ଏତେ କଡାକଡି କଟକଣା ଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ମୁସଲମାନ ମାନଙ୍କ ଏକ ଧାର୍ମିକ ଉତ୍ସବ କେମିତି ସମ୍ଭବ ହୋଇପାରିଲା ବୋଲି କୁସୁମ ପ୍ରଶ୍ନ କରିଛନ୍ତି | ଆଇନର ହାତବି ଧର୍ମ ଦେଖି କାର୍ଯ୍ୟକାରୀ ହୁଏ କି ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ ତୁଷ୍ଟିକରଣ ରାଜନୀତି କରି ଦେଶବାସୀଙ୍କ ସହିତ ବିଶ୍ୱାସଘାତ ନକରିବାକୁ କୁସୁମ ନିବେଦନ କରିଛନ୍ତି |