ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବେ ସରକାର : ରାଜସ୍ୱ ମନ୍ତ୍ରୀ
ହେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସୁରକ୍ଷା ପାଇଁ ନା ଲୋକାଭିମୁଖୀ ଅଧିକାରୀଙ୍କ ପାଇଁ ???????
ଭୁବନେଶ୍ୱର : ପ୍ରଶାସନିକ କାର୍ଯ୍ୟ କଲାବେଳେ ତହସିଲଦାର ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ସରକାର ଗୁରୁତର ସହ ନେଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସ୍ୱତନ୍ତ୍ର ସୁରକ୍ଷା ବଳ ଗଠନ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି । ଅତି ଉତ୍ତମ ପ୍ରସ୍ତାବ, ଲୋକଙ୍କ ପାଇଁ ନିଷ୍ଠାର ସହ କାମ କରୁଥିବା ତଥା ଦୁର୍ନୀତିକୁ ପ୍ରଶ୍ରୟ ନଦେଇ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ର ସୁଫଳ ପହଞ୍ଚାଉଥିବା ଲୋକପ୍ରିୟ ପ୍ରଶାସକଙ୍କ କାମରେ ବିଘ୍ନ ସୃଷ୍ଟି କରୁଥିବା ମାଫିଆ ତଥା ଆସାମାଜିକ ବ୍ୟକ୍ତିଙ୍କ କବଳରୁ ଅଧିକାରୀଙ୍କୁ ସୁରକ୍ଷା ଦେବା ସରକାରଙ୍କ ସବୁଠୁ ବଡ କର୍ତ୍ତବ୍ୟ | ସଛୋଟା ପ୍ରଶାସକଙ୍କ ସୁରକ୍ଷା ସର୍ବାଦୌ ଅପରିହାର୍ଯ୍ୟ | ହେଲେ ପିସି ଖିଆ, ଲାଞ୍ଚୁଆ, ଦୁର୍ନୀତିଗ୍ରସ୍ତ, ଲୋକଙ୍କୁ ହଇରାଣ ହରକତ କରାଉଥିବା ଜଣ ବିରୋଧୀ ପ୍ରଶାସକ ଯଦି ଲୋକଙ୍କ ଆକ୍ରୋଶର ଶୀକାର ହୁଅନ୍ତି ତେବେ ରାଜ୍ୟ ସରକାରଙ୍କ ସେଇ ପ୍ରସ୍ତାବିତ ସୁରକ୍ଷା ବଳ କାହାକୁ ସୁରକ୍ଷା ଦେବା ? ଲୋକଙ୍କୁ ହନ୍ତସନ୍ତ କରୁଥିବା ଦୁର୍ନୀତିଗ୍ରସ୍ତ ପ୍ରଶାସକଙ୍କୁ ନା ପ୍ରଶାସକଙ୍କ ଅବହେଳା ଓ ଦୁର୍ନୀତିଯୋଗୁ ସରକାରଙ୍କ ବିଭିନ୍ନ ଲାନା ହିତକର ଯୋଜନାରୁ ବଂଚିତ ହେଉଥିବା ନିଷ୍ପେସିତ ପ୍ରଜାକୁ ?
ସୋମବାର ଦିନ ସ୍ଥାନୀୟ ଜାଭିୟର ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଂଟ ଅଡିଟୋରିୟମ ଠାରେ ଓଡିଶା ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକୀ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ମହାନ୍ତି କହିଥିଲେ ଯେ ରାଜ୍ୟ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟ ତଥା ଯୋଜନା ଲୋକଙ୍କ ପାଖରେ ପହଂଚାଇବା କ୍ଷେତ୍ରରେ ଓଡିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ)ଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ବାଧା ବିଘ୍ନ ତଥା ପ୍ରତିକୂଳ ପରିସ୍ଥତିରେ ସେମାନଙ୍କୁ କାର୍ଯ୍ୟ କରିବାକୁ ପଡୁଛି । ବିଭିନ୍ନ ସମୟରେ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ ହେଉଛି । ସରକାର ଏହାକୁ ଗୁରୁତର ସହ ନେଇ ସେମାନଙ୍କୁ ସୁରକ୍ଷା ଦେବାକୁ ସ୍ୱତନ୍ତ୍ର ପୋଲିସ ବଳ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଏ ନେଇ ପୋଲିସ ପ୍ରଶାସନ ସହ ବିଚାର ବିମର୍ଶ ଚାଲିଥିବା ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି । ସରକାରଙ୍କ ଯୋଜନା କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚିବ ତଥା ପ୍ରଶାସନକୁ ଲୋକାଭିମୂଖୀ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଓଏଏସ କ୍ୟାଡରର ପୁନର୍ବିନ୍ୟାସ କରାଯାଇଥିବାବେଳେ ଖାଲି ପଦବୀ ପୂରଣ ତଥା ସଂଘର ଅନ୍ୟାନ୍ୟ ଦାବି ପ୍ରତି ସରକାର ସଚେତନ ତଥା ସକରାତ୍ମକ ମନୋଭାବ ପୋଷଣ କରୁଥିବା ମନ୍ତ୍ରୀ କହିଥିଲେ । ସମ୍ମାନୀତ ଅତିଥିଭାବେ ପଂଚାୟତିରାଜ ଓ ପାନୀୟଜଳ, କୃଷି,ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଯୋଗ ଦେଇ କହିଥିଲେ ଯେ ସରକାରଙ୍କ ସଫଳତାର ଶ୍ରେୟ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଯିବ । କାରଣ ସରକାରଙ୍କ ଜନମଙ୍ଗଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସେମାନେ । କାର୍ଯ୍ୟ କଲାବେଳେ ସେମାନଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି । ସେସବୁକୁ ସୁଯୋଗ ଭାବେ ନେଇ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ଶ୍ରୀ ମହାରଥୀ ପରାମର୍ଶ ଦେଇଥିଲେ । ସଂଘର ସଭାପତି ସରୋଜ କୁମାର ସାମଲ ଓଡିଶା ପ୍ରଶାସନିକ ସେବାର ଉତ୍ପତି ଓ ଆବଶ୍ୟକତା ଉପରେ ଆଲୋକ ପାତ କରିବା ସହ କହିଥିଲେ, ଯେ ଏହି ଦୁଇ ଦିନିଆ ସମ୍ମିଳନୀରେ କେବଳ ସଂଘର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହେବନାହିଁ ବରଂ ପ୍ରଶାସନକୁ ଆହୁରି ଅଧିକ କିପରି କ୍ରିୟାଶୀଳ କରାଯିବ ସେ ନେଇ ଆଲୋଚନା ହେବ । ସଂଘର ସଂପାଦକ ଜ୍ୟୋତି ରଂଜନ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପସଭାପତି ଉଦ୍ଧବ ମାଝୀ, ସହ ସଂପାଦକ ବିଜୟ ସ୍ୱାଇଁ, ଅରୁଣ ବିଶ୍ୱାଳ, ଲୋପାମୁଦ୍ର ମହାନ୍ତି, ସୁରଂଜନ ପ୍ରଧାନ, ତଲଦ ଅହମ୍ମଦ, ଶାନ୍ତୁନୁ ଆଚାର୍ଯ୍ୟ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ ।