ରାଜ୍ୟ ସଂଯୋଜକ ଭାବେ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସହ ସଂଯୋଜକ ଭାବେ ଦିଲୀପ ମଲ୍ଲିକ ମନୋନୀତ
ଭୂବନେଶ୍ୱର/chakradhar majhi : ଆସନ୍ତା ଏପ୍ରିଲ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଅବସରରେ ସମଗ୍ର ଦେଶରେ ଗ୍ରାମ ସ୍ୱରାଜ ଅଭିଯାନ ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି । ଏହି ଅଭିଯାନ ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହୋଇ ମେ ୫ ତାରିଖରେ ସମାପ୍ତ ହେବ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, ସୈାଭାଗ୍ୟ ଯୋଜନା, ଉଜାଲା ଯୋଜନା, ପ୍ରଧାନମନ୍ତ୍ରୀ ଧନ ଜନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ମିଶନ ଇନ୍ଦ୍ରଧନୁଷ ଆଦି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଏବଂ କଲ୍ୟାଣମୂଳକ ଯୋଜନାଗୁଡିକର ସାଧାରଣ ଜନତା ଓ ହିତାଧିକାରୀଙ୍କ ପାଖରେ ପ୍ରଚାର ଓ ପ୍ରସାର ମାଧ୍ୟମରେ ପହଂଚାଇବା ହେବ ମୂଳ ଉଦ୍ଦେଶ୍ୟ । ଦେଶର ବଛା ବଛା ୨୧୦୫୮ଟି ପଛୁଆ ଓ ଗରିବ ଗ୍ରାମକୁ ପ୍ରାଥମିକ ଭାବେ ଏହି ଅଭିଯାନରେ ସାମିଲ କରାଯାଇଛି ।
ରାଜ୍ୟରେ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଭାରତୀୟ ଜନତା ପାର୍ଟୀର କେନ୍ଦ୍ରୀୟ ନିଷ୍ପତି ଅନୁଯାୟୀ ରାଜ୍ୟ ସଭାପତି ବସନ୍ତ ପଣ୍ଡା ରାଜ୍ୟ ପାଇଁ ସଂଯୋଜକ ଏବଂ ସହ ସଂଯୋଜକ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ରାଜ୍ୟ ସଂଯୋଜକ ଏବଂ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକଙ୍କୁ ସହ ସଂଯୋଜକ ଭାବେ ଶ୍ରୀ ପଣ୍ଡା ମନୋନୀତ କରିଛନ୍ତି ।

