ବବିଙ୍କ ତାଗିଦ : ବିଶୃଙ୍ଖଳା ବରଦାସ୍ତ କରାଯିବନି, ଏକ ମନ ହୋଇ ସମସ୍ତେ କାମ କର

0

ବିଜୁ ଭବନ ପରିସରରେ ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକରେ ରୋକଠୋକ କହିଲେ ବବି 

  • ଦଳରେ କର୍ମୀ ଓ ନେତା ସମସ୍ତେ ସମାନ, କେହି ସାନବଡ ନୁହନ୍ତି 

  • ପ୍ରତି ମାସରେ ଆସି ଦଳୀୟ ସଂଗଠନର ଅଗ୍ରଗତି ସମୀକ୍ଷା କରିବି 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା  ବିଜୁ ଭବନ ପରିସରରେ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଜେଡିର ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିସହିତ ଜିଲ୍ଲାରେ ୯ଟି ନିର୍ବାଚନ ମଣ୍ଡଳୀର ମହିଳା ସମାବେଶ ଆୟୋଜନ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ପର୍ଯ୍ୟବେକ୍ଷକ ବବି ପୁଣି ଥରେ ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସମସ୍ତଙ୍କୁ ଚେତାଇ ଦେଇଥିଲେ । ଏଠି ସହିତ ଦଳରେ କର୍ମୀ ଓ ନେତା ସମସ୍ତଙ୍କର ଗୁରୁତ୍ୱ ସମାନ । କେହି ବଡ଼ କିମ୍ବା ସାନ ନୁହନ୍ତି । ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଇବା ନିମନ୍ତେ ନିର୍ବାଚନ ମଣ୍ଡଳୀ ୱାରୀ କର୍ମୀ ଓ ନେତାମାନଙ୍କର ମତାମତ ଲୋଡିଥିଲେ । ଦଳକୁ ଶକ୍ତିଶାଳୀ କରି ଗଢିତୋଳିବା ନିମନ୍ତେ ସମସ୍ତେ ଏକ ମନ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ । ବୈଠକରେ ବ୍ଲକ ଓ ଗ୍ରାମ କମିଟିକୁ ଅଧିକ ସକ୍ରିୟ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ପ୍ରତ୍ୟେକ ମାସ ଜିଲ୍ଲା ଗସ୍ତରେ ଆସି  ଦଳୀୟ ସଂଗଠନର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା କରିବେ ବୋଲି ଘୋଷଣା କରିଥିଲେ ।

ଉକ୍ତ ବୈଠକରେ ବାରିପଦା ଓ ମୋରଡ଼ା ପାଇଁ ନବନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ,  ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସାନନ୍ଦ ମାର୍ଣ୍ଡି, ଦେବାଶିଷ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜ କିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଶ୍ରୀନାଥ ସୋରେନ, ଭାଦବ ହାଁସଦା, ଗୋଲକ ନାୟକ, ଗୋଲକ ନାୟକ(ପୂର୍ବତନ ବିଧାୟକ), ଗଣେଶ୍ୱର ପାତ୍ର, ବିରଭଦ୍ର ସିଂ, ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.