ଚାଷୀ ମନରେ ଗଜା ମାରିଲାଣି ହତାଶା,  ସରକାର ଖାଲି ଏକା ଭରସା 

0

ଅହନ୍ତା ସାଜିଥିଲା ପ୍ରଶାସନ, ଏବେ ଦାଉ ସାଧିଲାଣି ବରଷା

ବୋୖଦ୍ଧ(ଜଗନ୍ନାଥ ରେଡ୍ଡୀ): ବର୍ଷ ତମାମ ବିଲରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଉପୁଯାଉଥିବା ଚାଷୀ ବାପୁଡ଼ା ଏବେ ମୁଣ୍ଡରେ ହାତ ଦେଇ ବସିଛି | କଷ୍ଟପାର୍ଜିତ ଫସଲ ଗଣ୍ଡିକ ସରକାରଙ୍କୁ ବିକିବ ବୋଲି ବାନ୍ଧିଥିବା ଆଶା ଟିକକ ଏବେ ମଉଳିବାକୁ ବସିଛି | ଧାନ ମଣ୍ଡିରେ ଧାନ ଗଦେଇ ବସିଛି କେତେବେଳେ ସରକାରଙ୍କ ସୁଦୟା ହେବ | ପ୍ରଶାସନ ଟିକେ ଆଡ ଆଖିରେ ଚାହିଁବ | ହେଲେ ଅପେକ୍ଷା କରି କରି ଆଖି ପାଣି ମରିଗଲାଣି, ହତାଶା ଗଜା ମାରିଲାଣି ମଣ୍ଡିରେ ଗଦା ହୋଇ ଗଜା ମାରୁଥିବା ଧାନବସ୍ତା ଭିତରୁ | ମନସ୍ତାପରେ ଚାଷୀ, ଚାଷ କରି ଧାନ ଉପୁଯାଇ ସେ କିଛି ପାପ କରିଦେଇନି ତ !

ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ଅସୁବିଧା ଦେଖା ଦେଇଥିବା ତଥା ଚାଷୀ ମାନେ ଟୋକନ ନପାଇ ରାସ୍ତା ଉପରେ ଧାନ ବସ୍ତା ଧରି ବସିଥିବାର ଅଭିଯୋଗ ଆସୁଥିବା ବେଳେ ଆମେ ଆଜି କହୁଛୁ  ବୌଦ୍ଧ ଜିଲ୍ଲାର ଚାଷୀ ମାନଙ୍କ କଥା | ପ୍ରଶାସନ ଯାହା ଅହନ୍ତା ସାଜିଥିଲା ଏବେ  ବୋୖଦ୍ଧ ଜିଲ୍ଲା ଚାଷୀଙ୍କୁ ପୁଣି କନ୍ଦାଇଲା ବର୍ଷା। ଗତ କାଲି ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ଭିଜୁଛି ପ୍ରାୟ 7ହଜାର କୁଇଣ୍ଟାଲ ଧାନ। ଜିଲ୍ଲାର ହରଭଙ୍ଗା ବ୍ଲକର ବାମୋଣ୍ଡା, ବାଣିଭୂଷଣପୁର, ଅଡ଼େଣିଗଡ଼,ସରସରା, ବୋୖଦ୍ଧ ବ୍ଲକର ବଘିଆପଡ଼ା, ମୁଣ୍ଡିପଦର, ରକ୍ସା, ବହିରା ତଥା କଣ୍ଟାମାଳ ବ୍ଲକର ଶିମିଳିପଦର, ସୁଣ୍ଡିପଦର, ବରଗୋଛl ଲମ୍ବସରି ଆଦି ମଣ୍ଡିରେ  ଧାନ ଭିଜି ନଷ୍ଟ ହେବାକୁ ବସିଲାଣି। ଗୋଟିଏ ପଟେ ଜିଲ୍ଲାରେ ଫେବୃଆରୀ ଶେଷ ସୁଦ୍ଧା 13 ଲକ୍ଷ 42 ହଜାର 647 କୁଇଣ୍ଟାଲ ଧାନ କିଣିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା 11 ଲକ୍ଷ 30 ହଜାର କୁଇଣ୍ଟାଲ ଧାନ କିଣା ସରିଛି। ବକେୟା ଆହୁରି 2ଲକ୍ଷ କୁଇଣ୍ଟାଲ ଧାନ କିଣିବା ବାକି ରହିଛି। ହେଲେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ପ୍ରାୟ 650 ଜଣ ଚାଷୀଙ୍କ ଟୋକନ ରଦ୍ଦ ହୋଇଛି। ଯାହା ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ତେବେ ଚାଷୀଙ୍କୁ ନ୍ୟାୟ ଦେବା ଦିଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

 

Leave A Reply

Your email address will not be published.