ବରପୁତ୍ରମାନଙ୍କ ସ୍ୱପ୍ନ  ଆଜି ବି ଅପୂରଣୀୟ ହୋଇ ରହିଛି

0

୮୨ତମ ଉକ୍ରଳ ଦିବସରେ ବରପୁତ୍ରଙ୍କୁ ସମାଜବାଦୀ ପାର୍ଟିର ଶ୍ରଦ୍ଧାଞ୍ଜଳି

ବରପୁତ୍ରମାନଙ୍କ ସ୍ୱପ୍ନ  ଆଜି ବି ଅପୂରଣୀୟ ହୋଇ ରହିଛି

ଭୁବନେଶ୍ୱର : ୮୨ତମ ସ୍ୱତନ୍ତ୍ର ଉକ୍ରଳ ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ର ଉକ୍ରଳଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସ୍ମୃତି ଉଦେ୍ଧଶ୍ୟରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି  । ପାର୍ଟିର ରାଜ୍ୟସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟକର୍ମୀମାନେ ଆଜି ସକାଳୁ ରାଜଭବନ ନିକଟ ମଧୁବାବୁ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ଏ.ଜି. ଛକସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ  । ଭାରତ ବର୍ଷରେ ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ  । ସେତେବେଳେ ଏହି ବରପୁତ୍ରମାନେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ଗଢ଼ିତୋଳିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ଅପୂରଣୀୟ ହୋଇ ରହିଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି  । ଓଡ଼ିଶାର ଜଳସମ୍ପଦ ଓ ଖଣିଜସମ୍ପଦକୁ ଆଜି ଲୁଣ୍ଠନ କରାଯିବା ସହିତ ଏହାର ସୀମାନ୍ତବର୍ତ୍ତୀ ଗ୍ରାମମାନଙ୍କୁ ଅନ୍ୟ ରାଜ୍ୟମାନେ ଦଖଲ କରିସାରିଲେଣି  । ସୁବର୍ଣ୍ଣରେଖା ଆଜି ପଶ୍ଚିମବଙ୍ଗର ବାଲି ମାଫିଆଙ୍କର ସ୍ୱର୍ଗଭୂମି  । ସେହିଭଳି ଶଙ୍ଖ, କୋଏଲ, ବ୍ରାହ୍ମଣୀ ନଦୀ ଆଜି ଝାଡଖଣ୍ଡ କବଳରେ  । ଛତିଶଗଡ଼ ମଧ୍ୟ  ଓଡ଼ିଶାର ଜୀବନରେଖା ମହାନଦୀକୁ ଶୁଖେଇଦେଇ ଓଡ଼ିଶାକୁ ମରୁଭୂମିରେ ପରିଣତ କରିବାର ଷଡ଼ଯନ୍ତ୍ରରେ ଲିପ୍ତ  । ବଂଶଧାରା  ନଦୀକୁ ଆନ୍ଧ୍ର ଦଖଲ କରିସାରିଲାଣି  । ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବାପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲେ ହେଁ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାଁନ୍ତି  । ଓଡ଼ିଶାର ଖଣିଜ ସମ୍ପଦକୁ ଅଣଓଡ଼ିଆ ବେପାରୀମାନେ ଲୁଣ୍ଠନ କରିବାରେ ଲାଗିଛନ୍ତି  । ତେଣୁ ଆଜି ସମୟ ଆସିିଛି, ସମସ୍ତ ଓଡ଼ିଆ ଭାଇ ଭଉଣୀଏକାଠି ହୋଇ ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା ସହିତ ଏହାକୁ ଏକ ସମୃଦ୍ଧଶାଳୀ ରାଜ୍ୟ ଭାବରେ ଗଠନ କରିବା ପାଇଁ ଆଗେଇ ଆସିବାକୁ ସମାଜବାଦୀ ପାର୍ଟି ଆହ୍ୱାନ ଦେଉଛି  । ରାଜ୍ୟର ୯୦ ଭାଗ ଲୋକ ଦଳିତ ଆଦିବାସୀ ଓ ପଛୁଆବର୍ଗ ତଥା ଭୂମିହୀନ ଚାଷୀ ଓ କୃଷି ଶ୍ରମିକ  । ଯେପର୍ଯ୍ୟନ୍ତ ଏହି ସଂଖ୍ୟାଧିକ ଜନସାଧାରଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ନ ହୋଇଛି ସେ ପର୍ଯ୍ୟନ୍ତ ଏ ରାଜ୍ୟ ସମୃଦ୍ଧଶାଳୀ ହୋଇପାରିବ ନାହିଁ  । ଗୋଟାଏ ପଟେ ୩୦ ଲକ୍ଷ ଯୁବକ ବେକାର ଏବଂ ଅନ୍ୟପଟେ ରାଜ୍ୟର ଋଣ ଭାର ମୁଣ୍ଡପିଛା ୨୧ହଜାର ୯୦୪ ଟଙ୍କା  । ଏହିଭଳି ଋଣ ଜନ୍ତାରେ କୌଣସି ଜାତି ଅଣ୍ଟା ସଳଖି ଠିଆ ହୋଇପାରେନାହିଁ ବୋଲି ସଭାପତି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି  । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସମ୍ପାଦକ ସୁଦର୍ଶନ ପ୍ରଧାନ, ସମାଜବାଦୀ କୃଷକ ସଭାର ଉପସଭାପତି ବିଜୟ ବେହେରା, ଯୁବ ଜନସଭା ରାଜ୍ୟ ସଭାପତି ସମ୍ବିତ୍ ଦାସ ଓ ଯୁବନେତା ସଂଜୟ ନାୟକ, ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଏହି ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  । 

Leave A Reply

Your email address will not be published.