ବାର କାଉନସିଲର ଚରମ ନିଷ୍ପତ୍ତିକୁ ନେଇ ବଲାଙ୍ଗୀର ଓକିଲଙ୍କ ଅସନ୍ତୋଷ : ଚାଲିବ ଆନ୍ଦୋଳନ, ଆବଶ୍ୟକ ପଡ଼ିଲେ ସମୂହ ଲାଇସେନ୍ସ ସରେଣ୍ଡର

0 1

ବଲାଙ୍ଗୀର( ନିରୋଜ ମିଶ୍ର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନରତ ଓକିଲ ମାନଙ୍କ ବିରୁଦ୍ଧରେ ରାଜ୍ୟ ଆଇନଜୀବୀ ପରିଷଦ(ରାଜ୍ୟ ବାର କାଉନସିଲ)ର ଚରମ ନିଷ୍ପତ୍ତି ପରେ ମଧ୍ୟ ବଲାଙ୍ଗୀରରେ ଓକିଲ ମାନଙ୍କ ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଜିଲା ଓକିଲ ସଂଘ କହିଛି। ଓକିଲ ମାନଙ୍କ ଲାଇସେନ୍ସ ରଦ୍ଦ କରିବାର ସୁପ୍ରିମ କୋର୍ଟର ନିର୍ଦ୍ଦେଶକୁ ବେଖାତିର କରି ଓକିଲ ମାନେ ଦରକାର ପଡିଲେ ସମୂହ ଲାଇସେନ୍ସ ସରେଣ୍ଡର କରିବା ପାଇଁ ଚେତାବନୀ ଦେଇଛନ୍ତି। ଆଜି ସ୍ଥାନୀୟ ବାର ହଲ୍‍ ଠାରେ ବଲାଙ୍ଗୀର ଜିଲା ଓକିଲ ସଂଘର ସଭାପତି ପ୍ରମୋଦ କୁମାର ତ୍ରିପାଠୀଙ୍କ ଆବାହକତ୍ୱରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଦୁଇ ଦିନ ମଧ୍ୟରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ସାକ୍ଷାତ କରି ନିଜର ଦାବି ସମ୍ପର୍କରେ ଅବଗତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସୁପ୍ରିମ କୋର୍ଟ ଓ ରାଜ୍ୟ ଆଇନଜୀବୀ ପରିଷଦର ଏକଚାଟିଆ କାରବାରକୁ ବିରୋଧରେ ଆସନ୍ତା ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶାର ଓକିଲ ମାନେ ଦେଇଥିବା ବନ୍ଦ ଡାକରାକୁ ସମସ୍ତ ସଫଳ କରିବା ପାଇଁ ସଂଘର ସଭାପତ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି। ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଓକିଲ ସଂଘର ବରିଷ୍ଠ ସଭ୍ୟ ଆନନ୍ଦ ପାଣିଗ୍ରାହୀ, ଜଗନ୍ନାଥ ଆଚାର୍ଯ୍ୟ, ଅମରେନ୍ଦ୍ର ମିଶ୍ର, ରତନ ମହାରଣା, ଭବାନୀ ଶତପଥୀ, ରବି ବହିଦାର, ବିଜୟ ମିଶ୍ର, ଅରବିନ୍ଦାକ୍ଷ ପୂଜାରୀ, ମାଧବ ପୁରୋହିତ, ସୁରେନ୍ଦ୍ର ମିଶ୍ର, ସୁସାନ୍ତ ବାଘ, ଦେବାଶିଷ ବିଶ୍ୱାଲ, ରାଜେନ୍ଦ୍ର ମିଶ୍ର, ଆଶିଷ ଦର୍ଜି, ପୁରୁଷୋତ୍ତମ ଦାଶ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ସମ୍ପାଦକ ଅମନ ନାଗ ଏବଂ ଉପସଭାପତି ବାସୁଦେବ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ।ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଠାରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ହେବ ବଲାଙ୍ଗିର ଜିଲା ଓକିଲ ସଂଘ ଆନ୍ଦୋଳନ କରି କୋର୍ଟ କାମକୁ ଅଚଳ କରିଦେଇଛି। ନିକଟରେ ସୁପ୍ରିମ କୋର୍ଟ ଆନ୍ଦୋଳନରତ ଓକିଲ ମାନଙ୍କ ଲାଇସେନ୍ସ ରଦ୍ଦ କରିବା ତଥା ମୁକଦ୍ଦମା ଗୁଡିକୁ ନିକଟସ୍ଥ ଅଦାଲତକୁ ସ୍ଥାନାନନ୍ତରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଜିଲା ଓକିଲ ସଂଘର କର୍ମକର୍ତ୍ତା ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଆଇନଜୀବୀ ପରିଷଦକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.