ବଲାଙ୍ଗୀର ରାଜନୀତି : ୨୦୧୯ରେ ରାଜ ପରିବାରକୁ ଟକ୍କର ଦେବେ ମିଶ୍ର

0

ବଲାଙ୍ଗୀର ରାଜନୀତି : ୨୦୧୯ରେ ରାଜ ପରିବାରକୁ ଟକ୍କର ଦେବେ ମିଶ୍ର

ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗୀର  ଦେଖିବାକୁ ମିଳିବ ରାଜ ପରିବାର ବନାମ ମିଶ୍ର ପରିବାର ଲଢେ଼ଇ  । ୧୯୯୮ରୁ ଆଜିଯାଏଁ ବଲାଙ୍ଗୀର ରାଜ ପରିବାର ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀକୁ କରାୟତ କରି ରଖି ଆସିଛନ୍ତି  । ଅପରପକ୍ଷରେ ୧୯୯୦ରୁ ୨୦୧୪ ଯାଏଁ ଅନଙ୍ଗ ଉଦୟ ସିଂହଦେଓ ବଲାଙ୍ଗୀର ବିଧାନସଭା ନିର୍ବାଚନମଣ୍ଡଳୀକୁ କବ୍ଜା କରି ଆସିଥିବାବେଳେ ୨୦୧୪ରେ ଏହି ଆସନକୁ ଛଡ଼ାଇ ଆଣିଥିଲେ ନରସିଂହ ମିଶ୍ର । ବଲାଙ୍ଗୀର ରାଜନୀତିରେ ରାଜ ପରିବାର ଭଳି ମିଶ୍ର ପରିବାରର ମଧ୍ୟ ବେଶ୍ ଦବଦବା ରହିଥିବାବେଳେ ୨୦୧୯ରେ ରୋଚକ ଲଢେ଼ଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି  । ଆଉ ନାଇଁ ନାଇଁ କରୁଥିବା ନରସିଂହ ବାବୁ ପୁଣି ନିର୍ବାଚନ ଲଢ଼ିବା ଥୟ | ହେଲେ ମିଶ୍ର -ସିଂହଦେଓ ପରିବାର ମଧ୍ୟରେ ଏହି ଲଢେଇରେ ଯେତେବେଳେ ନରସିଂହ ପୁଣି ଲଢ଼ିବେ ବୋଲି ଶୁଣିବାକୁ ମିଳିଲାଣି, ତେବେ ତାଙ୍କୁ କାଉଣ୍ଟର ଦେବାକୁ ନିଜେ ଅନଙ୍ଗ ଉଦୟ ସିଂହଦେଓ ମଇଦାନକୁ ଓହ୍ଲାଉଛନ୍ତି ନ ତାଙ୍କ କନିଷ୍ଠ ପୁତ୍ର ଅରକେଶ ଓହ୍ଲାଉଛନ୍ତି ତାହାକୁ ଅପେକ୍ଷା |

୨୦୧୯ରେ ବିଜେଡ଼ିରୁ କଳିକେଶ ସିଂହଦେଓ ଲୋକସଭା ପ୍ରାର୍ଥୀ ହେବା ନିଶ୍ଚିତ ହେଉଥିବା ବେଳେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ  ନିଜ ପତ୍ନୀ ସଂଗୀତାଙ୍କ ପାଇଁ ଲୋକସଭା ଟିକଟ ହାତେଇବା ଥୟ |  ସଂଗୀତା ମଧ୍ୟ ବିଜେଡ଼ି ଓ ବିଜେପି ମେଂଟ ବେଳେ ବଲାଙ୍ଗୀରରୁ ୩ ଥର ସାଂସଦ ହୋଇସାରିଛନ୍ତି  । କଳିକେଶ ମଧ୍ୟ ୨୦୦୯ ଓ ୨୦୧୪ରେ ଭାଉଜଙ୍କୁ ପରାସ୍ତ କରି ଦୁଇ ଥର ସାଂସଦ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି  । ହେଲେ ଦିଅର ଭାଉଜ ଲଢେଇ ଭିତରେ  ବିରୋଧୀ ଦଳ ନେତାଙ୍କ  ପୁଅ ତଥା ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ଫଳରେ ପୁଣି ଥରେ ଦୁଇ ରାଜପରିବାରର ଲଢେ଼ଇ ଭିତରେ ସମରେନ୍ଦ୍ର ଧସେଇ ପଶିବେ  । ସମରେନ୍ଦ୍ରଙ୍କ ପାଇଁ ତାଙ୍କ ବାପା ତଥା ବିରୋଧୀ ଦଳ ନେତା ନରସିଂହ ହିଁ ଏକମାତ୍ର ଷ୍ଟାର କ୍ୟାମ୍ପେନର  ।  ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି  । ନରସିଂହ ଏବେ ବଲାଙ୍ଗୀରର ବିଧାୟକ ଥିବାବେଳେ ପୂର୍ବରୁ ସେ ଲୋଇସିଂହା ଓ ବିନିକାରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ବିନିକା ନିର୍ବାଚନମଣ୍ଡଳୀଟି ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ବିଲୁପ୍ତ ହୋଇଥିବାବେଳେ ଏହାର ଅଧିକାଂଶ ଅଂଚଳ ସୋନପୁରରେ ରହିଛି  । ଅର୍ଥାତ୍ ନରସିଂହଙ୍କର ୩ ନିର୍ବାଚନମଣ୍ଡଳୀରେ ବ୍ୟକ୍ତିଗତ ସମ୍ପର୍କ ରହିଛି  । ଖାଲି ସେତିକି ନୁହେଁ ବଲାଙ୍ଗୀରରେ ରାଜ ପରିବାରର ଦବଦବାକୁ କେତେକ ବିଜେଡ଼ି ନେତା ଗ୍ରହଣ କରିପାରୁନାହାନ୍ତି  । ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରା ହୁଅନ୍ତୁ କି ନିରଂଜନ ପୂଜାରୀ ସେମାନଙ୍କର ରାଜପରିବାର ସହ ଭଲ ସମ୍ପର୍କ ନାହିଁ  । ସେହିପରି ନିରଂଜନ ପୂଜାରୀ ପୂର୍ବରୁ ନରସିଂହ ମିଶ୍ରଙ୍କ ସହଯୋଗୀ ମଧ୍ୟ ରହି ଆସିଥିଲେ  । ତେଣୁ ସୋନପୁର ଓ ବୀର ମହାରାଜପୁରରେ ଏହାର ସୁଯୋଗ ନରସିଂହଙ୍କ ପୁଅ ନେଇପାରିବାର ସମ୍ଭାବନା ରହିଛି  । ଅପରପକ୍ଷରେ ଦୁଇ ଦୁଇ ଥର କଳିକେଶ କନକ-ସଂଗୀତାଙ୍କୁ ପରାସ୍ତ କରିଥିବାବେଳେ ଏବେବି ଦୁଇ ପରିବାର ମଧ୍ୟରେ ସମ୍ପତି ବିବାଦ ଲାଗି ରହିଛି  । ଯଦି  ସଂଗୀତାଙ୍କର ବିଜୟ ସମ୍ଭାବନା କମିଯାଏ ଓ କଳିକେଶଙ୍କର ବିଜୟ ସମ୍ଭାବନା ଅଧିକ ରହେ ସେକ୍ଷେତ୍ରରେ କଳିକେଶଙ୍କୁ ହରାଇବା ପାଇଁ ମଧ୍ୟ କନକ ଯୋଜନା କରିବେନି ବୋଲି କୁହାଯାଇପାରିବ ନାହିଁ  । ଏକ୍ଷେତ୍ରରେ ଯଦି ବଲାଙ୍ଗୀର ଆସନରୁ ଲଢ଼ିବାକୁ ଥିବା ସମରେନ୍ଦ୍ରଙ୍କ ପଲା ଭାରି ରହୁଥିବ ତେବେ କନକ ମଧ୍ୟ ତାଙ୍କୁ ଭିତିରିଆ ସହଯୋଗ କରିପାରନ୍ତି  । ଅପରପକ୍ଷରେ ଗତ କିଛି ବର୍ଷ ଧରି ନରସିଂହ-କନକଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ରହିଛି  । ତେଣୁ ସମରେନ୍ଦ୍ର ମଧ୍ୟ ୨୦୧୯ରେ ପ୍ରାର୍ଥୀ ହେଲେ ବଲାଙ୍ଗୀରରୁ ବିଜୟର ଆଶା ରଖିଛନ୍ତି  । ନରସିଂହ ଏବେ ଏହି ଧାରାରେ ଗୋଟି ଚାଳନା କରୁଥିବା ଲକ୍ଷ୍ୟ କରାଯାଉଛି  । 

ବଲାଙ୍ଗୀରରେ ରାଜ ପରିବାର ଓ ମିଶ୍ର ପରିବାର ଲଢେ଼ଇ ନୂଆ ନୁହେଁ  । ୧୯୫୨ ମସିହାରୁ ଏହା ଦେଖିବାକୁ ମିଳୁଛି  । ନରସିଂହଙ୍କ ବାପା ଯୁଦ୍ଧିଷ୍ଠିର ମିଶ୍ର କନଷ୍ଟିଚୁ୍ୟଏନ୍ସି ଆସେମ୍ବ୍ଲିର ସଭ୍ୟ ଥିଲେ  । ୧୯୫୨ ସାଧାରଣ ନିର୍ବାଚନବେଳେ ସେ ଆରଏନ ସିଂହଦେଓଙ୍କ ସହ ଲଢ଼ି ପରାସ୍ତ ହୋଇଥିଲେ  । ସେହିପରି ତାଙ୍କ ବଡ଼ବାପା ସତ୍ୟାନନ୍ଦ ମିଶ୍ର ରାଜ୍ୟସଭା ସାଂସଦ ଥିବାବେଳେ ପ୍ରାୟ ୧୭ ବର୍ଷ ଧରି ବଲାଙ୍ଗୀର ଜିଲ୍ଲା କଂଗ୍ରେସର ସଭାପତି ରହିଥିଲେ  ।  ସବୁ ସମୟରେ ବଲାଙ୍ଗୀର ରାଜ ପରିବାର ସହ ମିଶ୍ର ପରିବାରଙ୍କ ଲଢେ଼ଇ ଆସୁଛି  । ଗତ ୨୦୧୪ ବିଧାନସଭା ନିର୍ବାଚନ ବେଳେ ନରସିଂହ ଏହା ମୋର ଶେଷ ନିର୍ବାଚନ ବୋଲି କହୁଥିଲେ ମଧ୍ୟ ୨୦୧୯ରେ ସେ ପୁଣି ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେ ବୋଲି ଇସାରା ଦେଇଛନ୍ତି  । ବିଶେଷକରି ବଲାଙ୍ଗୀରର କଂଗ୍ରେସ ନେତାମାନେ ତାଙ୍କୁ ଚାହୁଁଥିବା ସେ ସୂଚନା ଦେଇଛନ୍ତି  । ଫଳରେ ଆଗାମୀ ଦିନରେ ବଲାଙ୍ଗୀରରେ ପୁଣି ଏୟୁ ଓ ନରସିଂହଙ୍କ ମଧ୍ୟରେ ଲଢେ଼ଇ ହେବାର ଥିବାବେଳେ ଲୋକସଭାରେ ଦୁଇ ରାଜ ପରିବାର ସହ ନରସିଂହ ତାଙ୍କ ପୁଅ ସମରେନ୍ଦ୍ରଙ୍କୁ ଆୟୂଧ କରି ଲଢେଇ କରିବେ ବୋଲି ଚର୍ଚ୍ଚା ଜୋରଧରିଛି  ।

Leave A Reply

Your email address will not be published.