ଚାଷୀ ପରିବାରର ଚାଷରୁ ମାସିକ ହାରାହାରି ଆୟ :ଓଡ଼ିଶାରେ ମାତ୍ର ୧୪୦୭ ଟଙ୍କା , ପଞ୍ଜାବରେ ୧୦,୮୬୨ ଟଙ୍କା

0

22-03-18-Dilip-Ray-to-Boycott-BJP-Rally-SAMAYA_1_630_630.jpg - 49.57 kB

ଭୁବନେଶ୍ୱର, ୨୭ା୦୩: ନିରୋଳା କୃଷିରୁ ଓଡ଼ିଶା କୃଷକ ପରିବାରର ହାରାହାରି ମାସିକ ଆୟ ମାତ୍ର ୧୪୦୭ ଟଙ୍କା । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏଥିରୁ ଓଡ଼ିଶାରେ କୃଷି ଓ କୃଷକଙ୍କ ସ୍ଥିତି କେତେ ଦୟନୀୟ ରହିଛି ତାହା ସହଜରେ ଅନୁମେୟ ।

ଜାତୀୟ ନମୁନା ସର୍ଭେର ୭୦ତମ ପରିକ୍ରମା ରିପୋର୍ଟ ଅନୁଯାୟୀ ୨୦୧୨-୧୩ କୃଷି ବର୍ଷରେ ଓଡ଼ିଶା କୃଷକ ପରିବାର ମାସିକ ହାରାହାରି ଆୟ ନିରୋଳା କୃଷିରୁ ୧୪୦୭ ଟଙ୍କା ଥିବା ବେଳେ ପଞ୍ଜାବରେ ଏହାର ପରିମାଣ ରହିଛି ୧୦,୮୬୨ ଟଙ୍କା । ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ନିରୋଳା କୃଷିରୁ କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ଓଡ଼ିଶାଠାରୁ ଢେର୍ ଅଧିକ । ହରିଆନାରେ ଏହା ୭,୮୬୭ ଟଙ୍କା ରହିଥିବା ବେଳେ କର୍ଣ୍ଣାଟକରେ ୪,୯୩୦, ଛତିଶଗଡ଼ରେ ୩,୩୪୭, ମହାରାଷ୍ଟ୍ରରେ ୩,୮୫୬, କେରଳରେ ୩,୫୩୧, ରାଜସ୍ଥାନରେ ୩୧୩୮ ଓ ଆସାମରେ ୪,୨୧୧ ଟଙ୍କା କରି ରହିଛି । 

ମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ କୃଷି ସମେତ ଅନ୍ୟାନ୍ୟ ସୂତ୍ରକୁ ମିଶାଇ ଓଡ଼ିଶାରେ କୃଷକ ପରିବାରର ମାସିକ ହାରାହାରି ଆୟ ପରିମାଣ ୪,୯୭୬ ଟଙ୍କା ହୋଇଥିବା ବେଳେ ପଞ୍ଜାବରେ ଏହା ୧୮,୦୫୯ ଟଙ୍କା ରହିଛି । ହରିଆନାରେ କୃଷକ ପରିବାରର ସାମଗ୍ରୀକ ମାସିକ ହାରାହାରି ଆୟ ପରିମାଣ ୧୪,୪୩୪ ଟଙ୍କା ଥିବା ବେଳେ କେରଳରେ ୧୧,୮୮୮, କର୍ଣ୍ଣାଟକରେ ୮,୮୩୨, ମହାରାଷ୍ଟ୍ରରେ ୭,୩୮୬, ରାଜସ୍ଥାନରେ ୭,୩୫୦, ଗୁଜରାଟରେ ୭,୯୨୬ ଟଙ୍କା ରହିଛି । ଉତ୍ତରପ୍ରଦେଶ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ, ଆନ୍ଧ୍ରପ୍ରଦେଶ ଆଦିରେ କୃଷକ ପରିବାରଙ୍କ ମାସିକ ହାରାହାରି ସାମଗ୍ରୀକ ଆୟ ପରିମାଣ ଓଡ଼ିଶା ଅପେକ୍ଷା ଢେର୍ ଅଧିକ । 

ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବାସ୍ତବତାକୁ ଗ୍ରହଣ କରି କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ କୃଷକ ପରିବାରର ମାସିକ ହାରାହାରି ଆୟ ଯେପରି ଅନ୍ୟୁନ  ୨୦ ହଜାର ଟଙ୍କାରେ ପହଞ୍ଚିପାରିବ ତାହାକୁ ଆଖିଆଗରେ ରଖି କୃଷିଭିତ୍ତିକ, ଗ୍ରାମ୍ୟ ଓ କୂଟୀର ଶିଳ୍ପ ଉପରେ ବିଶେଷ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ କେବଳ ଧାନ ନୁହେଁ ରାଜ୍ୟରେ କିପରି ଚାଷୀ ବିଭିନ୍ନ କିସମର ଅର୍ଥକାରୀ ଫସଲ ଉତ୍ପାଦନ କରିବ ତାହା ଉପରେ ଧ୍ୟାନ ଦେବା କଥା । ଏଥିଲାଗି ଜଳସେଚନ ଠାରୁ ଆରମ୍ଭ କରି ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ଓ ବିପଣନ ଏବଂ ପ୍ରାକୃତିକ ଦୁର୍ବିପାକରୁ ଚାଷୀକୁ ଶତପ୍ରତିଶତ ସୁରକ୍ଷା ଦେବା ସହିତ ବିକଳ୍ପ ରୋଜଗାରର ପନ୍ଥା କାଢ଼ିବା ଲାଗି ସରକାର କାର୍ଯ୍ୟ କରନ୍ତୁ । 

 

 

 

Leave A Reply

Your email address will not be published.