ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ
ରାୟଗଡ (SAROJ SAHU): ରାୟଗଡ ସହର ସ୍ଥିତ ଲାୟାନ୍ସ କ୍ଲବ ଠାରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କମିଟିର ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି, ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଜି.ଭି.ଏସ ପ୍ରସାଦ ରାଓ, ଆତ୍ମାର ଉପ-ନିର୍ଦେଶକ ସୁମନ ସିଂହ ପଟ୍ଟନାୟକ ମଂଚରେ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ଜଗନ୍ନାଥ ସାରକା ପାଣି ପଂଚାୟତ ପକ୍ଷ ପାଳନ ଅବସରେ ଚାଷୀ ମାନଙ୍କୁ ଶୁଭେଛା ଦେବା ସହ ଜଳସଂପଦର ସୁପରିଚାଳନା ଓ ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପାଣି ପଂଚାୟତର ଦାୟିତ୍ୱ ଏବଂ କର୍ତବ୍ୟ ସଂପର୍କରେ ଆଲୋଚନା କରିବା ସହ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ସେଚକ୍ଷେତ୍ରରେ ଜଳର ଅପଚୟ ନକରି ଉପଲବ୍ଧ ଜଳର ସୁ-ବଣ୍ଟନ ଓ ସଦୁପଯୋଗ କରିବା ପାଇଁ ପାଣି ପଂଚାୟତର ଚାଷୀ ମାନଙ୍କୁ ନିବେଦନ କରିଥିଲେ । ପାଣି ପଂଚାୟତ ପକ୍ଷ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ନଗଦ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ସଚେତନତା ରଥକୁ ମୁଖ୍ୟ ଅତିଥି ଜଗନ୍ନାଥ ସାରକା ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଚଳିତ ମାସ ୨୫ ତାରିଖ ଦିନ କେନ୍ଦୁଗୁଡା ଠାରେ ପାଣି ପଂଚାୟତ ପକ୍ଷ ଉଦଯାପିତ ହେବାର କାର୍ଯ୍ୟକ୍ରମ ରଖାଯାଇଛି । ତେବେ ଅନୁଷ୍ଠିତ ହୋଇଥିବା ପାଣି ପଂଚାୟତ ପକ୍ଷରେ ଚାଷୀଙ୍କ ସଂଖ୍ୟା ବେଶ କମ ଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ସଂପର୍କରେ ବିଭାଗ ତରଫରୁ ଚାଷୀ ମାନଙ୍କୁ ସଠିକ ସୂଚନା ପ୍ରଦାନ କରାଯାଇ ନଥିବା ନେଇ ପ୍ରକାଶ କରିଥିଲେ କିଛି ଚାଷୀ ।
ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ