baripada/ dillip mohanty : ମାର୍ଚ୍ଚ ୨୦ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୨ ସମୟରେ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ନିକଟ କଲେଇକୁଣ୍ଡା ବାୟୁସେନା ଘାଟିର ଏକ ପ୍ରଶିକ୍ଷଣ ବିମାନ ଆକାଶରେ ଉଡ଼ୁଥିବା ଅବସ୍ଥାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଥିଲା । ଉକ୍ତ ଅଗ୍ନିକାଣ୍ଡ ବିଷୟରେ ପାଇଲଟ ନଜରକୁ ଆସିବା ପରେ ତାଙ୍କର ଉପସ୍ଥିତି ବୁଦ୍ଧି ବଳରେ ବିମାନକୁ ମୟୂରଭଞ୍ଜ ଜିଲ୍ଲାର ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ ସାରସକଣା ବ୍ଲକର ଶୀର୍ଷା ମେରୁମଠ ପାଶ୍ୱର୍ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀର ତପାଘାଟ ବାଲି ପଠାରେ ଖସାଇବାରେ ସଫଳ ହେବା ସାଂଗକୁ ନିଜେ ବସିଥିବା ସିଟର ବୋତାମକୁ ଦବାଇ ପାରାଚୁ୍ୟଟ ସହାୟତାରେ ବିମାନରୁ ଅଲଗା ହେବାରେ ସଫଳ ହୋଇଥିଲେ । ମାତ୍ର ଏଥିରେ ପାଇଲଟ ଅରବିନ୍ଦ ଯୋଶୀ ଗୁରୁତ୍ତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଜନତା ତୁରନ୍ତ ଚିକିତ୍ସା ଯୋଗାଇଦେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଝାଡ଼ଖଣ୍ଡ ରାଜ୍ୟର ବହରାଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଦୁର୍ଘଟଣା ଗ୍ରସ୍ତ ବିମାନଟି ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ନଦୀ ବାଲିରେ ଖସିପଡ଼ି ପ୍ରାୟ ୧୦/୧୫ ଫୁଟ ଗର୍ତ୍ତ କରି ଏକ ଛୋଟ ଜଳାଶୟ ସୃଷ୍ଟି କରାଇ ଦେଇଥିଲା । ବିମାନରେ ରହିଥିବା ଇନ୍ଧନ କିଛି ସମୟ ଜଳିବାରେ ଲାଗି ଥିଲା । ଏହା ପ୍ରଚାରିତ ହେବା ମାତ୍ରକେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଘଟଣାସ୍ଥଳରେ ଆସି ଉପସ୍ଥିତ ହୋଇଯାଇ ଥିଲେ । ଖବର ପାଇ କଲେଇକୁଣ୍ଡାରୁ ବାୟୁ ସେନାର ଏକ ଟିମ ହେଲିକେପ୍ଟର ଯୋଗେ ଘଟଣାସ୍ଥଳରେ ଆସି ପହଁଞ୍ଚି ନଦୀ ନଦୀ ବାଲିରେ ଖସିପଡ଼ିଥିବା ବିମାନର ଯନ୍ତ୍ରାଂଶକୁ ନିଜ ହେପାଜତରେ ତଦନ୍ତ ଆରମ୍ଭ କରିବା ସଂଗେସଂଗେ ଆହତ ପାଇଲଟ ଅରବିନ୍ଦ ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିଲେ ।

