ବିଜେପି ଓ ବିଜେଡ଼ି ସରକାର ସମୟରେ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ଓ ଚାଷ ବିପର୍ଯସ୍ତ, ଚାଷୀଙ୍କୁ ପ୍ରତାରିତ କରିଛନ୍ତି ବିଜେଡି-ବିଜେପି : ପ୍ରସାଦ
ଚାଷୀଙ୍କ ହକ୍ ପାଇଁ ନବନିର୍ମାଣ କୃଷକ ସଂଗଠନ ଦାବୀକୁ
କଂଗ୍ରେସ ଦଳର ଦୃଢ଼ ସମର୍ଥନ
ଭୁବନେଶ୍ୱର/ଚକ୍ରଧର ମାଝି- ଚାଷୀକୁ ସମ୍ମାନ, କୃଷି ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ସାମାଜିକ ସୂରକ୍ଷା ଯଥା ପ୍ରେଷ୍ଟିଜ ପ୍ରାଇସ୍ ପେନସନ୍ ଦାବୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଠାରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଅନଶନରେ ବସିଥିବା ହଜାର ହଜାର ଚାଷୀଙ୍କୁ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ପ୍ରତାରିତ କରୁଥିଲାବେଳେ କଂଗ୍ରେସ ଦଳ ଚାଷୀମାନଙ୍କ ଦାବୀକୁ ଦୃଢ଼ ସମର୍ଥନ ଜଣାଇଛି । ଆଜି ଅପରାହ୍ନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଧାରଣା ସ୍ଥଳକୁ ଯାଇ ଅନଶନରେ ବସିଥିବା ଚାଷୀମାନଙ୍କ ଆନେ୍ଦାଳନରେ ସାମିଲ ହୋଇଥିଲେ । ଶ୍ରୀ ହରିଚନ୍ଦନ ଉପସ୍ଥିତ ଚାଷୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ, ଉଭୟ ବିଜେପି ଓ ବିଜେଡ଼ି ସରକାର ସମୟରେ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ଓ ଚାଷ ବିପର୍ଯସ୍ତ । ଫସଲହାନୀ, ଋଣଭାର ଓ ଅଭାବି ବିକ୍ରିର ଶୀକାର ହୋଇ ଓଡ଼ିଶାରେ ଚାଷୀଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧିପାଉଥିବାବେଳେ ବିଜେଡ଼ି ସରକାରର ଏଥିପତି ତିଳେମାତ୍ର ନିଘା ନାହିଁ । ନବନିର୍ମାଣ କୃଷକ ସଂଗଠନ ରାଜ୍ୟ ଜନସଂଖ୍ୟାର ୭୦ପ୍ରତିଶତ ଚାଷୀଙ୍କ ସମସ୍ୟାକୁ ନେଇ ଦୀର୍ଘଦିନ ହେବ ଯେଉଁ ନ୍ୟାୟୋଚିତ ସଂଗ୍ରାମ କରୁଛନ୍ତି କଂଗ୍ରେସ ଦଳ ତରଫରୁ ସେମାନଙ୍କୁ ଖାଲି ଦୃଢ଼ ସମର୍ଥନ ନୁହେଁ ସରକାର ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ସହିତ କଂଗ୍ରେସ ଦଳ ସାମିଲ ରହିବ ବୋଲି କହିଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସାମାଜିକ ସୂରକ୍ଷା ପାଇଁ ଚାଷୀଙ୍କୁ ମାସିକ ଭତ୍ତା ପ୍ରଦାନ କରି ସେମାନଙ୍କର ଏହି ଯର୍ଥାଥ ଦାବୀଗୁଡ଼ିକୁ ଶ୍ରୀ ହରିଚନ୍ଦନ ସମର୍ଥନ ଜଣାଇଥିଲେ । ଏହି ଧାରଣାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ପିସିସି ମୁଖପାତ୍ର ଲଲାଟେନ୍ଦୁ ମହାପାତ୍ର ମଧ୍ୟ ଯୋଗଦେଇ ଦୀର୍ଘଦିନ ହେଲା ନବନିର୍ମାଣ କୃଷକ ସଂଗଠନ ନେୃତ୍ୱରେ ଚାଷୀଙ୍କ ପ୍ରମୁଖ ଦାବୀଗୁଡ଼ିକ ପୂରଣ ପାଇଁ ଜାରିରହିଥିବା ସଂଗ୍ରାମକୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସଂପାଦକ କିଶୋର ଜେନା, ସ୍ୱାଗତିକା ପଟ୍ଟନାୟକ, ହଳଧର ସେଠୀ, ବାଙ୍କନିଧି ବେହେରା, ତରୁଣ ମିଶ୍ର, ସାରଦା ପ୍ରଧାନ ଓ ଶାନ୍ତନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।