ବିଜେଡି ସାର୍ବଜନିନ ଭାବେ କ୍ଷମା ପ୍ରାର୍ଥନା କରୁ : ବିଜେପି

ଭୁବନେଶ୍ୱର: ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟ ସରକାରଙ୍କ ହାତବାରିସୀ ଭଳି କାମ କରୁଛନ୍ତି | ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପଛରେ ବିଜେପିର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଯୋଡିବାର ବିଜେଡିର ହୀନ ଷଡଯନ୍ତ୍ର ଫସର ଫାଟିଯାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ବିଜେପି ବିରୁଦ୍ଧରେ ବିଜେଡିର ଅଭିଯୋଗ ମିଥ୍ୟା ଓ କପୋଳକଳ୍ପିତ ସ୍ପଷ୍ଟ ହେବା ପରେ ବିଜୁ ଜନତା ଦଳ ସାର୍ବଜନିନ ଭାବେ କ୍ଷମା ପ୍ରାର୍ଥନା କରୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଘଟଣା ଘଟିବାର ୫ ମିନିଟ୍ ମଧ୍ୟରେ ବିଜେଡି ପ୍ରବକ୍ତା ମାନେ ସମ୍ପୃକ୍ତ ଯୁବକଙ୍କୁ ବିଜେପିର କହିବା ପରେ ସ୍ଥାନୀୟ ଏସଡିପିଓ ବିଜେଡି ପ୍ରବକ୍ତାଙ୍କ ବକ୍ତବ୍ୟକୁ ପୋଷା ଶୁଆ ପରି ଦୋହରାଇଥିଲେ । ଏବେ ସମ୍ପୃକ୍ତ ଯୁବକଙ୍କ ସତ୍ୟାସତ୍ୟ ବାହାରକୁ ଆସିଛି । ସେ ଜଣେ ମାନସିକ ବିକୃତ ବ୍ୟକ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ କରିବା ଓ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରୁ ଚଢି ଆତ୍ମହତ୍ୟା ଉଦ୍ୟମର ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲାଣି । ଅନେକ ଗଣମାଧ୍ୟମ ସମ୍ପୃକ୍ତ ଯୁବକ ଡାକ୍ତରଖାନାରେ ଥିବା ବେଳେ ତାଙ୍କ ପକେଟରେ ବିଜେଡି କର୍ମୀ ଓ ପୋଲିସ୍ ବିଜେପି ପତାକା ପୁରେଇବାର ପ୍ରମାଣ ଦେଲେଣି । ଖୋଦ୍ ପଦ୍ମପୁର ଥାନା ଆଇଆଇସି ଦଶୋବନ୍ତ ପ୍ରଧାନୀ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ବକ୍ତବ୍ୟ ରଖି ସମ୍ପୃକ୍ତ ଯୁବକଙ୍କ ରାଜନୈତିକ ସମ୍ପର୍କ ନଥିବା ଓ ସେ ଅଧା ପାଗଳ ବୋଲି କହିଛନ୍ତି ।
ଏହା ସ୍ପଷ୍ଟ କରୁଛି ଆସନ୍ନ ପରାଜୟକୁ ଡରି ଜଣେ ମାନସିକ ବିକୃତ ଯୁବକର ଉଦଭ୍ରାନ୍ତ କାଣ୍ଡକୁ ବିଜେପି ସହିତ ଯୋଡି ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳକୁ ବଦନାମ୍ କରିବା ପାଇଁ ବିଜୁ ଜନତା ଦଳ ଷଡଯନ୍ତ୍ର କରିଥିଲା । ଏହି ପରିପ୍ରେକ୍ଷୀରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ ଲଗାଇଥିବାରୁ ବିଜୁ ଜନତା ଦଳ ସାର୍ବଜନିନ ଭାବେ କ୍ଷମା ପ୍ରାର୍ଥନା କରୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ବିଜେପୁରରେ ଶାସକ ଦଳ ପୋଲିସକୁ ଗୁଣ୍ଡା ଭଳି ବ୍ୟବହାର କରି ନିର୍ବାଚନ ଲଢୁଛି । ୪୦ ଲକ୍ଷ ଟଙ୍କା ଧରାପଡିବା ମାମଲାରେ ଖୋଦ୍ ନିର୍ବାଚନ କମିଶନରଙ୍କ ପର୍ଯ୍ୟବେକ୍ଷକ ଏ ଟଙ୍କା କାହାର ଆମେ କହି ପାରିବୁ ନାହିଁ ବୋଲି ବକ୍ତବ୍ୟ ଦେଉଥିବା ବେଳେ ବରଗଡ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଏହି ଟଙ୍କା ବିନା ତଦନ୍ତରେ ବିଜେପିର ବୋଲି କହି ବିଜେଡିକୁ ସମର୍ଥନ କଲାଭଳି ବକ୍ତବ୍ୟ ରଖିଛନ୍ତି । ବିଜେପିର ଗାଇସିଲଟ ଅଫିସରେ ରାତିଅଧିଆ ଆକ୍ରମଣ , ଶିରିଶ ବହିଦାରଙ୍କ ଘର ବିନା ସର୍ଚ୍ଚ ୱାରେଂଟରେ ଚଢାଉ ଭଳି ଘଟଣା ଘଟିଛି । ସୁଶାନ୍ତ ସିଂହ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରାଗଲେ ମଧ୍ୟ ପୋଲିସ୍ ପକ୍ଷପାତିତା କରି ପଦକ୍ଷେପ ନେଉନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ୍ ଦାସ ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।