ବିଭୂତିକ୍ଷେତ୍ର ଗୋରଖନାଥଙ୍କ ପୀଠରେ ଅବ୍ୟବସ୍ଥା ନେଇ କାଉଡିଆଙ୍କ ତୀବ୍ର ଅସନ୍ତୋଷ

0

ଜଗତସିଂହପୁର:(ରମେଶ ମହାନ୍ତି)-ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ବିଭୂତି କ୍ଷେତ୍ର ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତର କେରେକେରା ସ୍ଥିତ ପ୍ରଭୁ ଗୋରଖନାଥଙ୍କ ପୀଠରେ ଜଳାଭିଷେକ କଲେ ୩୦ ହଜାରରୁ ଉର୍ଦ୍ଧ କାଉଡ଼ିଆ।ବିଭିନ୍ନ ସ୍ଥାନରୁ ବୋଲବମ ମାନସିକଧାରୀମାନେ ପାଣିଭାର ଆଣି ଦିନକ ପୂର୍ବରୁ ଏଠାରେ ପହଂଚିଥିବାର ଲକ୍ଷ କରାଯାଇଥିଲା।ତେବେ ପୀଠରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ କାଉଡିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖାଯାଇଛି।ବଢ଼ିଭୋରରୁ ମଙ୍ଗଳଆଳତି କରାଯିବା ପରେ ପାଣିଢ଼ଳା ପର୍ବ ଆରମ୍ଭ ହୋଇଥିଲା । ଓଁ ନମୋ ଶିବାୟ ଉଚ୍ଚାରଣରେ ପୀଠ ପ୍ରକମ୍ପିତ ହୋଇଥିଲା । ଆଖପାଖ ଅଂଚଳର ମାନସିକଧାରୀ ମାନେ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରୁଥିବା ଦେଖାଯାଇଥିଲା।ଚଳିତ ବର୍ଷ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରଥମ ଥର ପାଇଁ ପାଣିଭାର ପିଛା ୧୦ ଟଙ୍କା ଲେଖାଏଁ ଟିକସ ଆଦାୟ କରାଯାଉଥିବା ଦେଖାଯାଇଥିଲା।ପ୍ରତ୍ୟେକ ବର୍ଷ ଏହି ବିଭୂତି କ୍ଷେତ୍ର ପରିସରରେ କାଉଡିଆ ମାନେ ପାଣିଭାର ରଖିବା ପାଇଁ ବାଉଁଶ ଭାର ବ୍ୟବସ୍ଥା କରାଯାଉଥିବା ବେଳେ କିନ୍ତୁ ଚଳିତ ବର୍ଷ ପରିସର ବାହାରେ ଭକ୍ତଙ୍କ ପାଣି ଭାର ରଖିବା ବ୍ୟବସ୍ଥା କରାଯାଇଥିଲା।ଏପରିକି ଜଳାଭିଷେକ କରିବାକୁ ଆସିଥିବା ୩୦ହଜାରରୁ ଉର୍ଦ୍ଧ ପୁରୁଷ ଓ ମହିଳା କାଉଡିଆ ମାନଙ୍କ ରହିବା ପାଇଁ ଗୋଟିଏ ତମ୍ବୁ କରାଯାଇଥିବାରୁ ଏହାକୁ ନେଇ ସମସ୍ୟା ଦେଖାଦେଇଥିଲା।ଅପରପକ୍ଷରେ ଏତେ ସଂଖ୍ୟକ କାଉଡିଆ ମାନଙ୍କ ପାଇଁ ମାତ୍ର ୩ଟି ସୌଚାଳୟ ଥିବାରୁ କାଉଡିଆ ମାନେ ନିତ୍ୟକର୍ମ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ଆବଶ୍ୟକ ସଂଖ୍ୟକ ସୌଚାଳୟ ନଥିବାରୁ କାଉଡିଆ ମାନେ ଖୋଲାରେ ସୌଚ କରିଥିଲେ।ଏନେଇ ନିକଟସ୍ଥ ଗ୍ରାମ ଗୁଡିକର ପରିବେଶ ପ୍ରଦୂଷିତ ହୋଇଥିବା ନେଇ ଅଭିଯୋଗ ହେଉଛି।ଏପରିକି ମଠ ବାହାରେ ପର୍ଯ୍ୟାପ୍ତ ପରିମାଣର ଭୋଗ ବିକ୍ରି କରାଯାଉଥିବା ଯୋଗୁଁ ମଠ ପରିସର ମଧ୍ୟରେ ଥିବା ଭୋଗ ଦୋକାନ ଗୁଡିକୁ ନିଲାମ ଧରିଥିବା ବ୍ୟକ୍ତି ମାନେ ଏକ ପ୍ରକାର ହାତ ବାନ୍ଧି ବସିରହିଥିବା ଦେଖାଯାଇଥିଲା।ପରିସର ବାହାରେ ବିକ୍ରି ହେଉଥିବା ଭୋଗ ଦୋକାନ ଉପରେ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଲଗାମ ନଥିବାରୁ ଏପରି ବ୍ୟତିକ୍ରମ ହେଉଥିବା ନିଲାମଧାରୀଙ୍କ ଠାରୁ ଶୁଣିବାକୁ ମିଳୁଛି।ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave A Reply

Your email address will not be published.