ଶିକାରୀ ଗିରଫ :ବାରହା ମାଂସ ସହିତ ଧନୁତୀର ଓ ଦେଶୀ ବନ୍ଧୁକ ଜବତ

0

 

ବାରିପଦାରୁ ଦିଲ୍ଲୀପ ମହାନ୍ତି – ଅଧିକାଂଶ ବନ ବିଭାଗର କର୍ମଚାରୀମାନେ ସହର ଜଗିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଓ କାଠମାଫିଆମାନଙ୍କ ରାଜତ୍ୱ ଚାଲିଛି । ଯାହାଫଳରେ  ଅଭୟାରଣ୍ୟ ଶ୍ରୀହୀନ ହେବାରେ ଲାଗିଛି । ଫେବୃଆରୀ ୫ କେତେକ ଶିକାରୀ ଶିମିଳିପାଳ ଅଭୟାରଣ୍ୟରୁ ବାରହା ଶିକାର କରିବା ପରେ ବାରହାକୁ ଆଣି ଅଭୟାରଣ୍ୟର ପାଦ ଦେଶ ତଥା ଡ଼ୁକୁରା ରେଞ୍ଜ ଅଧୀନରେ ଥିବା ଡ଼ିଗଡ଼ିଗା ଫରେଷ୍ଟ ସେକସନର ବେସରପାଣି ଗ୍ରାମନିକଟ ଏକ ନିଛାଟିଆ ସ୍ଥାନରେ ତାର ମାଂସକୁ କାଟି ବିକ୍ରି କରୁଥିବା ବେଳେ ଡ଼ୁକୁରା ରେଞ୍ଜର କର୍ମଚାରୀ ଓ ବାରିପଦା ବନଖଣ୍ଡର ମୋବାଇଲ ଟିମ ମିଳିତ ଭାବେ ଚଢ଼ାଉ କରି ବେସରପାଣି ଗ୍ରାମର ରାଜୁ ଭକ୍ତା(୪୪) ନାମକ ଜଣେ ଶିକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଶିକାରୀ ବନ ବିଭାଗର କର୍ମଚାରୀମାନଙ୍କ ଆଖି ଆଗଦେଇ ଖସିଯାଇ ଥିଲେ । ଘଟଣାସ୍ଥଳରୁ ବନ କର୍ମଚାରୀମାନେ ବରହାର ଗୋଟାଏ କଟା ମୁଣ୍ଡ ଓ ଚମଡ଼ା, ସାଢେ଼ ୪ କେଜି ବାରହା ମାଂସ, ଗୋଟାଏ ଦେଶୀ ବନ୍ଧୁକ, ଦୁଇ ଯୋଡ଼ା ଧନୁ ଓ ତୀର ସହିତ ଏକ ନିକିତି ପଡ଼ିଥିବାର ଦେଖିବାକୁ ପାଇଥିଲେ ଏବଂ ତାହାକୁ ଜବତ କରି ସାଥୀରେ ନେଇ ଆସିଥିଲେ । କିନ୍ତୁ ଶିକାର କରାଯାଇଥିବା ବାରହାର ଅବଶିଷ୍ଟ ମାଂସ କୁଆଡେ଼ ଗଲା ତାର ହିସାବ କାହାରି ନିକଟରେ ନ ଥିଲା । ଉକ୍ତ ଚଢ଼ାଉରେ ଡ଼ିଗଡ଼ିଗା ସେକସନ ଫରେଷ୍ଟର ଜଗଦିଶ ସାହୁ, ଡ଼ିଗଡ଼ିଗା ବିଟ ଫରେଷ୍ଟ ଗାଡର଼୍ ବିକାଶ ଭୁଜବଳ, କେରକୋ ବିଟର ଫରେଷ୍ଟ ଗାଡର଼୍ ଜ୍ୟୋତ୍ସ୍ନାରାଣୀ ବରହେରା, ଗୁରୁବାରୀ ମାର୍ଣ୍ଡି ତାଡ଼କି ସେକସନର ଫରେଷ୍ଟର, କବିତା ଗିରି ଡ଼ୁକୁରା ରେଞ୍ଜର ସ୍ୱତନ୍ତ୍ର ରେଞ୍ଜ ଅଧିକାରୀ ସୁକୁମାର ଦାସ ପ୍ରମୁଖ ସାମିଲ ହୋଇଥିଲେ । 

 

Leave A Reply

Your email address will not be published.