ଓଡ଼ିଶାବାସୀଙ୍କୁ ଅନ୍ଧାରରେ ରଖାଯାଇପାରିବ ନାହିଁ
ଭୁବନେଶ୍ୱର | ୨୮ ଅକ୍ଟୋବର ୨୦୨୬: ‘ସମାଜ’ରେ ପ୍ରକାଶିତ ମହାନଦୀ ଜଳ ବଣ୍ଟନ ସମ୍ପର୍କିତ ପ୍ରସ୍ତାବିତ ସୂତ୍ରକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ଗଭୀର ଉଦ୍ବେଗ ପ୍ରକାଶ କରୁଛି। ଏହି ପ୍ରସ୍ତାବ ଓଡ଼ିଶାର ଜଳ ସୁରକ୍ଷା, କୃଷି, ପାନୀୟ ଜଳ ଯୋଗାଣ ଓ ମହାନଦୀର ଭବିଷ୍ୟତକୁ ନେଇ ଅନେକ ଗୁରୁତର ପ୍ରଶ୍ନ ଉଠାଇଛି।
ମହାନଦୀ ବଞ୍ଚାଅ ଆନ୍ଦୋଳନର ଦାବି, କେନ୍ଦ୍ରୀୟ ଜଳ ଆୟୋଗ (CWC)ର ସମ୍ପୂର୍ଣ୍ଣ ରିପୋର୍ଟ ଏବଂ ଜଳ ବଣ୍ଟନର ପ୍ରସ୍ତାବିତ ସୂତ୍ର ନିର୍ଦ୍ଧାରଣ ପଛରେ ଥିବା ବୈଜ୍ଞାନିକ ଆଧାର, ତଥ୍ୟ ଓ ଗଣନା ପଦ୍ଧତିକୁ ତୁରନ୍ତ ସାର୍ବଜନୀନ କରାଯାଉ। ଓଡ଼ିଶାର କୋଟି କୋଟି ଲୋକଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିବା ଗ୍ରହଣୀୟ ନୁହେଁ।
ଆନ୍ଦୋଳନ ପକ୍ଷରୁ ନିମ୍ନଲିଖିତ ପ୍ରଶ୍ନ ଓ ଦାବି ଉପସ୍ଥାପନ କରାଯାଉଛି।
- CWC ରିପୋର୍ଟ ସାର୍ବଜନୀନ କରାଯାଉ: କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରିପୋର୍ଟ ସହିତ ଆଧାରଭୂତ ତଥ୍ୟ, ବୈଷୟିକ ଆକଳନ, ଗଣନା ଓ ସୁପାରିସଗୁଡ଼ିକୁ ଲୋକଲୋଚନକୁ ଆଣନ୍ତୁ।
- ଜଳ ବଣ୍ଟନର ଆଧାର କ’ଣ? ‘ସମାଜ’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଯଦି ଓଡ଼ିଶାକୁ ୨୪ ନିୟୁତ ଏକର-ଫୁଟ୍ (MAF) ଏବଂ ଛତିଶଗଡ଼କୁ ୨୨ ନିୟୁତ ଏକର-ଫୁଟ୍ ଜଳ ଆବଣ୍ଟନର ପ୍ରସ୍ତାବ ରହିଛି, ତେବେ ଏହି ଆକଳନ କେଉଁ ତଥ୍ୟ ଓ କେଉଁ ବୈଜ୍ଞାନିକ ପଦ୍ଧତି ଆଧାରରେ କରାଯାଇଛି? ଏହାର ସ୍ପଷ୍ଟ ଉତ୍ତର ସରକାର ଦିଅନ୍ତୁ।
- ପୁରୁଣା ତଥ୍ୟରେ ଭବିଷ୍ୟତ ନିର୍ଦ୍ଧାରଣ ନ ହେଉ: ମହାନଦୀର ଜଳପ୍ରବାହ, ବର୍ଷାର ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ, ଉପରମୁଣ୍ଡରେ ଜଳ ବ୍ୟବହାର ଏବଂ ଭବିଷ୍ୟତର ଆବଶ୍ୟକତାକୁ ଆକଳନରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇଛି କି ନାହିଁ, ତାହା ସ୍ପଷ୍ଟ କରାଯାଉ।
- ଅଣମୌସୁମୀ ଜଳପ୍ରବାହର ଗ୍ୟାରେଣ୍ଟି ଦରକାର: ବର୍ଷକୁ ମୋଟ କେତେ ଜଳ ମିଳିବ, ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଖରା ଓ ଅଣମୌସୁମୀ ସମୟରେ ଓଡ଼ିଶାକୁ ପ୍ରକୃତରେ କେତେ ଜଳ ମିଳିବ। କୃଷି, ପାନୀୟ ଜଳ, ମତ୍ସ୍ୟଜୀବୀଙ୍କ ଜୀବିକା ଓ ମହାନଦୀ ଡେଲ୍ଟାର ପରିବେଶ ସୁରକ୍ଷା ପାଇଁ ନିଶ୍ଚିତ ଓ କାର୍ଯ୍ୟକାରୀ ଜଳପ୍ରବାହ ବ୍ୟବସ୍ଥା ରହିବା ଆବଶ୍ୟକ।
- ବନ୍ଦ କୋଠରିରେ ଚୁକ୍ତି ନୁହେଁ: ଆଲୋଚନାର ବିବରଣୀ, ଉଭୟ ରାଜ୍ୟର ମତାମତ ଓ ପ୍ରସ୍ତାବିତ ଚୁକ୍ତିର ସର୍ତ୍ତାବଳୀ ଲୋକଙ୍କ ସମ୍ମୁଖରେ ରଖାଯାଉ। ସର୍ବଦଳୀୟ ବୈଠକ ଏବଂ ଜଳ ବିଶେଷଜ୍ଞ, କୃଷକ ସଂଗଠନ ଓ ପ୍ରଭାବିତ ଜନସାଧାରଣଙ୍କ ସହ ପରାମର୍ଶ ପରେ ହିଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଉ।
- ଟ୍ରିବ୍ୟୁନାଲର ପ୍ରକ୍ରିୟା ଓ ଓଡ଼ିଶାର ଅଧିକାର ସୁରକ୍ଷିତ ରହୁ: ଯେକୌଣସି ଚୁକ୍ତି ଓଡ଼ିଶାର ନ୍ୟାଯ୍ୟ ଦାବିକୁ କ୍ଷୁଣ୍ଣ ନ କରିବା ସହିତ ପ୍ରଚଳିତ ଆଇନଗତ ବ୍ୟବସ୍ଥା ଓ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ପ୍ରକ୍ରିୟା ସହ ସମନ୍ୱିତ ହେବା ଆବଶ୍ୟକ।
ମହାନଦୀ ବଞ୍ଚାଅ ଆନ୍ଦୋଳନ ଦାବି କରୁଛି ଯେ ଓଡ଼ିଶା ସରକାର ତୁରନ୍ତ CWCର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିବା ସହିତ ପ୍ରସ୍ତାବିତ ଜଳ ବଣ୍ଟନ ସୂତ୍ରର ବୈଜ୍ଞାନିକ ଓ ଆଇନଗତ ଆଧାର ଜନସାଧାରଣଙ୍କୁ ଜଣାନ୍ତୁ। ରାଜ୍ୟର ଦୀର୍ଘମିଆଦୀ ଜଳ ସୁରକ୍ଷାକୁ ପ୍ରାଥମିକତା ଦେଇ ଏକ ଖୋଲା ଓ ସ୍ୱଚ୍ଛ ଆଲୋଚନା କରାଯାଉ।
ମହାନଦୀ କେବଳ ଜଳ ବଣ୍ଟନର ଏକ ହିସାବ ନୁହେଁ। ଏହା ଓଡ଼ିଶାର ଜୀବନରେଖା, କୃଷି ଓ ଅର୍ଥନୀତିର ଆଧାର, ଏବଂ ଆମର ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟ।
ଓଡ଼ିଶାବାସୀଙ୍କୁ ଅନ୍ଧାରରେ ରଖି ମହାନଦୀର ଭବିଷ୍ୟତ ନିର୍ଦ୍ଧାରଣ କରାଯାଇପାରିବ ନାହିଁ। ସ୍ୱଚ୍ଛତା ସରକାରଙ୍କ ଅନୁଗ୍ରହ ନୁହେଁ, ଏହା ଗଣତାନ୍ତ୍ରିକ ଦାୟିତ୍ୱ।
ମହାନଦୀ ବଞ୍ଚାଅ ଆନ୍ଦୋଳନ ରିପୋର୍ଟ, ତଥ୍ୟ ଓ ପ୍ରସ୍ତାବିତ ଚୁକ୍ତିର ଆଧାର ସାର୍ବଜନୀନ ନ ହେବା ପର୍ଯ୍ୟନ୍ତ ଏହି ଦାବି ଓ ଆନ୍ଦୋଳନ ଜାରି ରଖିବ ବୋଲି ଏକ ପ୍ରେସ ବିବୃତିରେ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ଙ୍କ ସମେତ ଶ୍ରୀ ଗିରିଜା ଶଙ୍କର ଦାସ, ବରିଷ୍ଟ ଆଇନଜୀବୀ ଶିବାନନ୍ଦ ରାୟ, ଡ ମନୀଷା ଦାଶ ପଟ୍ଟନାୟକ, ବାଙ୍କନିଧି ବେହେରା, ପ୍ରସନ୍ନ ବିଷୋୟୀ, ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି l